ଅଭିଜ୍ଞ ‘ହାଲ୍‌’କୁ ଅଣଦେଖା, ରାଫେଲ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇନି

ବଲାଙ୍ଗୀର: ଦେଶର ଜଣାଶୁଣା ତଥା ଅଭିଜ୍ଞତା ସଂପନ୍ନ ହିନ୍ଦୁସ୍ଥାନ ଏରୋ‌ନଟିକ୍ସ ଲିମିଟେଡ (ହାଲ୍‌)କୁ ରାଫେଲ ନିର୍ମାଣ ପାଇଁ କୌଣସି ପ୍ରସ୍ତାବ ଦିଆଯାଇ ନାହିଁ। ସୂଚନା ଅଧିକାରରୁ ମିଳିଥିବା ତଥ୍ୟରୁ ଏହା ଜଣାପଡ଼ିଛି। ରାଫେଲ ନିର୍ମାଣକୁ ନେଇ ହାଲକୁ ଅଣଦେଖା କରାଯାଇଥିବା ଅଭିଯୋଗ କଂଗ୍ରେସ ଉଠାଇ ଆସୁଛି। ଏହାକୁ ନେଇ ବଲାଙ୍ଗୀରର ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ହାଲ୍‌ର ବେଙ୍ଗାଲୁରୁ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ସୂଚନା ଆଇନ ବଳରେ କିଛି ତଥ୍ୟ ମାଗିଥିଲେ। ହାଲ୍ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ଏପର୍ଯ୍ୟନ୍ତ ହାଲରେ ୪୧୦୦ରୁ ଅଧିକ ବିମାନ ଓ ହେଲିକପ୍ଟର ତିଆରି କରାଯାଇଛି। ସ୍ବଦେଶୀ ଜ୍ଞାନକୌଶଳରେ ଏଚଟି-୨, ପୁଷ୍ପକ, କ୍ରିଷକ, ମାରୁତ, ଏମକେ-୧/୧(ଏଚଜିଟି ୧୬). ବସନ୍ତ. ଅଜିତ, କିରନ ଏମକେ-୨(ଏଚଜେଟି ୧୬), ଏଚପିଟି ୩୨, ଏଚଟିଟି ୩୪, ଏଏଲ୍ଏଚ୍, ଲକ୍ଷ୍ୟ(ପିଟିଏ). ଏଲସିଏ, ଆଇଜେଟି, ଏଚଟିଟି-୪୦, ଏଲସିଏଚ୍, ଏଲୟୁଏଚ୍, ମାରୁତ ଟ୍ରେନର, ଅଜିତ ଟ୍ରେନର ନିର୍ମାଣ କରାଯାଇଥିବା ବେଳେ ବିଦେଶୀ ଜ୍ଞାନ କୌଶଳରେ ଫ୍ରେସ, ଭେମ୍ପାୟାର, ଫାଇଟର, ଜିନାଟ, ଏଚ୍ଏଚ୍-୭୪୮/ଏମ, ଚେତକ, ମିଗ୍-୨୧ଏଫଏଲ, ଚିତାହ, ମିଗ-୨୧ଏମ. ମିଗ-୨୧ବିଅଇଏସ୍, ଜାଗୁଆର, ମିଗ-୨୭ଏମ, ଡୋରିନିଏର ଭଳି ବିମାନ ଓ ହେଲିକପ୍ଟର ସିରିଜ ନିର୍ମାଣ କରାଯାଇଥିବା ବେଳେ ଗତ ସେପଟେମ୍ବର ମାସ ପର୍ଯ୍ୟନ୍ତ ହାଲରେ ସମୁଦାୟ ୨୮ହଜାର ୬ଶହ ୧୬ଜଣ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀ ରହିଥିବା ଶ୍ରୀ ପଣ୍ଡାଙ୍କୁ ସୂଚନା ଦିଆଯାଇଛି। ଏଥିସହିତ ଏସୟୁ-୩୦, ଏମକେୟୁ, ଡିଓ-୨୨୮, ହକ, ଏଲସିଏ ବିମାନ ଓ ଏଏଲ୍ଏଚ୍, ଚିତଲ, ଚେତକ, ଚିତା, ହେଲିକପ୍ଟର ନିର୍ମାଣ ଚାଲିଥିବା ତଥ୍ୟ ଦିଆଯାଇଛି। ସୂଚନା ଅଧିକାର କର୍ମୀ ଶ୍ରୀ ପଣ୍ଡା ଦର୍ଶାଇଛନ୍ତି ଯେ, ଯୁଦ୍ଧ ବିମାନ ଓ ହେଲିକପ୍ଟର ନିର୍ମାଣ ପାଇଁ ଅଭିଜ୍ଞତାରେ ଭରପୂର ଦେଶର ଏହି ସଫଳ ସରକାରୀ ଅନୁଷ୍ଠାନ ହାଲକୁ ରାଫେଲ ନିର୍ମାଣ ପାଇଁ ବିଶ୍ବାସକୁ ନିଆଯାଇ ନାହିଁ। ଡାସଲ୍ଟ ସହ ରିଲାଏନ୍ସ ଡିଫେନ୍ସ ଅଭିଜ୍ଞତା ନଥିବା ନୂତନ କମ୍ପାନିକୁ ବିଶ୍ବାସକୁ ନେବା ଦ୍ବାରା କେନ୍ଦ୍ର ସରକାରଙ୍କ ସାଧୁତା ଉପରେ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର