ଧାରଣାରେ ବସିଲେ ଦ୍ୱିତୀୟ ବର୍ଷ ଛାତ୍ର

ଏମ୍‌କେସିଜି ମେଡିକାଲ କଲେଜ ହଷ୍ଟେଲରେ ର‍୍ୟାଗିଂ ଅଭିଯୋଗ

ବ୍ରହ୍ମପୁର : ର‍୍ୟାଗିଂକୁ ନେଇ ଆଜି ଏମକେସିଜି ମେଡିକାଲ କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ବିବାଦ ଦେଖା ଦେଇଛି। ର‍୍ୟାଗିଂ ଅଭିଯୋଗ ଆଣି ଦ୍ୱିତୀୟ ବର୍ଷର ଚାରିଜଣ ଛାତ୍ର ଗତ ରାତିରୁ ହଷ୍ଟେଲ ଛାଡ଼ି ବ୍ୟାଗ୍‌ପତ୍ର ସାଥିରେ ଧରି କଲେଜର ପ୍ରାଶାସନିକ କୋଠା ସମ୍ମୁଖରେ ଧାରଣାରେ ବସିଥିବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଅନ୍ୟପକ୍ଷେ ଧାରଣାରତ ଏହି ୪ ଜଣ ଦ୍ୱିତୀୟ ବର୍ଷର ଛାତ୍ରଙ୍କ ବିରୋଧରେ ପ୍ରଥମ ବର୍ଷ ଛାତ୍ରଙ୍କୁ ର‍୍ୟାଗିଂ କରିଥିବା ନେଇ ଅଭିଯୋଗ ମଧ୍ୟ ହୋଇଥିଲା। ନିଜ ଦୋଷ ଘୋଡ଼ାଇବା ପାଇଁ ସେମାନେ ପାଲଟା ର‍୍ୟାଗିଂ ଅଭିଯୋଗ ଆଣୁଛନ୍ତି ବୋଲି କିଛି ସିନିୟର୍‌ ଛାତ୍ର କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଫଳରେ କଲେଜ କ୍ୟାମ୍ପସରେ ଆଜି ଚାପା ଉତ୍ତେଜନା ଲାଗି ରହିଥିଲା।

କଲେଜର ଅଧ୍ୟକ୍ଷ ପ୍ରଫେସର ଡ.ଅରୁୁଣ କୁମାର ଦଣ୍ଡପାଟ୍ଟ ଉଭୟ ପକ୍ଷର ପ୍ରତିନିଧିଙ୍କୁ ଡାକି ବୈଠକ କରିଥିଲେ। ଏଥିରେ କଲେଜର ଆଣ୍ଟି ର‍୍ୟାଗିଂ ସେଲ୍‌ର ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ। ଦୀର୍ଘ ସମୟ ଆଲୋଚନା ପରେ ଅପରାହ୍ନ ପ୍ରାୟ ୨ଟାରେ ଏହି ବୈଠକ ଶେଷ ହୋଇଥିଲା। ଉଭୟ ଗୋଷ୍ଠୀ ମଧ୍ୟରେ ଆପୋଷ ବୁଝାମଣା ହୋଇଥିବା ବେଳେ ଛାତ୍ରାବାସରେ ସୁସ୍ଥ ବାତାବରଣ ବଜାୟ ରଖି ସମସ୍ତେ ଏକତ୍ର ରହିବା ପାଇଁ ସହମତି ପ୍ରଦାନ କରିଥିବା ନେଇ ଅଧ୍ୟକ୍ଷ ଡ.ଅରୁଣ କୁମାର ଦଣ୍ଡପାଟ ପ୍ରକାଶ କରିଥିଲେ। ର‍୍ୟାଗିଂ ଅଭିଯୋଗ ସମ୍ପର୍କରେ ପଚାରିବାରୁ ସେ ଏହାକୁ ଏଡ଼ାଇ ଯାଇଥିଲେ।

ସମ୍ବନ୍ଧିତ ଖବର