କିଶୋରନଗର/ବଇଣ୍ଡା: ୨୦ ଫୁଟ୍ ଗଭୀର ବୋର୍େଓ୍ଵଲ ଖାତକୁ ଗଳିପଡ଼ିଲା ୩ ବର୍ଷର ଶିଶୁକନ୍ୟା। ଦୀର୍ଘ ୭ ଘଣ୍ଟାର ଜୀବନ ମରଣ ସଂଘର୍ଷ ପରେ ବଞ୍ଚିଗଲା ଜୀବନ। ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଜାମୁନାଳି ପଞ୍ଚାୟତ ଗୋଳାସର ଗାଁରେ ସୋମବାର ପୂର୍ବାହ୍ଣରେ ଘଟିଥିଲା ଏହି ଅଭାବିତ ଘଟଣା। ଅତି ସତର୍କତାର ସହିତ ଖାତ ପାଖରୁ ସୁଡ଼ଙ୍ଗ ଖୋଳି ଶିଶୁକନ୍ୟାଟିକୁ ଉଦ୍ଧାର କରାଯିବା ପରେ ସମସ୍ତେ ଆଶ୍ୱସ୍ତ ହୋଇଥିଲେ। ବୋର୍େଓ୍ଵଲ ଖାତରେ ପଡିଥିବା ଶିଶୁକନ୍ୟା ହେଉଛି ଗୋଳାସର ଗାଁର ସନ୍ତୋଷ ସାହୁଙ୍କ ଝିଅ ରାଧାରାଣୀ ସାହୁ। ଉଠା ଜଳସେଚନ ବିଭାଗ ପକ୍ଷରୁ ସନ୍ତୋଷଙ୍କ ବାଡ଼ି ପଛପଟେ ଗତ କିଛି ଦିନ ତଳେ ଏକ ଗଭୀର ବୋର୍େଓ୍ଵଲ୍ ଖୋଳା ଯାଇଥିଲା। ମାଟି ତଳେ ପଥର ପଡ଼ିବାରୁ ସେଥିରୁ ପାଣି ବାହାରିଲା ନାହିଁ। ବୋର୍େଓ୍ଵଲ୍ ଅଚଳ ହେଲା। କିନ୍ତୁ କାମରେ ଆସୁନଥିବା ବୋର୍େଓ୍ଵଲ୍ର ଏ ଗଭୀର ଗର୍ତ୍ତକୁ ସବୁ ଭୁଲିଗଲେ। ମୁକୁଳା ଛାଡ଼ି ଦିଆଯାଇଥିବା ଏ ଗର୍ତ୍ତ ଶେଷରେ ଆଜି ସନ୍ତୋଷଙ୍କ ପରିବାର ପାଇଁ ଏକ ବିରାଟ ବିପଦକୁ ଡାକି ଆଣିଥିଲା। ପୂର୍ବାହ୍ଣରେ ସନ୍ତୋଷଙ୍କ ସ୍ତ୍ରୀ ବାଡ଼ି ପଛ ପଟକୁ ପାଣି ଆଣିବା ପାଇଁ ଯାଉଥିବା ବେଳେ କୁନିଝିଅ ରାଧା ତାଙ୍କ ପଛରେ ଦୌଡ଼ିବା ସମୟରେ ମୁକଳା ଗାତରେ ଖସି ପଡ଼ିଥିଲା। ଭାଗ୍ୟକୁ ପ୍ରାୟ ୨୦ ଫୁଟ୍ ତଳେ ପଥର ପଡ଼ିବାରୁ ବାଟରେ ରାଧା ଲଟକି ଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
୨୦ ଫୁଟ୍ ସୁଡ଼ଙ୍ଗ ଖୋଳି ଉଦ୍ଧାର କଲା ଓଡ୍ରାଫ୍ ଟିମ୍
