ଶ୍ରୀମନ୍ଦିରରେ ପବିତ୍ର ପୂଷ୍ୟାଭିଷେକ ନୀତି : ସୁନା ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ :‌ ପୌଷ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଆଜି ପବିତ୍ର ପୂଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଥିବା ବେଳେ ମହାପ୍ରଭୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ବିଧି ଅନୁଯାୟୀ, ଗତରାତିରେ ଚନ୍ଦନ ଲାଗି ବଢ଼ିବା ପରେ ଭୋଗମଣ୍ଡପ ଘର ଆଗରୁ ଧୋପଖାଳ ହୋଇ ଚାନ୍ଦ ବନ୍ଧା ଯାଇଥିଲା ଏବଂ ଅଧିବାସ ନୀତି ଅନୁଷ୍ଠିତ ହୋଇଥିଲା।

ଆଜି ସକାଳ ଧୂପ ସମୟରେ ପୁରୋହିତ ଓ ବ୍ରାହ୍ମଣମାନେ ହୋମକାର୍ଯ୍ୟ ସଂପାଦନ କରିଥିଲେ। ସକାଳ ଧୂପ ସରିବା ପରେ ମହାପ୍ରଭୁଙ୍କ ମଇଲମ ନୀତି ଅନୁଷ୍ଠିତ ହୋଇଥିଲା। ପରେ ଶ୍ରୀମନ୍ଦିର ଭିତରେ ପାଣି ପଡ଼ି ମହାପ୍ରଭୁଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା। ଗତକାଲି ଅଧିବାସ ହୋଇଥିବା ଘିଅ, ଶୀତଳଭୋଗ ଆଦି ଆସିବା ପରେ ଶୁଦ୍ଧ ସୁଆର ସେବକ, ପଢ଼ିଆରୀ ସେବକ, ପଣ୍ଡା, ଦେଉଳ ପୁରୋହିତ ପ୍ରମୁଖ ପୂଜାକାର୍ଯ୍ୟ, ଭୋଗଲାଗି ନୀତି ସଂପାଦନ କରିଥିଲେ। ପଶୁପାଳକମାନେ ମଇଲମ କରି ମହାପ୍ରଭୁଙ୍କ ନୂଆଲୁଗା ଲାଗି କରିବା ପରେ ପଣ୍ଡା, ପତି, ମୁଦିରସ୍ତ ସେବକମାନେ ଚନ୍ଦନ ସର୍ବାଙ୍ଗ ନୀତି ସଂପାଦନ କରିଥିଲେ। ମହାପ୍ରଭୁଙ୍କ ଆଜ୍ଞାମାଳ ମିଳିବା ପରେ ମହାଜନ ସେବକମାନେ ମହାଲକ୍ଷ୍ମୀଙ୍କୁ ସାତପାହାଚଠାରେ ଥିବା ପାଲିଙ୍କିରେ ବିଜେ କରାଇଥିଲେ। ପରେ ବିମାନବଡ଼ୁ ସେବକମାନେ ମହାଲକ୍ଷ୍ମୀ ବିଜେ ହୋଇଥିବା ବିମାନକୁ ଜଗମୋହନକୁ ନେବା ପରେ ସେଠାରେ ମହାଲକ୍ଷ୍ମୀ ଜଗମୋହନ ‌ଖଟ ଉପରେ ବିଜେ କରାଇଥିଲେ। ମାଜଣା ହୋଇ ବନକଲାଗି ନୀତି ପରେ ମହାପ୍ରଭୁଙ୍କ ଅଭିଷେକ ନୀତି ଅନୁଷ୍ଠିତ ହୋଇଥିଲା। ପୂଷ୍ୟାଭିଷେକ ନୀତି ଶେଷ ପରେ ମହାଲକ୍ଷ୍ମୀ ପାଲିଙ୍କିରେ ବାହୁଡ଼ା ବିଜେ କରିଥିଲେ। ମହାଲକ୍ଷ୍ମୀଙ୍କ ବାହୁଡ଼ା ବିଜେ ପରେ ମହାପ୍ରଭୁ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଇଥିଲେ।

ସୂଚନାଯୋଗ୍ୟ, ପୂଷ୍ୟାଭିଷେକ ଉତ୍ସବ ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରା ଭିତରେ ଅନ୍ୟତମ। ବର୍ଷକ ମଧ୍ୟରେ ମହାପ୍ରଭୁ ୫ ଥର ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ତନ୍ମଧ୍ୟରୁ ପୌଷ ପୂର୍ଣ୍ଣିମା ସୁନାବେଶ ଅନ୍ୟତମ।

ସମ୍ବନ୍ଧିତ ଖବର