ଆରମ୍ଭରୁ ଝୁଣ୍ଟିଲେ : ବଦଳିଲା ଧାଡ଼ି ଦର୍ଶନ ବ୍ୟବସ୍ଥା

ସପ୍ତାହକୁ ହେବ ଥରେ, ଆଜିଠୁ ପରୀକ୍ଷାମୂଳକ ଆରମ୍ଭ

ପୁରୀ : ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପରିପ୍ରେକ୍ଷୀରେ ଆସନ୍ତାକାଲିଠାରୁ ଶ୍ରୀମନ୍ଦିରରେ ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ। ତେବେ ଏହା ସବୁଦିନିଆ ହେବନାହିଁ, ସପ୍ତାହକୁ ଗୋଟିଏ ଦିନ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି। ଧାଡ଼ି ବ୍ୟବସ୍ଥାକୁ ନେଇ ସନ୍ଦିହାନ ଥିବା ମନ୍ଦିର ପ୍ରଶାସନ ନିଜ ନିଷ୍ପତ୍ତିରେ ଝୁଣ୍ଟିଥିବା ବେଳେ ହଠାତ୍‌ ଏ ବାବଦରେ କୌଣସି ରିସ୍କ ନେବାକୁ ଚାହୁ ନାହାନ୍ତି ବୋଲି କୁହାଯାଉଛି। ଏହାଛଡ଼ା ଆଗକୁ ରହିଛି ପବିତ୍ର କାର୍ତ୍ତିକ ମାସ। ଓଡ଼ିଆଙ୍କର ଏହା ଧର୍ମ ମାସ ହୋଇଥିବା ବେଳେ ମାସବ୍ୟାପୀ ଶ୍ରୀମନ୍ଦିରରେ ପ୍ରବଳ ଗହଳି ହୋଇଥାଏ। ସୁତରାଂ ଏହି ବ୍ୟବସ୍ଥାର ଭଲମନ୍ଦ ଦିଗ ଆଗ ପରଖାଯିବ ଏବଂ କାର୍ତ୍ତିକ ମାସ ପରେ ଏହାକୁ ସବୁଦିନିଆ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ଧାଡ଼ି ଦର୍ଶନ ବ୍ୟବସ୍ଥାରେ ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ କରିବେ ଏବଂ ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରି‌ବେ। ସେବକମାନଙ୍କ ପାଇଁ ‌କୌଣସି କଟକଣା ରହିବ ନାହିଁ। ସେମ‌ାନେ ୪ ଦ୍ୱାର ଦେଇ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ଧାଡି ଦର୍ଶନ ବ୍ୟବସ୍ଥାରେ କିଛି ତ୍ରୁଟି ପରିଲକ୍ଷିତ ହେଲେ ଏହାକୁ ପରବର୍ତ୍ତୀ ସମୟରେ ‌ସୁଧାର ଅଣାଯିବ। ଆସନ୍ତାକାଲି ଧାଡି ଦର୍ଶନ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ପୁରୀ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ ଓ ଏସ୍‌ପି ଡାକ୍ତର ସାର୍ଥକ ଷଡଙ୍ଗୀ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଧାଡି ଦର୍ଶନ ପାଇଁ ରେଲିଂ ଓ ସେଡ୍ ନିର୍ମାଣ କରାଯାଇଛି। ଆଖପାଖରେ ଥିବା କିଛି ଉଠାଦୋକାନୀଙ୍କୁ ସ୍ଥାନାନ୍ତର କରାଯାଇଛି।

ପ୍ରକାଶଥାଉକି, ଶ୍ରୀମନ୍ଦିର ସଂସ୍କାର ପାଇଁ ସୁପ୍ରିମକୋର୍ଟ ୧୨ଟି ଅନ୍ତରୀଣ ଆଦେଶ ଦେଇଥିଲେ। ସେହି ଆଦେଶକୁ କାର୍ଯ୍ୟକାରୀ କରି ମନ୍ଦିର ପ୍ରଶାସନ ଧାଡି ଦର୍ଶନ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି। ତେବେ ଧାଡି ଦର୍ଶନକୁ ନେଇ ବିବାଦ ଭୟ ଥିବାରୁ ମନ୍ଦିର ପ୍ରଶାସନ ନିଷ୍ପତ୍ତିରେ ପରିବର୍ତ୍ତନ କରିଥିବ‌ା କୁହାଯାଉଛି। ପ୍ରଶାସନ ଆରମ୍ଭରୁ ଝୁଣ୍ଟି ପଡିଥିବାରୁ ଆଗାମୀ ଦିନରେ ଦାନଦକ୍ଷିଣା ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରାଯିବା ନେଇ ଆଶଙ୍କା ଉପୁଜିଛି।

ସମ୍ବନ୍ଧିତ ଖବର