ରବି ଋତୁ ସହିତ ଧାନ ସଂଗ୍ରହ ବର୍ଷ ସରିଲା : ୫୦ ଲକ୍ଷ ଟନ୍‌ ତଳକୁ ଖସିଲା ଧାନ ସଂଗ୍ରହ

ଭୁବନେଶ୍ୱର : ଜୁନ୍‌ ୩୦ ତାରିଖରେ ସରିଛି ରବି ଋତୁ ପାଇଁ ଧାନ ସଂଗ୍ରହ କାର୍ଯ୍ୟକ୍ରମ। ଗତବର୍ଷର ରବି ଋତୁ ତୁଳନାରେ ଏଥର ପ୍ରାୟ ୪ ପ୍ରତିଶତ ଅଧିକ ଧାନ ସଂଗ୍ରହ ହୋଇଛି। କିନ୍ତୁ ୨୦୧୭-୧୮ ଖରିଫ ଋତୁରେ ଏକାଦିକ୍ରମେ ମରୁଡ଼ି, ରୋଗପୋକ ଆକ୍ରମଣ ଓ ଅଦିନିଆ ବର୍ଷା ଯୋଗୁଁ ଧାନ ସଂଗ୍ରହ ଖସିଯାଇଥିଲା। ଫଳରେ ଉଭୟ ଖରିଫ ଓ ରବି ଋତୁକୁ ନେଇ ହୋଇଥିବା ଧାନ ସଂଗ୍ରହ ବର୍ଷରେ ଧାନ ସଂଗ୍ରହ ହ୍ରାସ ପାଇଛି। ଏଥର ୫୦ ଲକ୍ଷ ମେଟ୍ରିକ ଟନ୍‌ ବି ଛୁଇଁପାରିଲାନି ଧାନ ସଂଗ୍ରହ।

ଖାଦ୍ୟ ଯୋଗାଣ ବିଭାଗ ସୂଚନାନୁସାରେ ଚଳିତ ରବି ଋତୁରେ ୧୯ଟି ଜିଲ୍ଲାରେ ଧାନ ସଂଗ୍ରହ ହୋଇଥିଲା। ଏଥିରେ ୪୪୩ଟି ପ୍ରାଥମିକ କୃଷି ସମବାୟ ସମିତି(ପାକ୍‌ସ) ଭାଗ ନେଇଥିଲେ। ୫୩୭ଟି ମଣ୍ଡି ଖୋଲାଯାଇଥିଲା। ଏଥିରେ ୧ ଲକ୍ଷ ୧୧୩୦୮ଜଣ ଚାଷୀ ଭାଗ ନେଇଥିଲେ। ରବି ଋତୁ ଶେଷରେ ମୋଟ ୧୦.୮୪ ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗୃହୀତ ହୋଇଛି। ଏଥିରୁ ପ୍ରାୟ ୭.୩୭ ଲକ୍ଷ ଟନ୍‌ ଚାଉଳ ବାହାରିବ। ଚାଷୀମାନଙ୍କୁ ଧାନର ମୂଲ୍ୟ ବାବଦରେ ୧୬୮୧ କୋଟି ପୈଠ କରାଯାଇଛି। ଗତବର୍ଷ ରବିରେ ୧୦.୪୨ ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ହୋଇଥିଲା। ଏଣୁ ବିଗତ ବର୍ଷ ତୁଳନାରେ ଏଥର ପ୍ରାୟ ୪ ପ୍ରତିଶତ ଧାନ ଆଦାୟ ବୃଦ୍ଧି ପାଇଛି। ବରଗଡ଼ ଜିଲ୍ଲାରେ ସର୍ବାଧିକ ୪.୮୦ ଲକ୍ଷ ଟନ୍‌ ଧାନ ସଂଗ୍ରହ ହୋଇଥିବା ବେଳେ ସୋନପୁର ଜିଲ୍ଲାରୁ ୧.୯୧ ଲକ୍ଷ ଟନ୍‌, ସମ୍ବଲପୁର ଜିଲ୍ଲାରୁ ୧.୨୮ ଲକ୍ଷ ଟନ୍‌, କଳାହାଣ୍ଡି ଜିଲ୍ଲାରୁ ୧.୨୨ ଲକ୍ଷ ଟନ୍‌ ଧାନ ସଂଗ୍ରହ କରିଛି ଖାଦ୍ୟ ଯୋଗାଣ ବିଭାଗ। ତେବେ ଉପକୂଳର କୌଣସି ଜିଲ୍ଲାରୁ ଧାନ ସଂଗ୍ରହ ହାର ୧ ଲକ୍ଷ ଟନ୍‌ ଟପିନାହିଁ।

ସୂଚନାଯୋଗ୍ୟ, ଗତ ଖରିଫ ଋତୁରେ ୩୮.୨୧ ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ହୋଇଥିଲା। ଏ ବାବଦରେ ପ୍ରାୟ ୬.୮୭ ଲକ୍ଷ ଚାଷୀଙ୍କୁ ୫୯୨୩ କୋଟି ଦିଆଯାଇଛି। ୨୦୧୬-୧୭ ଖରିଫ ଋତୁରେ ୪୩.୮୫ ଲକ୍ଷ ମେଟ୍ରିକ ଟନ୍‌ ଧାନ ଆଦାୟ ହୋଇଥିଲା। ସେହିବର୍ଷ ଉଭୟ ଖରିଫ ଓ ରବି ଋତୁକୁ ମିଶାଇଲେ, ୫୪.୨୭ ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ହୋଇଥିଲା। ଏହା ସର୍ବକାଳୀନ ରେକର୍ଡ ବୋଲି ବିବେଚନା କରାଯାଉଛି। ଅନ୍ୟପକ୍ଷରେ ଚଳିତ ଧାନ ସଂଗ୍ରହ ବର୍ଷ ଶେଷରେ ସଂଗ୍ରହ ହୋଇଛି ୪୯.୦୬ ଲକ୍ଷ ମେଟ୍ରିକ ଟନ୍‌ ଧାନ। ଏଥିରୁ ପ୍ରାୟ ୩୩.୨୭ ଲକ୍ଷ ଚାଉଳ ବାହାରିବ। ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଏବଂ ଅନ୍ୟାନ୍ୟ ଯୋଜନାରେ ରାଜ୍ୟର ଚାହିଦା ମୁତାବକ ଆବଶ୍ୟକ ପ୍ରାୟ ୨୨ ଲକ୍ଷ ଟନ୍‌ ଚାଉଳ। ବଳକା ଚାଉଳ ଭାରତୀୟ ଖାଦ୍ୟ ନିଗମ(ଏଫ୍‌ସିଆଇ) ଜରିଆରେ କେନ୍ଦ୍ରୀୟ ପୁଲ୍‌କୁ ପଠାଯିବ। ସେଗୁଡ଼ିକୁ ବିଭିନ୍ନ ରାଜ୍ୟଗୁଡ଼ିକୁ ଆବଣ୍ଟନ କରାଯିବାର ବ୍ୟବସ୍ଥା ରହିଛି।

ସମ୍ବନ୍ଧିତ ଖବର