ଏହି ଘଟଣା ଜଣାପଡ଼ିବା ପରେ ଘଟଣାସ୍ଥଳ ଜନସମୁଦ୍ର ପାଲଟିଥିଲା। ପରିବାର ଲୋକେ କନ୍ଦାକଟା କରୁଥିବା ବେଳେ ଗାତ ଭିତରୁ ରାଧା ଚିତ୍କାର କରି ବାପା, ମା’ ଡାକି ଚାଲିଥିଲା। ବାମୁର ଦମକଳ ବାହିନୀ ଓ କିଶୋରନଗର ତହସିଲ୍ଦାର ରବିନାରାୟଣ ମାଝି ଘଟଣାସ୍ଥଳରେ ପହଞ୍ଚିବା ପରେ ଜାତୀୟ ରାଜପଥ ପ୍ରଶସ୍ତିକରଣ କାର୍ଯ୍ୟ କରୁଥିବା ଠିକା ସଂସ୍ଥାର ଜେସିବି ମେସିନ୍ ଦ୍ୱାରା ବୋର୍େଓ୍ଵଲ୍ ନିକଟରେ ୨୦ ଫୁଟ୍ ଗଭୀରର ଅନ୍ୟ ଏକ ଗାତ ଖୋଳା ଯାଇଥିଲା। ଉଭୟ ଗାତ ମଧ୍ୟରେ ସତର୍କତାର ସହିତ ଏକ ସୁଡ଼ଙ୍ଗ କରାଯାଇଥିଲା। ଓଡ୍ରାଫ୍ ଟିମ୍ ତା’ ମଧ୍ୟରେ ପଶି ଅପରାହ୍ଣ ସାଢ଼େ ୪ଟାରେ ରାଧାକୁ ସେଠାରୁ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ଡାକ୍ତର ଲକ୍ଷ୍ମଣ କୁମାର ବେହେରା, ଡାକ୍ତର ସୁବ୍ରତ ସାହୁ ରାଧାର ପ୍ରାଥମିକ ଚିକିତ୍ସା କରିବା ପରେ ଆମ୍ବୁଲାନ୍ସ ଯୋଗେ ତାକୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଜିଲ୍ଲାପାଳ ଅନିଲ କୁମାର ସାମଲ ଶିଶୁଟିକୁ ଡାକ୍ତରଖାନାରେ ଭେଟି ଜିଲ୍ଲା ରେଡ଼୍କ୍ରସ ପାଣ୍ଠିରୁ ଚିକିତ୍ସା ପାଇଁ ପରିବାର ଲୋକଙ୍କୁ ୨୦ ହଜାର ଟଙ୍କା ଦେଇଥିଲେ। କାମରେ ଆସୁନଥିବା ବୋର୍େଓ୍ଵଲ୍କୁ ମୁକୁଳା ରଖାଗଲା କାହିଁକି? ଏଭଳି ଦାୟିତ୍ୱହୀନତା ପାଇଁ କିଏ ଦାୟୀ ତାର ତଦନ୍ତ ପାଇଁ ଜିଲ୍ଲାପାଳ ଶ୍ରୀ ସାମଲ ଅନୁଗୁଳ ଜିଲ୍ଲା ଉଠାଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ତଦନ୍ତ ନିର୍ଦେଶ ଦେଇଛନ୍ତି। ଉଦ୍ଧାର କାର୍ଯ୍ୟ ସମୟରେ ଘଟଣାସ୍ଥଳରେ ଆଠମଲ୍ଲିକ ବିଧାୟକ ସଞ୍ଜୀବ ସାହୁ, ଏସ୍ପି ବ୍ରିଜେଶ କୁମାର ରାୟ, ଜିଲ୍ଲା ପରିଷଦ ସଭ୍ୟା ଜୟନ୍ତୀ ପ୍ରଧାନ, ସ୍ଥାନୀୟ ସରପଞ୍ଚ ସ୍ୱୟଂମ୍ବର ପ୍ରଧାନଙ୍କ ସମେତ ଦମକଳ ବାହିନୀ ଓ ଓଡ୍ରାଫ୍ ଟିମ୍ ଉପସ୍ଥିତ ଥିଲେ।