ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ପରିଚାଳନା ସମିତି ଅଧିବେଶନ, ରେଡିଓ ଥେରାପି ୟୁନିଟ୍‌ର ଶିଳାନ୍ୟାସ

କଟକ : ଆଚାର୍ଯ୍ୟ ହରିହର କର୍କଟ ରୋଗ କେନ୍ଦ୍ରରେ ପ୍ରାୟ ୩୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ନୂଆ ରେଡିଓଥେରାପି ୟୁନିଟ୍‌ର ଶିଳାନ୍ୟାସ କରାଯାଇଛି। ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଆଜି ପରିଚାଳନା ସମିତି ଅଧିବେଶନକୁ ଯୋଗଦେବାକୁ ଆସିଥିବା ଅବସରରେ ଏହାକୁ ଶିଳାନ୍ୟାସ କରିଛନ୍ତି।

ଏହି ନୂତନ ରେଡିଓଥେରାପି ୟୁନିଟରେ ଲିନାକ୍‌, ସିମୁଲେଟର, ବ୍ରାକିଥେରାପି ଏବଂ ଡୋସିମେଟ୍ରି ମେସିନ ଉପଲବ୍‌ଧ ହେବା ସହ ଅତ୍ୟାଧୁନିକ ବିକିରଣ ଚିକିତ୍ସା ସେବା ମିଳିପାରିବ। ନିର୍ମାଣାଧୀନ ଛଅ ମହଲା ବିଶିଷ୍ଟ ଲିନାକ କୋଠା କାର୍ଯ୍ୟ ଶେଷ ହେବାପରେ ପିପିପି ଜରିଆରେ ସିଟିସ୍କାନ, ଏମ୍‌ଆରଆଇ, ପେଟ୍‌ସିଟି ଭଳି ମେସିନର ସୁବିଧା ମିଳିବା ସହିତ ରୋଗୀମାନଙ୍କ ପାଇଁ ଅଧିକ ଦୁଇ ଶହ ଶଯ୍ୟାର ବ୍ୟବସ୍ଥା ହୋଇପାରିବ। ଦୁଇ ଶହ ଶଯ୍ୟା ମଧ୍ୟରେ ଅଧିକ ଆଇସିୟୁ ଶଯ୍ୟା, ଶିଶୁ କର୍କଟ ରୋଗ ୱାର୍ଡ, ନିଉଟ୍ରୋପେନିଆ ୱାର୍ଡ ଏବଂ ସାଧାରଣ ଶଯ୍ୟା ରହିବ।

ଅନୁଷ୍ଠାନର ସମ୍ପ୍ରସାରଣ ପାଇଁ ଅନୁଷ୍ଠାନକୁ ଲାଗି ଥିବା ଶିଳ୍ପ ବିଭାଗ ତଥା ସାଧାରଣ ପ୍ରଶାସନ ବିଭାଗର ୧୧ଟି କ୍ବାର୍ଟର ଓଡ଼ିଶା ସରକାର ଆଚାର୍ଯ୍ୟ ହରିହରି କର୍କଟ କେନ୍ଦ୍ରକୁ ପ୍ରଦାନ କରିଛନ୍ତି। ତନ୍ମଧ୍ୟରୁ ୬ଟି କ୍ବାର୍ଟର ହସ୍ତାନ୍ତର ହୋଇଥିବାବେଳେ ଆହୁରି ୫ଟି କ୍ବାର୍ଟର ବର୍ତ୍ତମାନ ସୁଦ୍ଧା ହସ୍ତାନ୍ତର ହୋଇପାରିନି। ହସ୍ତାନ୍ତର ପ୍ରକ୍ରିୟା ଶେଷ ହେବା ପରେ ପୂର୍ତ୍ତ ବିଭାଗ ସେଗୁଡ଼ିକୁ ଭାଙ୍ଗି କର୍କଟ କେନ୍ଦ୍ରର ସର୍ଜିକାଲ କୋଠା, ଏକାଡେମିକ କୋଠା, ହଷ୍ଟେଲ ଓ ବହୁମୁଖୀ କେନ୍ଦ୍ର ସ୍ଥାପନ କରାଯିବ।

ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର ଭେଷଜ ସ୍ନାତକୋତ୍ତର ଶିକ୍ଷାନୁଷ୍ଠାନ ଭାବେ ସ୍ବୀକୃତି ପାଇବା ପରେ ୨୦୧୭-୧୮ ଶିକ୍ଷାବର୍ଷରେ ନାମ ଲେଖାଇଥିବା ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନେ ୨୦୨୦ ମସିହାରେ ସେମାନଙ୍କର ଶେଷ ବର୍ଷ ପରୀକ୍ଷା ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ସେହିପରି ଲବୋରେଟୋରୀ ଟେକନିସିଆନ ପାଠ୍ୟକ୍ରମରେ ଯୋଗ ଦେଇଥିବା ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନେ ମଧ୍ୟ ୨୦୨୦ ମସିହାରେ ସେମାନଙ୍କର ଶେଷବର୍ଷ ପରୀକ୍ଷା ଦେବେ। ଅନ୍ୟପଟେ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପଢ଼ୁଥିବା ମେଡିକାଲ ଫିଜିକ୍‌ସ ଛାତ୍ରଛାତ୍ରୀମାନେ ଏକ ବର୍ଷିୟା ଇଣ୍ଟରନସିପ୍‌ ତାଲିମ ନେବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥିବା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ଅନୁଷ୍ଠାନର କର୍ମଚାରୀମାନଙ୍କର ଭବିଷ୍ୟତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କର୍ମଚାରୀଙ୍କୁ ମିଳୁଥିବା ନୂଆ ପେନ୍‌ସନ୍ ଯୋଜନା ଲାଗୁ ହେବା ପାଇଁ ସରକାରୀ ଅନୁମୋଦନର ପ୍ରସ୍ତାବ ରହିଛି।

ଆଜିର ପରିଚାଳନା କମିଟି ବୈଠକରେ ଯୁଗ୍କ ସଚିବ ଏ. ସି.ଷଡଙ୍ଗୀ, ଅର୍ଥ ବିଭାଗର ଅତିରକ୍ତ ସଚିବ ଜି. ନନ୍ଦୀ, ଡ଼ିଏମ୍‌ଇଟି ଡାକ୍ତର ସୋନାମାଳି ବାଗ୍‌, ଓଏସ୍‌ଏମ୍‌ସିର ଏମ୍‌ଡି ଯାମିନୀ ଷଡଙ୍ଗୀ, ସ୍ବାସ୍ଥ୍ୟ ବିଭାଗ ଯୁଗ୍କ ସଚିବ ଗୁହା ପୁନମ୍‌ ତାପସ କୁମାର, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡଙ୍ଗୀ, ଏସ୍‌ସିବି ପ୍ରନ୍‌ସିପାଲ ପ୍ରଫେସର ଡାକ୍ତର ଜୟଶ୍ରୀ ମହାନ୍ତି, ସିଏମ୍‌ସି କମିସନର ଅନନ୍ୟା ଦାସ, ଚୌଦ୍ବାର-କଟକ ବିଧାୟକଙ୍କ ପ୍ରତିନିଧି ଇଂ. ସୁବ୍ରତ ଘଡେଇ, ଏମ୍ସର ପ୍ରଫେସର ଡାକ୍ତର ଡି.କେ. ପରିଡା, ଡାକ୍ତର ଦିନେଶ ପାଣ୍ଡରକର, ଆରଏଣ୍ଡବିର ନିର୍ବାହୀ ଯନ୍ତ୍ରୀ ଏମ୍‌.ଆର.ଖାନ୍‌, ପିଏଚ୍‌ଡି ଡିଭିଜନ୍‌ ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ ଘଡେଇ, କର୍କଟ କେନ୍ଦ୍ରର ପ୍ରଶାସନିକ ଅଧିକାରୀ ରୁଦ୍ର ନାରାୟଣ ଦାଶ, ପବିତ୍ର ଭୂୟାଁ, ଦୀପାଳିବାଳା ଭୂୟାଁ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର