ପୂର୍ତ୍ତ ବିଭାଗରେ ଟିଡିଆର୍‌ କେଳେଙ୍କାରୀ : ଫିଟୁଛି ଗୁମର

ଭବାନୀପାଟଣା : ପୂର୍ତ୍ତ ବିଭାଗରେ ମିଥ୍ୟା ଟିଡିଆର୍‌ କେଳେଙ୍କାରୀର ଧୀରେ ଧୀରେ ଭାନୁମତୀର ପେଡ଼ି ଭଳି ଗୁମର ଫିଟିବାରେ ଲାଗିଛି। ଭବାନୀପାଟଣା ପୂର୍ତ୍ତ ବିଭାଗରେ ପୂର୍ବରୁ ୧୯ଟି ଟିଡିଆରର ୮୯ ଲକ୍ଷ ଠକେଇ ବୋଲି ବ୍ୟାଙ୍କ ବିଭାଗକୁ ଜଣାଇଥିଲା। ବୁଧବାର ଆହୁରି ୩୨ଟି ଟିଡିଆରର ୧କୋଟି ୪୨ଲକ୍ଷ ଟଙ୍କାର ଠକେଇ ହୋଇଥିବା ଷ୍ଟେଟବ୍ୟାଙ୍କ ପକ୍ଷରୁ ବିଭାଗକୁ ସୂଚନା ଦିଆଯାଇଛି।

କଳାହାଣ୍ଡି ଜିଲ୍ଲା ପୂର୍ତ୍ତ ବିଭାଗ ଭବାନୀପାଟଣା ଡିଭିଜନର ଟେଣ୍ଡର କାର୍ଯ୍ୟରେ ପୂର୍ବରୁ ଭବାନୀପାଟଣା ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖା ପକ୍ଷରୁ ୧୯ଟି ମିଥ୍ୟା ଟିଡିଆରରେ ୮୯ଲକ୍ଷ ଟଙ୍କାର ଠକେଇ କରିଥିବା ବିଭାଗକୁ ଯାଞ୍ଚ ପରେ ଲିଖିତ ଭାବରେ ଅବଗତ କରାଯାଇଥିଲା। ଭବାନୀପାଟଣା ସହର ରେଲୱେ ରାସ୍ତାରେ ଠିକାଦାର ବଣ୍ଟି ଅଗ୍ରୱାଲ ଗୋଟିଏ ଟିଡିଆରରେ ୨ ଲକ୍ଷ ୨୦ ହଜାର ଟଙ୍କା ଠକେଇ ହୋଇଛି। ସେହିଭଳି ବଣ୍ଟି ଅଗ୍ରୱାଲଙ୍କ ବାପା ରାଜେନ୍ଦ୍ର ପ୍ରସାଦ ଅଗ୍ରୱାଲଙ୍କ ନାମରେ ଥିବା ସୂରଜ ଏଣ୍ଟରପ୍ରାଇଜେସର ଜାରିଙ୍ଗ, ବୃନ୍ଦାବାହାଲ, ନାନ୍ଦୁଲ ରାସ୍ତା କାମରେ ୨ଟି ଟିଡିଆରରେ ୩ଲକ୍ଷ ୩୭ ହଜାର ଠକେଇ, ଭବାନୀପାଟଣା ରାୟଗଡ଼ା ରାସ୍ତାର ୮ଟି ମିଥ୍ୟା ଟିଡିଆରରେ ୧୮ଲକ୍ଷ ୨୦ ହଜାର ଟଙ୍କା, ଗୁଣପୁର ଥୁଆମୂଳ ରାମପୁର ରାସ୍ତା ଟେଣ୍ଡରରେ ୨ଟି ମିଥ୍ୟା ଟିଡିଆର୍‌ରେ ୨ଲକ୍ଷ ୨୫ ହଜାର ଟଙ୍କା, ପାଜିବାହାଲ ଠାରୁ ମୋହନଗିରି ରାସ୍ତା କାମର ୪ଟି ମିଥ୍ୟା ଟିଡିଆରରେ ୪୯ଲକ୍ଷ ଟଙ୍କା ଠକେଇ ହୋଇଥିବା ଷ୍ଟେଟବ୍ୟାଙ୍କ ପକ୍ଷରୁ ବିଭାଗକୁ ସୂଚନା ଦିଆଯାଇଛି।

