ସ୍ପର୍ଶ କଟକଣା ଯୋଗୁ ଶୃଙ୍ଖଳିତ ହେଲା ରାଧାପାଦ ଦର୍ଶନ

୬ ଘଣ୍ଟାର ଦର୍ଶନକୁ ୪୫ ମିନିଟ୍‌ରେ ସାରିଲେ ଶ୍ରଦ୍ଧାଳୁ

ସାକ୍ଷୀଗୋପାଳ/ପୁରୀ : କାର୍ତ୍ତିକ ମାସ ପବିତ୍ର ଅଁଳା ନବମୀ ତିଥିରେ ସତ୍ୟବାଦୀସ୍ଥିତ ସାକ୍ଷୀଗୋପାଳ ମନ୍ଦିରରେ ଆଜି ଲକ୍ଷାଧିକ ଶ୍ରଦ୍ଧାଳୁ ରାଧାପାଦ ଦର୍ଶନ କରିଛନ୍ତି। ଏହି ଅବସରରେ ଶ୍ରଦ୍ଧାଳୁମାନେ ଶ୍ରୀ‌ ଗୋପାଳ ଜିଉଙ୍କ ନଟବର ବେଶ ଓ ରାଧାରାଣୀଙ୍କୁ ଓଡ଼ିଆଣୀ ବେଶରେ ଦର୍ଶନ କରିଥିଲେ। ତେବେ ଚଳିତ ବର୍ଷ ରାଧାପାଦ ସ୍ପର୍ଶ ଉପରେ କଟକଣା ଲାଗୁ କରାଯାଇଥିବାରୁ ଦର୍ଶନରେ ଐତିହାସକ ଶୃଙ୍ଖଳା ଦେଖିବାକୁ ମିଳିଥିଲା। ପୂର୍ବ ବର୍ଷମାନଙ୍କରେ ଭକ୍ତ ଦୁଇ କିମି ଦୂରରୁ ଲମ୍ବା ଧାଡିରେ ରହି ଦର୍ଶନ ପାଇଁ ୫ରୁ ୬ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରୁଥିବା ବେଳେ ଚଳିତ ବର୍ଷ ମାତ୍ର ୪୫ ମିନିଟ୍‌ରେ ରାଧାପାଦ ଦର୍ଶନ କରିଥିଲେ। ଗର୍ଭଗୃହ ନିକଟରେ ରହିଥିବା ବ୍ୟାରିକେଡ୍‌ରୁ ତିନି ଫୁଟ୍‌ ଦୂରରୁ ରହି ସମସ୍ତେ ରାଧାପାଦ ଦର୍ଶନ କରିଥିଲେ। ଫଳରେ ଗର୍ଭଗୃହରେ ଲାଗି ରହୁଥିବା ଅଯଥା ବିଳମ୍ବକୁ ରୋକା ଯାଇପାରିଥିଲା। ଆଜିର ଶୃଙ୍ଖଳିତ ଦର୍ଶନକୁ ନେଇ ଭକ୍ତମାନେ ସନ୍ତୋଷ ବ୍ୟକ୍ତ କରିଛନ୍ତି।

ଅଁଳା ନବମୀ ଉପଲକ୍ଷେ ପୂର୍ବ ରାତ୍ର ୧୨ଟାରୁ ମନ୍ଦିର ଦ୍ବାରା ଖୋଲାଯାଇ ଠାକୁରଙ୍କ ନୀତି ଆରମ୍ଭ ‌ହୋଇଥିଲା। ଅବକାଶ ଓ ବାଳଧୂପ ପରେ ଭକ୍ତଙ୍କ ଭିଡ଼ ଜମିଥିଲା। ଭୋର ୫ଟାରୁ ୫ଟା ୩୦ ମଧ୍ୟରେ ସେବାୟତ ପରିବାର ରାଧାପାଦ ଦର୍ଶନ କରିଥିଲେ। ସକାଳ ୬ଟାରେ ଭକ୍ତମାନଙ୍କ ପାଇଁ ସାହାଣ ମେଲା ‌‌ହୋଇଥିବା ବେଳେ ଦର୍ଶନ ପାଇଁ ଦିନତମାମ୍‌ ଭିଡ଼ ଲାଗି ରହିଥିଲା। ଶୃଙ୍ଖଳିତ ବ୍ୟବସ୍ଥା ଯୋଗୁ ଚଳିତ ବର୍ଷ ଅଧିକ ଭକ୍ତ ଦର୍ଶନ କରିଥିବା ଜଣାପଡିଛି। ଭୋରରୁ ଦର୍ଶନ ଚାଲୁ ରହିଥିବା ବେଳେ ଅପରାହ୍ନ ୪ଟା ୪୫ରୁ ୫ଟା ପର୍ଯ୍ୟନ୍ତ ମାତ୍ର ୧୫ ମିନିଟ୍ ପାଇଁ ଦର୍ଶନ ବନ୍ଦ ରହିଥିଲା। ଏହି ସମୟରେ ପାଳିଆ ପରିବର୍ତ୍ତନ ହୋଇଥିଲା। ଶନିବାର ରାତି ୧୨ଟା ପର୍ଯ୍ୟନ୍ତ ଦର୍ଶନ ଚାଲୁ ରହିବ। ଏହି ଅବସରରେ ଆଜି ହବିଷ୍ୟାଳିମାନେ ବକୁଳବନସ୍ଥିତ ସିଦ୍ଧ ବଳରାମ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଅଁଳା ବୃକ୍ଷକୁ ପୂଜାର୍ଚ୍ଚନା କରିଥିଲେ। ସିଂହଦ୍ବାର ଦେଇ ମନ୍ଦିରକୁ ପ୍ରବେଶ କରିଥିବା ଭକ୍ତମାନେ ଦକ୍ଷିଣଦ୍ବାର ଦେଇ ପ୍ରସ୍ଥାନ କରିଥିଲେ। ଉତ୍ତରଦ୍ବାର ପଟେ ‌କରାଯାଇଥିବା ଭିଆଇପି ଲାଇନ୍‌ରେ ମଧ୍ୟ ଲମ୍ବାଧାଡି ଲାଗି ରହିଥିଲା। କାର୍ତ୍ତିକ ମାସରେ ରାଧାପାଦ ଦର୍ଶନ କଲେ ପୂଣ୍ୟପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି। ବର୍ଷର ଏହି ଗୋଟିଏ ଦିନ ରାଧାରାଣୀ ଓଡ଼ିଆଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଏହି ଦୁର୍ଲଭ ଦର୍ଶନ କରିବାକୁ ଆଜି ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଭକ୍ତଙ୍କ ସମାଗମ ହୋଇଥିଲା। ଶୃଙ୍ଖଳିତ ଦର୍ଶନ ପାଇଁ ୧୬ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ସାକ୍ଷୀଗୋପାଳ ମନ୍ଦିର ‌ସେବାୟତ ସଂଘ, ପରିଚାଳନା ପରିଷଦ ଓ ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ସ୍ଥାନୀୟ ବିଧାୟକ, ପୁରୀ ଜିଲ୍ଲାପାଳ, ଏସ୍‌ପି ଓ ଦେବୋତ୍ତର କମିସନର ପ୍ରତ୍ୟକ୍ଷ ଭ‌ାବେ ଉପସ୍ଥିତି ରହି ସମସ୍ତ ବ୍ୟବସ୍ଥାର ତଦାରଖ କରିଥିଲେ।

ସମ୍ବନ୍ଧିତ ଖବର