ଭୁବନେଶ୍ବର : ଥରେ କି ଦୁଇଥର ନୁହେଁ। ବାରମ୍ବାର ଭାଇରାଲ ହୋଇଚାଲିଛି ପ୍ରଶ୍ନପତ୍ର। ବର୍ଷକ ମଧ୍ୟରେ ୭ଥର ଭାଇରାଲ ହେଲାଣି ପ୍ରଶ୍ନପତ୍ର। ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ବଜାରରେ ମିଳୁଛି ପ୍ରଶ୍ନପତ୍ରର ନକଲ। ଉତ୍ତର ବି ଉପଲବ୍ଧ ହେଉଛି। ୨୦୧୮ରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ସମୟରେ ବି ୬ଟି ଯାକ ବିଷୟର ପ୍ରଶ୍ନପତ୍ର ସମାନ ଢଙ୍ଗରେ ଭାଇରାଲ୍ ହୋଇଥିଲା। ଆଉ ଏବେ ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ(ଓଟିଇଟି) ପରୀକ୍ଷା ପୂର୍ବରୁ ବଜାରରେ ପ୍ରଶ୍ନପତ୍ର ବୁଲିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପାରିବାପଣିଆ ନେଇ ପ୍ରଶ୍ନବାଚ୍ଚୀ ସୃଷ୍ଟି କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
୨୦୧୮ ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ ହେବା ସମୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ରୋକଠୋକ୍ ଫାଙ୍କି ଦେଇଥିଲେ। ପରୀକ୍ଷା ଆରମ୍ଭ ହେବା ପରେ ପ୍ରଶ୍ନପତ୍ର ଭାଇରାଲ୍ ହେଉଛି କହି ଗଣମାଧ୍ୟମ ଉପରେ ଦୋଷ ଲଦି ଖସି ଯିବାକୁ ଉଦ୍ୟମ କରିଥିଲେ। ଏଥର କିନ୍ତୁ ଆଉ ଖସିଯିବା ଭଳି ସ୍ଥିତି ନାହିଁ। ସିଧାସଳଖ ଧରାପଡ଼ିଛି ପ୍ରଶ୍ନପତ୍ର ଲିକ୍। ପୂର୍ବାହ୍ନ ୧୦ଟାରେ ପରୀକ୍ଷା ଥିବା ବେଳେ ସକାଳ ସାଢ଼େ ୮ଟାରୁ ମୋବାଇଲ୍ରୁ ମୋବାଇଲ୍କୁ ଡେଇଁ ଚାଲିଥିଲା ପ୍ରଶ୍ନପତ୍ର। ଯେଉଁ ପ୍ରଶ୍ନପତ୍ର ଭାଇରାଲ୍ ହୋଇଛି ସେଥିରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି ଯେ କୌଣସି ପରୀକ୍ଷା କେନ୍ଦ୍ରରୁ କିମ୍ବା ପରୀକ୍ଷକ ମୋବାଇଲ୍ରେ ପ୍ରଶ୍ନପତ୍ରର ଫଟୋ ଉଠାଇ ବାହାରକୁ ଛାଡ଼ି ନାହାନ୍ତି। ବରଂ ପ୍ରଶ୍ନପତ୍ରକୁ ସ୍କାନ୍ କରାଯାଇ ସୋସିଆଲ୍ ମିଡିଆରେ ଛଡ଼ାଯାଇଛି। ଏଥିରୁ ଜଣାପଡ଼ୁଛି ଯେ ପରୀକ୍ଷାର ବହୁ ଆଗରୁ ପ୍ରଶ୍ନପତ୍ର ଲିକ୍ କରାଯାଇଛି। ଚର୍ଚ୍ଚା ହେଉଛି ଯେ ଗତକାଲି ରାତିଠାରୁ କେନ୍ଦୁଝର ଓ ପୁରୀ ଜିଲ୍ଲାର କେତେକ ଅଞ୍ଚଳରେ ଏହି ପ୍ରଶ୍ନପତ୍ର ଲିକ୍ ହୋଇଥିଲା।
ଶିକ୍ଷାବିତ୍ ପ୍ରୀତିଶ୍ ଆଚାର୍ଯ୍ୟଙ୍କ କହିବାନୁଯାୟୀ ଅତୀତରେ ବହୁଥର ପ୍ରଶ୍ନପତ୍ର ଲିକ୍ ହୋଇଛି। ତଦନ୍ତ ଲାଗି କମିଟି ଗଠନ ହୋଇଛି। କ୍ରାଇମ୍ ବ୍ରାଞ୍ଚକୁ ଦାୟିତ୍ବ ଦିଆଯାଇଛି। କିନ୍ତୁ କାର୍ଯ୍ୟାନୁଷ୍ଠାନ ଶୂନ। ଯେଉଁଥିପାଇଁ ବାରମ୍ବାର ଏଭଳି ଘଟଣା କରିବାକୁ ଲୋକେ ସାହସ କରୁଛନ୍ତି। ୨୦୧୮ରେ ଓଟିଇଟି ପରୀକ୍ଷା ହୋଇ ନ ଥିଲା। ବହୁ କଷ୍ଟରେ ଏଥର ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ ପରୀକ୍ଷାର୍ଥୀ। ହେଲେ ପ୍ରଶ୍ନପତ୍ର ଲିକ୍ ପରେ ଆଗକୁ କେବେ ପରୀକ୍ଷା ହେବ ତାହା ଜଣାନାହିଁ।
ଶିକ୍ଷାବିତ୍ ପ୍ରଫେସର ବାସୁଦେବ ଛାଟୋଇଙ୍କ କହିବାନୁଯାୟୀ ବ୍ୟବସ୍ଥାରେ ତ୍ରୁଟି ରହୁଛି। ତେଣୁ ଏଭଳି ସମସ୍ୟା ସୃଷ୍ଟି ହେଉଛି। ପିଲାଙ୍କ ବହୁ ଦିନର ପରିଶ୍ରମ ଏବେ ବୃଥା ଯାଇଛି। ଶିକ୍ଷକ ସମାଜରେ ଅନେକ ଭଲ ଲୋକ ରହିଛନ୍ତି। ହେଲେ ସେଥିରେ କେତେଜଣ ଲୋକ ରହିଛନ୍ତି ଯେଉଁମାନେ ଶିକ୍ଷକ ହେବା ପାଇଁ ଯୋଗ୍ୟ ନୁହନ୍ତି। କପି କରି ପାସ୍ କରିବାକୁ ଚାହୁଁଛନ୍ତି। ସେମାନେ ଶିକ୍ଷକ ସମାଜ ପାଇଁ କଳଙ୍କ।