ପରଲୋକରେ ରାଧାନାଥ ମହାପାତ୍ର

ଭୁବନେଶ୍ୱର : ବରିଷ୍ଠ ସିନେ ସାମ୍ବାଦିକ ରାଧାନାଥ ମହାପାତ୍ରଙ୍କର ଆଜି ସକାଳ ୯ଟା ସମୟରେ ସ୍ଥାନୀୟ ଆଦିତ୍ୟ କେୟାର ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା।

କିଡ୍‌ନି ଓ ହୃଦ୍‌ରୋଗ ଜନିତ ସମସ୍ୟାରେ ପୀଡ଼ିତ ହୋଇ ସେ ଦୀର୍ଘ ଦିନ ଧରି ଚିକିତ୍ସାଧୀନ ଥିଲେ।

ଏପ୍ରିଲ ୧୮ ତାରିଖରୁ ଚିକିତ୍ସା ପାଇଁ ତାଙ୍କୁ ଆଦିତ୍ୟ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ମନ୍ଦାକିନୀ ମହାପାତ୍ର, ପୁଅ ଏବଂ ଅନ୍ୟ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ସେହିପରି ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ପରି ସିନେ ଜଗତର ବହୁ ନାମୀଦାମୀ କଳାକାର ମଧ୍ୟ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁରେ ସାମ୍ବାଦିକ ଜଗତ ଓ ସିନେ କଳାକାରଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି। ଫିଲ୍ମ ନିର୍ଦ୍ଦେଶକ ତଥା ସାଂସଦ ପ୍ରଶାନ୍ତ ନନ୍ଦ, ବରିଷ୍ଠ ଅଭିନେତ୍ରୀ ମହାଶ୍ୱେତା ରାୟ, ଅଭିନେତା ମିହିର ଦାସ, ଫିଲ୍ମ ନିର୍ଦ୍ଦେଶକ ପ୍ରଣବ ଦାସ ପ୍ରମୁଖ ତାଙ୍କ ପରଲୋକ ଖବର ପାଇ ଗଭୀର ଶୋକ ପ୍ରକାଶ କରିଛନ୍ତି।

ପ୍ରଖ୍ୟାତ ନାଟ୍ୟକାର ଭୁବନେଶ୍ୱର ମହାପାତ୍ରଙ୍କ ପୁଅ ସ୍ୱର୍ଗତ ରାଧାନାଥ ମହାପାତ୍ର ପୁରୀରେ ୧୯୬୨ ମସିହା ମେ’ ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସାମ୍ବାଦିକତା ପ୍ରତି ତାଙ୍କର ଯୁବାବସ୍ଥାରୁ ଆଗ୍ରହ ଥିଲା। ୧୯୮୫ରେ ସେ ‘ସମ୍ବାଦ’ରେ ସାମ୍ବାଦିକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଓ ‘ସିନେ ସମ୍ବାଦ’ ପତ୍ରିକାର ସହଯୋଗୀ ସମ୍ପାଦକ ଥିଲେ। ୨୦୦୬ ପର୍ଯ୍ୟନ୍ତ ସେଠାରେ କାମ କରିବା ପରେ ଧରିତ୍ରୀ, ସମୟ, ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ ‘ତରଙ୍ଗ’, ପ୍ରମେୟ ଏବଂ ଶେଷରେ ୨୦୧୫ ମସିହାରୁ ଦୈନିକ ଖବର କାଗଜ ‘ନିତିଦିନ’ରେ ଫିଚର ମୁଖ୍ୟ ଭାବେ କାର୍ଯ୍ୟନିର୍ବାହ କରୁଥିଲେ। ସେ ଓଡ଼ିଶା ସିନେ କ୍ରିଟିକ୍‌ ଆସୋସିଏସନ୍‌ର ପ୍ରତିଷ୍ଠାତା ସଦସ୍ୟ ହେବା ସହିତ ଏହାର ଉପସଭାପତି ମଧ୍ୟ ଥିଲେ। ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର କମିଟିର ଦୁଇଥର ଜୁରି ମେମ୍ବର ମଧ୍ୟ ଥିଲେ।

ସାମ୍ବାଦିକତା ବ୍ୟତୀତ ସେ ଜଣେ ଭଲ ଲେଖକ, ଅନୁବାଦକ ଏବଂ ଗୀତିକାର ଭାବେ ଖ୍ୟାତି ଅର୍ଜନ କରିଥିଲେ। ତାଙ୍କର ୩୪ ବର୍ଷର କ୍ୟାରିୟରରେ ଅନେକ ଅନୁଷ୍ଠାନ ଦ୍ୱାରା ପୁରସ୍କୃତ ହୋଇଛନ୍ତି। ଏହା ମଧ୍ୟରେ ରହିଛି ‘କାଦମ୍ବିନୀ ପୁରସ୍କାର’, ‘ସିନେ କ୍ରିଟିକ ସମ୍ମାନ’, ‘ଅଭିନନ୍ଦନିକା’ ଭଳି ଅନେକ ସମ୍ମାନ। ତାଙ୍କ ଦ୍ୱାରା ଲିଖିତ କେତେକ ଗୀତର ଅଡିଓ କ୍ୟାସେଟ୍‌ ମଧ୍ୟ ହୋଇଛି। ତାଙ୍କ ଦ୍ୱାରା ରଚିତ କିଛି ଭଜନ ମଧ୍ୟରୁ ‘ମୁଁ ଯେ ଲବଣି ଖାଇନି ହରି…’ ବେଶ୍‌ ପ୍ରଶଂସିତ ହୋଇଥିଲା। ସ୍ୱର୍ଗତ ନୀରଦ ମହାପାତ୍ରଙ୍କ ପ୍ରଯୋଜିତ ଟେଲିଫିଲ୍ମ ‘ତମସା ତୀରେ’ରେ ସେ ଅଭିନୟ ମଧ୍ୟ କରିଥିଲେ। ଆସନ୍ତା ୨୧ତାରିଖରେ ସିନେ କ୍ରିଟିକ୍‌ ଆସୋସିଏସନ୍‌ ପକ୍ଷରୁ ରାଜ୍ୟସ୍ତରୀୟ ଶୋକସଭା ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର