କ୍ଷମତା, ସଂପତ୍ତି ମୋହ ଛାଡ଼

ପୁରୀ: ଦଳୀୟ ନେତାଙ୍କ ଆଚରଣ ଓ ଉଚ୍ଚାରଣ ଏମିତିସ୍ତରରେ ପହଞ୍ଚିଛି ଯେ ଖୋଦ୍‌ ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଆଜି ଶେଷରେ ବୁଲେଇ ବଙ୍କେଇ ନିଜର ଆଶଙ୍କା ଓ ଅସନ୍ତୋଷକୁ ସମସ୍ତଙ୍କ ସାମ୍ନାରେ ରଖିଛନ୍ତି। ପୁରୀ ତାଳବଣିଆ ଠାରେ ଦଳର ୨୦ତମ ପ୍ରତିଷ୍ଠା ଦିବସରେ ପଞ୍ଚମ ଥର କ୍ଷମତା ଦଖଲ ଲକ୍ଷ୍ୟରେ ଆଜି ସେ ଶ୍ରୀକ୍ଷତ୍ର ପୁରୀରୁ ଶଙ୍ଖ ଫୁଙ୍କିବା ସହିତ ଏସବୁରେ ପରିବର୍ତ୍ତନ ଆଣିବା ଲାଗି ସମସ୍ତଙ୍କୁ ସତର୍କ କରାଇ ଦେଇଛନ୍ତି। ସିଧା ସିଧା କହିଛନ୍ତି, ସେବା ଓ କ୍ଷମତା ମଧ୍ୟରୁ ସେବା ହିଁ ଗୁରୁତ୍ୱପୂର୍ଣ୍ଣ। କ୍ଷମତାର ଅହଂ ଛାଡି ଲୋକଙ୍କ ସହିତ ଯୋଡିହେବାକୁ ହେଲେ ସେବାକୁ ପାଥେୟ କରିବାକୁ ପଡିବ। ଏଣୁ ବିଜେଡି ନେତା ଲୋକଙ୍କ ସେବା କରନ୍ତୁ ଓ ହୃଦୟ ଜିତନ୍ତୁ। କେବଳ ସେତିକି ନୁହେଁ, ପୂର୍ବତନ ରାଷ୍ଟ୍ରପତି ଡ. ଅବଦୁଲ କଲାମଙ୍କ ବାଣୀ ଓ ଗାନ୍ଧୀ ଦର୍ଶନ ସଂପର୍କରେ ସୂଚାଇ ମୁଖ୍ୟମନ୍ତ୍ରୀ ଏକଥା ବି କହିଛନ୍ତି, ଲୋକଙ୍କ ଭଲ ପାଇବା ପାଖରେ କ୍ଷମତା, ସମ୍ମାନ ଓ ସଂପତ୍ତିର କିଛି ବି ମୂଲ୍ୟ ନାହିଁ। ଲୋକଙ୍କ ଭଲ ପାଇବା ଗାନ୍ଧୀଜୀଙ୍କୁ ଅମର କରିଛି, କୋଟି କୋଟି ଓଡ଼ିଆଙ୍କ ଭଲ ପାଇବା ବିଜୁ ବାବୁଙ୍କୁ ମହାନ କରିଛି। ଏଣୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଧାମରେ ବିଜେଡି ନେତା ସଂକଳ୍ପ ନିଅନ୍ତୁ, ସରଳ ଜୀବନଯାପନ କରିବେ ଓ ଲୋକଙ୍କ ସେବା କରିବା ସହିତ ଭଲ ପାଇବା ହାସଲ କରିବେ।

ଉଲ୍ଲେଖନୀୟ କଥା ହେଲା, ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନରେ କୌଣସି ରାଜନୈତିକ ବିଷୟ ଉଲ୍ଲେଖ ନଥିଲା। କାହାରି ଆଲୋଚନା ଓ ସମାଲୋଚନା କରିନଥିଲେ। ବରଂ ପରିବାରର ମୁଖିଆ ଭାବେ ଭଳି ଦଳୀୟ ନେତାଙ୍କ ଭିତରେ ପରିବର୍ତ୍ତନ ଲାଗି ଢେର୍‌ ଉଦ୍ୟମ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏଭଳି କୌଶଳକୁ ରାଜନୈତିକ ମହଲ ଅତ୍ୟନ୍ତ ଗୁରୁତ୍ୱ ଦେଇଛନ୍ତି। ଆସନ୍ତା ନିର୍ବାଚନ ଅହଂକାର ଓ ନମ୍ରତାକୁ ନେଇ ହେବ। ଏଣୁ ନବୀନ ଏହାକୁ ଦୃଷ୍ଟିରେ ରଖି ନମ୍ର ହେବା ପାଇଁ ଆଗତୁରା ସଙ୍କେତ ଦେଇଛନ୍ତି। ପ୍ରତିଷ୍ଠା ଦିବସକୁ ଆଳ କରି ଆଜି ପୁରୀରେ ବିଜେଡି ନିଜର ଶକ୍ତି ପ୍ରଦର୍ଶନ କରିଥିଲା। ଭୁବନେଶ୍ୱରରୁ ପୁରୀ ଯାଏ ବିଜେଡି ତାର ଉପସ୍ଥିତି ଜାହିର କରିବା ସହିତ ପଞ୍ଚାୟତ ନିର୍ବାଚନ ବିପର୍ଯ୍ୟୟରୁ ଦଳ ଉତୁରି ଆସିଲାଣି, ଏକଥା ଜଣାଇବାକୁ ନେତାମାନେ ଉଦ୍ୟମ କରିଥିଲେ। ହୋଡିଂ, ପତାକା, ତୋରଣରେ ଛାଇଯାଇଥିଲା ସମୁଦାୟ ଅଞ୍ଚଳ। ଭ୍ରମ ସୃଷ୍ଟି ହେଉଥିଲା, ଯେମିତି ନିର୍ବାଚନ ପାଖେଇ ଆସିଲାଣି। ଆଜି ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀଜଗନ୍ନାଥ ମନ୍ଦିର ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ ଓ ବିଜୁ ବାବୁଙ୍କର ମଧ୍ୟ। ପରେ କ୍ୟାବିନେଟ୍‌ରେ ଯୋଗଦେଇ ସିଧା ଯାଇଥିଲେ ସଭାସ୍ଥଳକୁ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ବିଜୁ ପରିବାର ଆଜି ଏଠାରେ ଏକାଠି ହୋଇଛି। ଏଣୁ ରାଜନୀତି ନୁହେଁ, ପରିବାରକୁ ନିଜ ହୃଦୟର କଥା କହିବେ। ନବୀନ କହିଥିଲେ, ବିଜେଡି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି। ମହାପ୍ରଭୁଙ୍କ ଆଶୀର୍ବାଦ, ଓଡ଼ିଶାବାସୀଙ୍କ ସହଯୋଗ ଓ ଆଦର ଏବଂ ଦଳର ଲକ୍ଷ ଲକ୍ଷ କର୍ମୀମାନଙ୍କର ପରିଶ୍ରମ ଯୋଗୁ ବିଜେଡି ସେବା କରିଚାଲିଛି। ଏହି ସୁଯୋଗ ପାଇଁ ସେ ଓଡ଼ିଶାବାସୀଙ୍କ ନିକଟରେ ଋଣୀ।ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ ଏବଂ ବିଜୁବାବୁଙ୍କୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାବାସୀ ଆମକୁ ବହୁତ କିଛି ଦେଇଛନ୍ତି। ଏ ଭଲ ପାଇବା ଅମୂଲ୍ୟ। ତା’ର ପ୍ରତିଦାନ ଦେବା ପାଇଁ ଏବେ ସମସ୍ତେ ଆଗେଇ ଆସିବା ଉଚିତ୍‌। ଆମେ ଏଭଳି କାମ କରିବା, ଯାହାଦ୍ୱାରା ଆମର ପିଲାମାନେ ଆମକୁ ନେଇ ଗର୍ବ କରିବେ। ସାଧାରଣ ଜୀବନରେ ସରଳତା ସବୁଠାରୁ ବଡ଼ କଥା ବୋଲି ସୂଚାଇ ନବୀନ କହିଥିଲେ, ଏହା ହିଁ ସେବା ପାଇଁ ପ୍ରେରଣା ଦେଇଥାଏ। ତେଣୁ ସେ ଚାହାନ୍ତି, ‘ସରଳ ଜୀବନ ଓ ଉଚ୍ଚ ଚିନ୍ତାଧାରା’ ସମସ୍ତଙ୍କ ଲକ୍ଷ୍ୟ ହେଉ। ସରଳତାର ନିଜସ୍ୱ ଶକ୍ତି ରହିଛି, ଯାହା ଜଣକୁ ଗଣ ସହିତ ଯୋଡ଼ିଥାଏ। ଡ. କାଲାମ କହିଥିଲେ, ସତ୍ୟ ଓ ସରଳତାକୁ ନିଜ ହୃଦୟରେ ବାରମ୍ବାର ଗ୍ରହଣ କରିବା ପାଇଁ ଅର୍ଥ ଖର୍ଚ୍ଚ କରିବା ଆବଶ୍ୟକତା ନଥାଏ। ତେଣୁ ବିଜେଡି ନେତା ଓ କର୍ମୀ ସରଳ ରୁହନ୍ତୁ। ଲୋକଙ୍କ ସୁଖଦୁଃଖରେ ସହାନୁଭୂତିପୂର୍ଣ୍ଣ ଦୃଷ୍ଟିକୋଣ ନେଇ ସାହାଯ୍ୟ କରନ୍ତୁ। ଲୋକଙ୍କ ଭରସାକୁ ସମ୍ମାନ ଦିଅନ୍ତୁ। ଜନତା ହେଉଛନ୍ତି, ଆମର ବିଚାରକ। ଏଣୁ ସେମାନଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରନ୍ତୁ।

ନବୀନ କହିଥିଲେ, ସତ୍ୟବାଦୀର ଇତିହାସ କହେ- ଭୌଗୋଳିକ ସୁଖ ତ୍ୟାଗ କର। ସମୃଦ୍ଧି ପଥରେ ଜାତିକୁ ଆଗେଇ ନିଅ। ସାଂସଦ, ବିଧାୟକ ଏବଂ ସରପଞ୍ଚମାନେ ଭଲ କାମ କରିଥିବା ଖବର ତାଙ୍କୁ ସବୁଠାରୁ ଅଧିକ ଖୁସି ଦେଇଥାଏ। ଲୋକଙ୍କ ଭଲ ପାଇବା ହିଁ ମୋ ପାଇଁ ସବୁଠାରୁ ବଡ଼ ପୁରସ୍କାର। ଲୋକଙ୍କ ଭଲ ପାଇବା ହାସଲ କରିବା ଦରକାର। ନିଜ ସଂପର୍କରେ ମତ ରଖି ବିଜେଡି ମୁଖିଆ କହିଥିଲେ, ଓଡ଼ିଶାର ଭାଇଭଉଣୀମାନଙ୍କର ଭଲ ପାଇବା ତାଙ୍କୁ ଶକ୍ତି ଦେଇଛି। ଆତ୍ମ ବିଶ୍ୱାସ ବଢ଼ାଇଛି। ଜଣେ ଓଡ଼ିଆ ଭାବରେ ସେ ଗର୍ବିତ। ଓଡ଼ିଶାବାସୀ ତାଙ୍କର ପରିବାର ଏବଂଓଡ଼ିଶାବାସୀଙ୍କ ସେବାରେ ସେ ସବୁବେଳେ ସମର୍ପିତ। ଏହି ଅବସରରେ ସେ ମା’, ମାଟି ଓ ମଣିଷର ସ୍ୱାଭିମାନ ପାଇଁ କାମ କରିବା ପାଇଁ ଦଳୀୟ ନେତାଙ୍କୁ ଆହ୍ଵାନ ଦେବା ସହିତ ଓଡ଼ିଶାର ଛବିକୁ ଆହୁରି ଉଜ୍ଜ୍ୱଳ କରିବା ଲାଗି ଉଦ୍ୟମ କରିବାକୁ ସଂକଳ୍ପ ନେବାକୁ ପ୍ରବର୍ତାଇଥିଲେ। ଦଳର ଉପସଭାପତି ସାଂସଦ ଅନଙ୍ଗ ଉଦୟ ସିଂହଦେଓ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ବେଦପ୍ରକାଶ ଅଗ୍ରୱାଲ, ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ମହେଶ୍ୱର ମହାନ୍ତି, ପ୍ରଦୀପ ମହାରଥୀ, ବିଧାୟକ ଅରୁଣ ସାହୁ, ପ୍ରମିଳା ମଲ୍ଲିକ, ସାଂସଦ ପିନାକୀ ମିଶ୍ର, ର୍ଭୃହରି ମହତାବ, ତଥାଗତ ଶତପଥୀ ପ୍ରମୁଖ ଉଦବୋଧନ ଦେଇଥିଲେ। ସାଂସଦ ପ୍ରତାପ କେଶରୀ ଦେବ ପ୍ରତିଷ୍ଠା ଦିବସର ସଂକଳ୍ପ ପତ୍ର ଆଗତ କରିଥିଲେ।

ସମ୍ବନ୍ଧିତ ଖବର