ଭିସୁଟ୍‌ରେ ର‍୍ୟାଗିଂ : ୨୦ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ସମ୍ବଲପୁର ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ୍‌)ରେ ପୁଣି ର‍୍ୟାଗିଂ ଅଭିଯୋଗ। ସୋମବାର ର‍୍ୟାଗିଂ ନିରୋଧ କମିଟି ଜରୁରୀ ବୈଠକରେ ୨୦ ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ହୋଇଛି। କମିଟିର ଅଧ୍ୟକ୍ଷ ତଥା ଭିସୁଟ୍‌ କୁଳପତି ପ୍ରଫେସର ଅଟଳ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ତୃତୀୟ ବର୍ଷର ଜଣେ ଛାତ୍ରଙ୍କୁ ବିଶ୍ୱବିଦ୍ୟାଳୟରୁ ବହିଷ୍କାର କରିବା, ୪ଜଣ ଛାତ୍ରଙ୍କୁ ଛାତ୍ରାବାସରୁ ବାହାର କରିବା ଏବଂ ୧୫ ଜଣ ଛାତ୍ରଙ୍କଠାରୁ ଜରିମାନା ଆଦାୟ କରିବାକୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।

ବିଶ୍ୱବିଦ୍ୟାଳୟରୁ ଛାତ୍ରବାସକୁ ଯିବା ସମୟରେ କିର୍ବା ଛକରେ ବରିଷ୍ଠ ଛାତ୍ରମାନେ ଏକାଠି ହୋଇ ପ୍ରଥମ ବର୍ଷ ଛାତ୍ରମାନଙ୍କୁ ‘ଧାଡ଼ି ବାନ୍ଧି ମୁଣ୍ଡ ତଳ କରି ଯିବାକୁ ତାଗିଦ କରୁଥିବା’ ନେଇ ଶନିବାର ଦିନ କେତେକ ଛାତ୍ର ମୌଖିିକ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପରେ ର‍୍ୟାଗିଂ ନିରୋଧ କମିଟିର ଆଜି ଜରୁରୀ ବୈଠକ ବସିଥିଲା। ବୈଠକରେ ସମ୍ପୃକ୍ତ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ର‍୍ୟାଂଗି ରୋକିବା ପାଇଁ ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟରୁ ହଷ୍ଟେଲକୁ ଯିବା ସମୟରେ ୬ଜଣ ସୁରକ୍ଷା କର୍ମୀ ନିୟୋଜିତ କରିବାକୁ ସ୍ଥିର କରାଯାଇଛି। ଆଗରୁ ୪ଜଣ ସୁରକ୍ଷା କର୍ମୀ ନିୟୋଜିତ କରାଯାଉଥିବା ବେଳେ ଏଣିକି ଆହୁରି ୨ଜଣଙ୍କୁ କିର୍ବା ଛକରେ ଡ୍ୟୁଟି ଦେବାକୁ ସ୍ଥିର ହୋଇଥିଲା। ସେହିପରି ସମସ୍ତ ଛାତ୍ରାବାସ ପରିସରରେ ସିସିଟିଭି କ୍ୟାମେରା ଲଗାଯିବା ଓ ଏହାର ନିୟନ୍ତ୍ରଣ କକ୍ଷ ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟର ଏକ ପ୍ରକୋଷ୍ଠରେ ରଖିଯିବାକୁ ବି ନିଷ୍ପତ୍ତି ହୋଇଛି।

ବୈଠକରେ ଭିସୁଟ୍‌ ଡିନ୍‌(ଛାତ୍ର କଲ୍ୟାଣ) ଦେବଦତ୍ତ ମିଶ୍ର, ଗଣମାଧ୍ୟମ ପ୍ରତିନିଧି ଶିବ ଶଙ୍କର ନନ୍ଦ, ଏନ୍‌ିଓ ପ୍ରତିନିଧି ଅଜୟ ନାୟକ, ଅଭିଭାବକ ପ୍ରତିନିଧି ପି.କେ.ବେହେରାଙ୍କ ସମେତ ସବୁ ବିଭାଗୀୟ ମୁଖ୍ୟମାନେ କମିଟି ବୈଠକରେ ଯୋଗ ଦେଇଥିଲେ। ତେବେ ମଂଗଳବାର ବିଧିବଦ୍ଧ ଭାବେ କମିଟି ନିଷ୍ପତ୍ତି ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ବିଶ୍ୱବିଦ୍ୟାଳୟ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର