କଣ୍ଟିଲୋ : ରାଧାନାଥ ବାଳିକା ବିଦ୍ୟାଳୟ ପାଲଟିଛି ଅସାମାଜିକଙ୍କ ଆଡ଼ାସ୍ଥଳ

କଣ୍ଟିଲୋ : କଣ୍ଟିଲୋ ଗ୍ରା.ପ. ପାଟଣା ଗ୍ରାମରେ ଥିବା ରାଧାନାଥ ବାଳିକା ପ୍ରାଥମିକ ବିଦ୍ୟାଳୟ ଅସାମାଜିକଙ୍କ ଆଡ଼ାସ୍ଥଳ ପାଲଟିଛି। ଉକ୍ତ ବିଦ୍ୟାଳୟର ପାଚେରି ନ ଥିବାରୁ ସ୍କୁଲ୍‌ ବନ୍ଦ ପରେ ଅସାମାଜିକଙ୍କ ଅବାଧ ପ୍ରବେଶ ହେଉଛି। ସ୍କୁଲ୍‌ ମଧ୍ୟରେ ମଦ ବୋତଲ, ପାଣି ପାଉଚ୍, ପଲିଥିନି ଆଦି ପଡ଼ିବା ନୀତିଦିନିଆ ଘଟଣାରେ ପରିଣତ ହୋଇଥିବା ବେଳେ ଗତ ଦଶହରା ଛୁଟି ପରେ ସ୍କୁଲ୍‌ ଖୋଲିବା ପରେ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନରେ ବ୍ୟବହୃତ କାଠ ଚୁଲାକୁ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଥିଲେ। ଫଳରେ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ବାଧା ସୃଷ୍ଟି ହୋଇଥିଲା। ଗତ ବର୍ଷ ଉକ୍ତ ସ୍କୁଲ୍‌ ଆଲମିରା ଭାଙ୍ଗି କାଗଜ ପତ୍ର ଚୋରି ହୋଇଥିବା ସମ୍ପର୍କରେ ଅଭିଯୋଗ ମଧ୍ୟ ହୋଇଥିଲା। ଏହା ଛଡ଼ା ସ୍କୁଲ୍‌ର ପାଚେରି ନଥିବାରୁ ଏଠାରେ ୧ମରୁ ୫ମ ପର୍ଯ୍ୟନ୍ତ ପଢ଼ୁଥିବା କୋମଳମତି ଛାତ୍ର/ଛାତ୍ରୀଙ୍କ ଚଳାଚଳରେ ବିପଦ ଆଶଙ୍କା ରହିଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ ସ୍କୁଲ୍‌ର ପାଚେରି ନିର୍ମାଣ ପାଇଁ ଗ୍ରା.ପ. ପକ୍ଷରୁ ୧ ଲକ୍ଷ ଟଙ୍କା, ଜିଲ୍ଲା ପରିଷଦ ସଭ୍ୟଙ୍କ ଅନୁଦାନ ପାଣ୍ଠିରୁ ୧ ଲକ୍ଷ ୨୫ ହଜାର ଟଙ୍କା ଅନୁଦାନ ଆସିଥିଲେ ମଧ୍ୟ ସ୍କୁଲ୍‌ର ପାଚେରି ନିର୍ମାଣ କାର୍ଯ୍ୟ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ଏ ସମ୍ପର୍କରେ ଉଚ୍ଚପଦସ୍ଥ ଅଧିକାରୀ ତୁରନ୍ତ ଦୃଷ୍ଟି ଦେବାକୁ ଅଭିଭାବକମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର