୧୨ ବର୍ଷ ପରେ ପୁଣି ଚର୍ଚ୍ଚା : ନୟାଗଡ଼ରେ କନ୍ୟା ଭ୍ରୂଣ ହତ୍ୟା, ଗର୍ଭପାତ କରାଉଥିବା କ୍ବାକ୍ ଗିରଫ

ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଓ ଏକ ଘରୋଇ କ୍ଲିନିକ୍‌ ସଂପୃକ୍ତ

ନୟାଗଡ଼ : କନ୍ୟା ଭ୍ରୂଣ ହତ୍ୟାକୁ ନେଇ ବଦନାମ ମୁଣ୍ଡାଇ ଥିବା ନୟାଗଡ଼ ଜିଲ୍ଲା ପୁଣି ଏଭଳି କାରବାର ନେଇ ଆଲୋଚନାର ଶରବ୍ୟ ହୋଇଛି। ଦୀର୍ଘ ଦିନ ହେବ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛ ପାର୍ଶ୍ବ ରାସ୍ତା କଡ଼‌ରେ ଥିବା ଏକ ପାଥୋଲାବ ତଥା ହାଡ଼ଭଙ୍ଗା ଚିକିତ୍ସା କେନ୍ଦ୍ରରେ ଏଭଳି କାରବାର ଚାଲିଥିବା ଘଟଣା ପଦାକୁ ଆସିଛି। ଗତକାଲି (ଶନିବାର) ବିଳମ୍ବିତ ରାତ୍ରିରେ ଏଠାରେ ବେଆଇନ ଗର୍ଭପାତ ଚାଲିଥିବା ଖବର ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ତ୍ତୃପକ୍ଷ ଓ ଟାଉନ ଥାନା ପୁଲିସ୍‌ ଚଢ଼ଉ କରିଥିଲେ। ସେଠାରେ ବେଆଇନ ଗର୍ଭପାତ କରିବାକୁ ଆସିଥିବା କଟକ ଜିଲ୍ଲା ନରସିଂହପୁର ଥାନା ଅଞ୍ଚଳର ପତ୍ନୀ ଓ ପତି (ସଂଘମିତ୍ରା ଓ ବିଶ୍ବନାଥ- ଛଦ୍ମନାମ)ଙ୍କୁ ପାଇଥିଲା। ନିଜକୁ ଡାକ୍ତର ବୋଲାଇ ଗର୍ଭପାତ କରାଉଥିବା କ୍ବାକ୍ ଶ୍ରୀଧର ପ୍ରଧାନକୁ ପୁଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଛି। ସେଠାରେ ଉପସ୍ଥିତ ଥିବା ଶ୍ରୀଧରର ସହଯୋଗୀ କୁହାଯାଉଥିବା ଜଣେ ପାଥୋଲୋଜି ଛାତ୍ରକୁ ପୁଲିସ୍‌ ପଚରାଉଚରା କରି ‌ଛାଡ଼ିଦେଇଛି। ଏଭଳି ବେଆଇନ ଗର୍ଭପାତ ପଛରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କେତେକ ଡାକ୍ତରଙ୍କ ସହିତ ନୟାଗଡ଼ର ଏକ ପ୍ରମୁଖ କ୍ଲିନିକ୍‌ର ହାତ ଥିବା ଆଲୋଚନା ହେଉଛି।

ଗତକାଲି ବେଆଇନ ଗର୍ଭପାତ କରାଯାଉଥିବା ଉକ୍ତ ହାଡ଼ଭଙ୍ଗା ଚିକିତ୍ସା କେନ୍ଦ୍ରରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୁରେଶ ଚନ୍ଦ୍ର ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏଲ୍‌ଏଆଇ୍‌ଏସ୍‌ର ସହକାରୀ ମ୍ୟାନେଜର ଜୟକୃଷ୍ଣ ସାହୁ, ନୟାଗଡ଼ ତହସିଲଦାର ମନୋରଞ୍ଜନ ସାହୁ, ଟାଉନ ଥାନା ଆଇଆଇସି ଜୟଦୀପ ମହାନ୍ତି ପ୍ରମୁଖ ଚଢ଼ଉ କରିଥିଲେ। ସେଠାରୁ ଗର୍ଭପାତ ନିମନ୍ତେ ବ୍ୟବହୃତ ଟାବଲେଟ୍, ଅବ୍ୟହୃତ ଗ୍ଲୋବସ୍, ସିରିଞ୍ଜ୍ ଆଦି ଉଦ୍ଧାର କରିଥିଲେ। ଗର୍ଭପାତ କରାଇବାକୁ ଆସିଥିବା ମହିଳା ସଂଘମିତ୍ରା (ଛଦ୍ମନାମ)ଙ୍କ କହିବା ଅନୁଯାୟୀ, ସେ କଟକର ଏକ ଅଲଟ୍ରା ସାଉଣ୍ଡ୍ କେନ୍ଦ୍ରରେ ଭ୍ରୂଣ ପରୀକ୍ଷା କରାଇଥିଲେ ଏବଂ ତାଙ୍କ ପେଟରେ ତିନି ମାସର କନ୍ୟା ସନ୍ତାନ ଥିବା ଜାଣିବାକୁ ପା‌ଇଥିଲେ। ତାଙ୍କର ପୂର୍ବରୁ ଦୁଇଟି ଝିଅ ଥିବାରୁ ସେ ଏହାକୁ ନଷ୍ଟ କରିବାକୁ ଚାହିଥିଲେ। କଟକର ଏକ କ୍ଲିନିକ୍‌ର ଝୁନା ନାମକ ଜଣେ ମହିଳା ତାଙ୍କୁ ପରାମର୍ଶ ଦେଇଥିଲେ, ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଡାକ୍ତରଙ୍କୁ ଭେଟିବାକୁ। ଏହା ପରେ ସଂଘମିତ୍ରା ଓ ତାଙ୍କ ସ୍ବାମୀ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶନିବାର ଦିନ ରାତିରେ ଆସି ପହଞ୍ଚିଥିବା ବେଳେ, ସେଠାରୁ ଶ୍ରୀଧର ଆସି ସେମାନଙ୍କୁ ନିଜର ହାଡ଼ ଭଙ୍ଗା ଚିକିତ୍ସା କେନ୍ଦ୍ରକୁ ନେଇ ଗର୍ଭପାତ ପ୍ରକ୍ରିୟା ଆରମ୍ଭ କରାଇଥିଲା। ମହିଳା ଜଣଙ୍କୁ ଇଞ୍ଜେକସନ ଓ କିଛି ବଟିକା ମଧ୍ୟ ‌ଦେଇଥିଲା। ହେଲେ ହଠାତ ପୁଲିସ୍‌ ପହଞ୍ଚି ଯିବାରୁ ସଭିଏଁ ହଡ଼ବଡ଼େଇ ଯାଇଥିଲେ। ପ୍ରଥମେ ଶ୍ରୀଧର ଗର୍ଭପାତ ଉଦ୍ୟମ କରିଥିବା କଥା ମାନିନଥିବା ବେଳେ ପରବର୍ତ୍ତୀ ସମୟରେ ମାନି ଯାଇଥିଲା।

ଟାଉନ୍‌ ଥାନା ଆଇଆଇସି ଶ୍ରୀ ମହାନ୍ତିଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀଧର ନୟାଗଡ଼ର ଏକ ପ୍ରମୁଖ କ୍ଲିନିକ୍‌ରେ ଆଟେଣ୍ଟାଣ୍ଟ୍‌ ଭାବେ କାମ କରୁଥିବା ବେ‌‌ଳେ ନି‌ଜେ ମଧ୍ୟ ଏକ ବେଆଇନ ଓ ଅଣପଞ୍ଜିକୃତ ପାଥୋଲାବ ଚଳାଇଛି। ଶ୍ରୀଧରର ଘର ସ୍ଥାନୀୟ ଇଟାମାଟି ଥାନା ଅଧୀନ ସରପଡ଼ାରେ ବୋଲି ଜଣାପଡ଼ିଛି। ଉକ୍ତ ମହିଳାଙ୍କ ଗର୍ଭପାତ ନିମନ୍ତେ ତ୍ରୁଟିପୂର୍ଣ୍ଣ ଚିକିତ୍ସା କରାଯାଇଥିବାରୁ ତାଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ଆଶଙ୍କା କରି ଗତକାଲି ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଗର୍ଭପାତ କରାଯାଇଥିବା ସୂଚନା ମିଳିଛି। ଶ୍ରୀଧରଙ୍କ ସହିତ ଏହି ଘଟଣାରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ସେ ନେଇ ପୁଲିସ ଅନୁସନ୍ଧାନ ଚଳାଇଛି। ନୟାଗଡ଼ ଟାଉନ୍‌ଠାରୁ ଆରମ୍ଭ କରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବେଆଇନ ଭାବେ ଶହ ଶହ କ୍ଲିନିକ୍‌, ଘରୋଇ ଚିକିତ୍ସାଳୟ ଓ ପାଥୋଲାବ ଚାଲିଛି। ଯେଉଁଠାରେ କନ୍ୟା ଭ୍ରୁଣ ହତ୍ୟା ଏକ ନିତିତିନିଆ କାରବାର ବୋଲି ଖୋଦ୍ ସ୍ବାସ୍ଥ୍ୟ ବିଭାଗର ଜଣେ କର୍ମଚାରୀ କହିଛନ୍ତି। ସରକାରୀ ଡାକ୍ତରମାନେ ଏଥିରେ ପ୍ରମୁଖ ଭୂମିକା ନିଭାଉଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କମ୍ ସମୟ ଦେଉଥିବା ‌ବେଳେ, ଏଭଳି କ୍ଲିନିକ୍‌ ସବୁରେ ଅଧିକ ସମୟ ବିତାଉଛନ୍ତି।

ଏସବୁ କାର୍ଯ୍ୟରେ ତଳିଆ କର୍ମଚାରୀମାନେ ଦଲାଲ୍‌ ସାଜିଛନ୍ତି। ନୟାଗଡ଼ର ବିଭିନ୍ନ ନାମଦାମୀ ସରକାରୀ ଡାକ୍ତର କନ୍ୟା ଭ୍ରୁଣ ହତ୍ୟା ଭଳି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗ ଆସିଛି। କିନ୍ତୁ ଅତ୍ୟନ୍ତ ଚତୁରତାର ସହ ଏମାନେ ଘଟଣାସ୍ଥଳରୁ ଖସିଯାଉଥିବା ବେ‌ଳେ ତଳିଆ କର୍ମଚାରୀ ଫସୁଛନ୍ତି। କୌଣସି ଘରୋଇ କ୍ଲିନିକରେ ପିଅନ, ଡ୍ରାଇଭର ତଥା ଅନ୍ୟ କୌଣିସ ତଳିଆ କର୍ମଚାରୀ ଗ୍ରାହକ ଠିକ୍‌ କରିବାର ଦାୟିତ୍ବ ନେଇ ଧରାପଡ଼ୁଛନ୍ତି। କିନ୍ତୁ ଡାକ୍ତର ଝାଡ଼ିଝୁଡ଼ି ହୋଇ ସଫା ‌ହୋଇଯାଉଛନ୍ତି। ୨୦୦୭ ମସିହାରେ କନ୍ୟାଭ୍ରୁଣ ହତ୍ୟା ପାଇଁ ନୟାଗଡ଼ ଜିଲ୍ଲା ସାରା ରାଜ୍ୟରେ ନିନ୍ଦିତ ହୋଇଥିଲା, କିନ୍ତୁ ଏବେ ମଧ୍ୟ ଏହି ଘଟଣାରେ ରୋକ୍‌ ଲାଗିପାରି ନଥିବାରୁ ବୁଦ୍ଧିଜୀବୀ ମହଲ ଅସନ୍ତୋଷ ବ୍ୟକ୍ତ କରିଛି।

ସମ୍ବନ୍ଧିତ ଖବର