ବୁଧବାର ବ୍ୟାଙ୍କ ପକ୍ଷରୁ ପୁନର୍ବାର ଜୁନାଗଡ଼ ବ୍ଲକର ମାଲପଡ଼ା ଯୋର ପୋଲ ନିର୍ମାଣର ୪ଟି ଟିଡିଆରର ୪୦ ଲକ୍ଷ ୮୦ ହଜାର ଟଙ୍କା ମଧ୍ୟରୁ ମାତ୍ର ଗୋଟିଏ ଟିଡିଆର ଠିକ୍‌ ଥିବା ବେଳେ ୩ଟି ଟିଡିଆରରେ ୩୯ଲକ୍ଷ ଟଙ୍କା ଠକେଇ ହୋଇଥିବା ବିଭାଗକୁ ସୂଚନା ଦେଇଛି। ସେହିଭଳି ୨୯ଟି ମିଥ୍ୟା ଟିଡିଆରରେ ୧ କୋଟି ୩ ଲକ୍ଷ ଟଙ୍କା ଠକେଇ ହୋଇଥିବା ବ୍ୟାଙ୍କ ଜଣାଇଛି। ଏ ପର୍ଯ୍ୟନ୍ତ କେବଳ ଭବାନୀପାଟଣା ପୂର୍ତ୍ତ ବିଭାଗ ଡିଭିଜନରେ ୧କୋଟି ୪୨ଲକ୍ଷ ଟଙ୍କାର ମିଥ୍ୟା ଟିଡିଆର ଦାଖଲ ହୋଇଥିବା ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲା ପୂର୍ତ୍ତ ବିଭାଗର ଖରିଆର ଡିଭିଜନରେ ୪୫ଟି ମିଥ୍ୟା ଟିଡିଆରରେ ୮କୋଟି ଟଙ୍କାର ଠକେଇ ହୋଇଥିବା ଭବାନୀପାଟଣା ଷ୍ଟେଟବ୍ୟାଙ୍କର ମୁଖ୍ୟଶାଖା ପକ୍ଷରୁ ଡିଭିଜନକୁ ଲିଖିତ ଭାବେ ବୁଧବାର ସୂଚନା ଦିଆଯାଇଛି। ଗୋଟିଏ ପରେ ଗୋଟିଏ ମିଥ୍ୟା ଟେଣ୍ଡରର ଗୁମର ଫିଟିବାରେ ଲାଗିଥିବା ବେଳେ ଏହାର ତାଲିକା ଲମ୍ବା ହେବାରେ ଲାଗିଛି। ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ପୂର୍ତ୍ତ ବିଭାଗରେ ଏଭଳି ଦୁର୍ନୀତି ପଦାକୁ ଆସୁଥିବାବେଳେ ଏ ଯାଏ କାର୍ଯ୍ୟାନୁଷ୍ଠାନ ନହେବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ନବରଙ୍ଗପୁର, ବରଗଡ଼ ଜିଲ୍ଲାରେ ବାପ ପୁଅ ମିସନରେ ଆହୁରି ବ୍ୟାପକ ଟିଡିଆର ଠକେଇ ହୋଇଥିବା ଅଭିଯୋଗ ହୋଇଛି। ବଣ୍ଟି ଅଗ୍ରୱାଲ ଘରେ ବ୍ୟାଙ୍କ ଭଳି ଟିଡିଆର ଛାପା ମେସିନ ରଖି ଏହି ର‍୍ୟାକେଟର୍‌ ଜାଲ ବିଛାଇଥିବା ସହରରେ ଚର୍ଚ୍ଚା ହେଉଛି। ବାପ, ପୁଅ ଓ ପରିବାର ଏବେ ଆତ୍ମଗୋପନ କରି ଆଇନ ଆଖିରୁ ଖସିଯିବା ପାଇଁ ଯୋଜନା କରୁଥିବା ସୂଚନା ମିଳିଛି। ଏହି ସମସ୍ତ ଠିକା ସଂସ୍ଥାର ସବୁଯାକ ଟିଡିଆର ଯାଞ୍ଚ କରାଗଲେ ଏହି ତାଲିକା ଆହୁରି ଲମ୍ବିବ ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ତୁରନ୍ତ କ୍ରାମବ୍ରାଞ୍ଚ ଦ୍ୱାରା ଏହାର ତଦନ୍ତ କରାଗଲେ ଆହୁରି ବହୁ ରହସ୍ୟ ଉନ୍ମୋଚିତ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ଏନେଇ ଭବାନୀପାଟଣା ପୂର୍ତ୍ତ ବିଭାଗ ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ ‘ଆମେ ମୁଖ୍ୟ ଯନ୍ତ୍ରୀଙ୍କୁ ଅବଗତ କରିଛୁ; ଆଇନ ବିଭାଗର ପରାମର୍ଶ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ’ ବୋଲି କହିଥିଲେ।

ସମ୍ବନ୍ଧିତ ଖବର