ରାଧା ପାଦ ସ୍ପର୍ଶ ପ୍ରସଙ୍ଗ: କଟକଣା କଡ଼ାକଡ଼ି କରିବାକୁ ପୁରୀ ଜିଲ୍ଲାପାଳଙ୍କୁ ଚିଠି

କମିସନ୍‌ଙ୍କୁ ଭେଟିଲେ ସେବାୟତ ପ୍ରତିନିଧି

ଭୁବନେଶ୍ୱର : ରାଧା ପାଦ ଦର୍ଶନ ବିବାଦକୁ ନେଇ ଗତ ସମନ୍ୱୟ ବୈଠକରେ କଡ଼ା ନିଷ୍ପତ୍ତି ନିଆଯିବା ପରେ ଆଜି ଦେବୋତ୍ତର କମିସନ୍‌ ପୁରୀ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଗତ ୩ ତାରିଖ ବୈଠକରେ ନିଆଯାଇଥିବା ନିଷ୍ପତ୍ତି କୁ କଡ଼ାକଡ଼ି କରିବାକୁ ସେ ନିର୍ଦେଶ ଦେଇଛନ୍ତି। ଅଁଳା ନବମୀରେ ଭକ୍ତ ମାନେ ଯେଭଳି ରାଧା ପାଦ ସ୍ପର୍ଶ ନ କରନ୍ତି ସେ ନେଇ ଜିଲ୍ଲାପାଳ ନିଶ୍ଚିତ କରିବା ସହ ଗର୍ଭ ଗୃହକୁ ଯେଭଳି ଭକ୍ତ ନ ଯାଆନ୍ତି, ଭିଆଇପି ପାସ୍‌ ଯେଭଳି ପ୍ରସ୍ତୁତ ନ ହୁଏ ସେ ନେଇ କଡ଼ା ନଜର ରଖିବା ପାଇଁ ଜିଲ୍ଲାପାଳଙ୍କୁ ଚିଠିରେ ତାଗିଦ କରାଯାଇଛି। ସେହିଭଳି ଗତ ୩ ମାସ ତଳେ ସତ୍ୟବାଦୀ ଗୋପୀନାଥ ଦେବ ମନ୍ଦିରରେ ହୁଣ୍ଡି ସ୍ଥାପନ ହେଇଥିଲା। ଏହାକୁ ଅଁଳା ନବମୀ ପୂର୍ବରୁ ଖୋଲିବାକୁ ଟ୍ରଷ୍ଟ ବୋର୍ଡ କମିସନଙ୍କୁ ସ୍ୱୀକୃତି ମାଗିଥିଲା। କମିସନ ଏକ ଚିଠି ଦ୍ୱାରା ଟ୍ରଷ୍ଟ ବୋର୍ଡ‌୍କୁ ସ୍ୱୀକୃତି ଦେଇଛନ୍ତି।

ଅନ୍ୟପଟେ ରାଧା ପାଦ ସ୍ପର୍ଶ, ଗର୍ଭ ଗୃହ, ଓ ଭିଆଇପି ପାସ୍‌ କଟକଣାକୁ କୋହଳ କରିବା ପାଇଁ ଗତକାଲି ଏକ ସେବାୟତ ପ୍ରତିନିଧି ଦଳ ଭୁବନେଶ୍ୱର ଆସି କମିସନ୍‌ଙ୍କୁ ଭେଟିଥିଲେ। ହେଲେ କଟକଣାକୁ କୋହଳ କରିବା ପରିବର୍ତେ କିଭଳି କଡ଼ାକଡ଼ି କରା ଯାଇପାରିବ ସେ ନେଇ ପରାମର୍ଶ ଦେବା ସହ ସହଯୋଗ କରନ୍ତୁ ବୋଲି କମିସନ ସ୍ପଷ୍ଟ କରିଛନ୍ତି। ତା ଛଡ଼ା ଆସନ୍ତା ୧୩ ତାରିଖ ରେ ସାକ୍ଷୀଗୋପାଳ ଠାରେ ଦ୍ୱିତୀୟ ସମନ୍ୱୟ ବୈଠକ ବସିବାକୁ ଅଛି। ସେଠାରେ ସେବାୟତମାନେ ସେମାନଙ୍କର ଅଭିଯୋଗ ଉପସ୍ଥାପନ କରିପାରିବେ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଅଁଳା ନବମୀରେ ରାଧାପାଦ ସ୍ପର୍ଶ କରିବା ଶାସ୍ତ୍ର ସମ୍ମତ ନୁହେଁ, ଏଣୁ ଭକ୍ତ କିଭଳି ସ୍ପର୍ଶ ନ କରିବେ ସେ ନେଇ କମିସନ ନିର୍ଦେଶ ଦେଇଥିଲେ। ହେଲେ ଏହାକୁ ପାଳନ କରାଯାଉନ ଥିଲା ବୋଲି ସମ୍ବାଦରେ ରିପୋର୍ଟ ପ୍ରକାଶ ପାଇବା ପରେ ଗତ ସମନ୍ୱୟ ବୈଠକରେ ଏହାକୁ କଡ଼ାକଡ଼ି କରିବାକୁ ନିଷ୍ପତି ହୋଇଥିଲା।

ସମ୍ବନ୍ଧିତ ଖବର