୧୧ ବର୍ଷରେ ରେଡିଓ ଚକ୍‌ଲେଟ୍‌, ଜନ୍ମଦିନରୁ ନୂଆ କାର୍ଯ୍ୟକ୍ରମର ଉପହାର

ଭୁବନେଶ୍ୱର : ରସଗ୍ରାହୀ ରେଡିଓ ଶ୍ରୋତା ମହଲରେ ଏକ ନିଆରା ପରିଚୟ ସୃଷ୍ଟି କରିଥିବା ରେଡିଓ ଚକ୍‌ଲେଟ୍‌-୧୦୪ ଏଫ୍‌ଏମ୍‌ ୧୧ ବର୍ଷରେ ପଦାର୍ପଣ କରିଛି। ଏହି ଜନ୍ମଦିବସରୁ ଶ୍ରୋତାମାନଙ୍କୁ ନୂଆ କାର୍ଯ୍ୟକ୍ରମ ଭେଟି ଦେବା ପାଇଁ ଘୋଷଣା କରାଯାଇଛି।

ଏହି ଅବସରରେ ରେଡିଓ ଚକ୍‌ଲେଟ୍‌ ପରିସରରେ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସମ୍ବାଦ ଗ୍ରୁପ୍‌ର ଚେୟାରମ୍ୟାନ୍‌ ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେଇ ୨୦୦୭ ମସିହାରେ ରେଡିଓ ଚକଲେଟ୍‌ ଆରମ୍ଭ ହେବା ଦିନର ସ୍ମୃତି ବଖାଣିଥିଲେ। ସେ କହିଥିଲେ ଯେ, ସେଦିନ ନିଆଯାଇଥିବା ଏହି ସାହସିକ ପଦକ୍ଷେପ ଆଜି ସଫଳତାର ଶୀର୍ଷ ଛୁଇଁଛି।

କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକ ଏଗାର ବର୍ଷ ଧରି ସଫଳତାର ଶୀର୍ଷରେ ଥିବାରୁ ଶ୍ରୋତା ଓ ରେଡିଓ ଚକଲେଟ୍‌ର ସମସ୍ତ ସଦସ୍ୟ/ସଦସ୍ୟାଙ୍କୁ କୃତଜ୍ଞତା ଜଣାଇଥିଲେ। ଭିନ୍ନ ସ୍ୱାଦର ଓଡ଼ିଆ ବାସ୍ନା ଥାଇ କାର୍ଯ୍ୟକ୍ରମ ପରିବେଷଣ କରି ରେଡିଓ ଚକଲେଟ୍‌ ଶ୍ରୋତାମହଲରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ବେଳେ ଏ ପ୍ରୟାସ ଆଗକୁ ବି ଜାରି ରହିବ ବୋଲି ସେ କହିଥିଲେ। ସମ୍ବାଦର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ରେଡିଓ ଚକଲେଟ୍‌ର ସଫଳ ଯାତ୍ରା ସମ୍ପର୍କରେ ଆଲୋକପାତ କରିବା ସହ ସମସ୍ତ ଶ୍ରୋତାଙ୍କୁ ଏଥିପାଇଁ କୃତଜ୍ଞତା ଜଣାଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସଂଗୀତ ନିର୍ଦେଶକ ମଳୟ ମିଶ୍ର, ରତିକାନ୍ତ ଶତପଥୀ, ‘ସମ୍ବାଦ’ର ସିଓଓ କମଳାକାନ୍ତ ମହାପାତ୍ର, ମାନବ ସମ୍ବଳ ବିଭାଗର ଡିଜିଏମ୍‌ ବୈଜୟନ୍ତୀ କର, ‘ଆମ ଓଡ଼ିଶା’ର ସମ୍ପାଦକ ସ୍ୱରାଜ ମିଶ୍ର, ରେଡିଓ ଚକଲେଟ୍‌ର ସମସ୍ତ ସଦସ୍ୟ ଓ ଶୋ୍ରତାଙ୍କ ଉପସ୍ଥିତ ଥିଲେ।

ଏହି ଅବସରରେ ରିତ୍ୱିକା ଗୋଲ୍‌ଡ ପକ୍ଷରୁ ରେଡିଓ ଚକ୍‌ଲେଟ୍‌ରେ ଚାଲିଥିବା କ୍ରିକେଟ କଣ୍ଟେଷ୍ଟ୍‌ର ବିଜେତାଙ୍କୁ ରୌପ୍ୟମୁଦ୍ରା ଦେଇ ପୁରସ୍କୃତ କରାଯାଇଥିଲା। ହେମନ୍ତ ବେହେରା, ନିହାର ରଂଜନ ନାୟକ, ପୂଜା ମହାନ୍ତି, ମାନସ ରଂଜନ ନାୟକ, ଦାଶରଥୀ ନାୟକ, ଲଲାଟ କିଶୋର ସ୍ୱାଇଁ, ରିଙ୍କି ନାୟକ, ସୁମନ୍ତ କୁମାର, ଇନ୍ଦୁମତୀ ସାମନ୍ତରାୟ, ଆଶିଷ ମହାନ୍ତି, ରଂଜିତ କର୍ମି, ସନ୍ତୋଷ ସାମନ୍ତରାୟ, ଜିତନ ସେଠୀ, ସୁବ୍ରତ ମହାପାତ୍ର, ପ୍ରଶାନ୍ତ କୁମାର ସ୍ୱାଇଁ, ମୁନୁ ବେହେରା ପ୍ରମୁଖଙ୍କୁ ପୁରସ୍କୃତ କରାଯାଇଥିଲା।

କ୍ରମାଗତ ୧୧ ବର୍ଷ ଧରି ଭିନ୍ନ ଢଙ୍ଗର ମିଠାଗୀତ, ମିଠା କଥା, କାହାଣୀ, ନାଟକ, ପାଲା ଓ ହସକଥା ପରିବେଷଣ କରି ଶ୍ରୋତାମହଲରେ ସଫଳତାର ଶୀର୍ଷରେ ରହି ଆସିଛି ରେଡ଼ିଓ ଚକ୍‌ଲେଟ୍‌। ଆଜି ୧୧ତମ ଜନ୍ମଦିନ ପାଳନ ହେଉଥିବାବେଳେ ଶ୍ରୋତାମାନଙ୍କୁ କିଛି ନୂଆ କାର୍ଯ୍ୟକ୍ରମ ଭେଟିଦେବାକୁ ଯାଉଛି। ଆର୍‌ଜେ ଅନିଲଙ୍କ ‘ଭାଉଜ ନମସ୍କାର’, ଆରଜେ ନିଭି ଓ ଅବକାଶଙ୍କ ‘ଦୁଷ୍ଟ ଏଇ ଝିଅକୁ ନେଇ’, ଆରଜେ ସଂଗ୍ରାମଙ୍କ ‘କଥାଟିଏ’, ‘ଲଭ୍‌ଷ୍ଟୋରି’, ‘ଜୀବନର କେତେ ରଙ୍ଗ’ ଭଳି ଚର୍ଚିତ କାର୍ଯ୍ୟକ୍ରମ ବି ଆରମ୍ଭ ହେବାକୁ ଯାଉଛି ବୋଲି ରେଡିଓ ଚକଲେଟ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର