ସିସିଟିଭିରେ ଗାମୁଛା ପକାଇ ର‍୍ୟାଗିଂ ହୋଇଥିଲା

ସ୍କାନରରେ ୧୧ ଛାତ୍ରାବାସ, ଅଭିଭାବକଙ୍କ ଠାରୁ ଆଦାୟ ହେବ ଜରିମାନା

ସମ୍ବଲପୁର : କାମକୁ ଆସିଲାନି ସିସିଟିଭି। ସିସିଟିଭିରେ ଗାମୁଛା ପକାଇ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ(ଭିସୁଟ)ରେ କରାଯାଇ ଥିଲା ରୢାଗିଂ। ଭିସୁଟ ରାଗିଂର ପ୍ରାଥମିକ ଯାଞ୍ଚ ପରେ ଏହା ସ୍ପଷ୍ଟ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଶୃଙ୍ଖଳା କମିଟିର ରିପୋର୍ଟ ଆଧାରରେ ସମୁଦାୟ ୬୨ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ନିର୍ଦିଷ୍ଟ ଗୋଟିଏ ଛାତ୍ରାବାସର ରୢାଗିଂ ନେଇ ଭିଡିଓ ଭାଇରାଲ ପରେ ଏହି ଘଟଣା ପଦାକୁ ଆସିଛି। ବିଶ୍ବବିଦ୍ୟାଳୟର ଅନ୍ୟ ଛାତ୍ରାବାସରେ ମଧ୍ୟ ରୢାଗିଂ ହୋଇଥିବା ଆଶଂକା କରାଯାଉଛି। ସେହି ଦୃଷ୍ଟିରୁ ଅନ୍ୟ କୌଣସି ଛାତ୍ର ଏଭଳି ଘଟଣାରେ ସାମିଲ ଥିବା ଜଣାପଡ଼ିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। କୁଳପତିଙ୍କ ତତ୍ବାବଧାନରେ ରୢାଗିଂ ଘଟଣାର ତଦନ୍ତ ଜାରି ରହିଛି।

୨୦୧୮ ଅଗଷ୍ଟ ମାସରେ ଭିସୁଟ ରୢାଗିଂ ଘଟଣା ପଦାକୁ ଆସିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। କୁଳପତି, ଅଧ୍ୟାପକ, ଓ୍ବାର୍ଡନ ସମେତ ତଳୁ ଉପର ପର୍ଯ୍ୟନ୍ତ କର୍ମଚାରୀ ଥାଇ ମଧ୍ୟ କେହି କେମିତି ରୢାଗିଂ ବିଷୟରେ ଜାଣି ପାରିଲେ ନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଛାତ୍ରମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ସମସ୍ତ ହଷ୍ଟେଲରେ ସିସିଟିଭି ଲଗାଯାଇଛି। ଛାତ୍ରମାନେ ସିସିଟିଭିରେ ଗାମୁଛା ପକାଇ ରୢାଗିଂ କରିଥିବାବେଳେ ଏତେ ଘଣ୍ଟା ଧରି ସିସିଟିଭିରେ କାହିଁକି ଗାମୁଛା ପକାଯାଇଥିଲା ଏ ନେଇ କାହିଁକି କାହାର ନଜର ପଡ଼ିଲା ନାହିଁ ଏହା ବର୍ତ୍ତମାନ ସନ୍ଦେହ ଘେରରେ ରହିଛି।

ଅନ୍ୟପକ୍ଷରେ ରୢାଗିଂ ବିରୋଧରେ ଭିସୁଟ କର୍ତ୍ତୃପକ୍ଷ କଡ଼ା ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ୫ ଛାତ୍ରୀନିବାସ ସମେତ ସମସ୍ତ ୧୧ ଛାତ୍ରବାସ ଭିସୁଟ କର୍ତ୍ତୃପକ୍ଷଙ୍କ ସ୍କାନର୍‌ରେ ରହିଛି। ରୢାଗିଂ ନିରୋଧ ସ୍କ୍ବାଡ୍‌କୁ ପ୍ରତି ୪ ଘଣ୍ଟାରେ ଥରେ ବିଭିନ୍ନ ଛାତ୍ରାବାସର ନିରୀକ୍ଷଣ ପାଇଁ ନିର୍ଦେଶ ରହିଛି। ଏଥିସହିତ ଏ ନେଇ ସଜାଗ ରହିବା ପାଇଁ ହଷ୍ଟେଲ ୱାର୍ଡନ ଏବଂ କର୍ମଚାରୀମାନଙ୍କୁ ନିର୍ଦେଶ ରହିଛି। ରୢାଗିଂର ଯେକୌଣସି ଘଟଣା ଜଣାପଡ଼ିଲେ ତୁରନ୍ତ କୁଳପତିଙ୍କୁ ସୂଚନା ଦେବା ପାଇଁ କୁହାଯାଇଛି। ଏପରିକି ଏ ନେଇ ଛାତ୍ର ସ୍ବେଚ୍ଛାସେବୀ ମଧ୍ୟ ଗଠନ କରାଯାଇଛି। ସୋମବାର ଏଥିପାଇଁ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯିବ।

ଭିସୁଟ ରୢାଗିଂ ଘଟଣାରେ ୧୦ ଜଣ ଛାତ୍ରଙ୍କୁ ପରୀକ୍ଷା ମନା କରାଯାଇଥିବାବେଳେ, ୫୨ ଜଣଙ୍କ ଠାରୁ ୨ ହଜାର ଜରିମାନା ଆଦାୟ ପାଇଁ ନିର୍ଦେଶ ରହିଛି। ଶୁକ୍ରବାର ଛୁଟି ଥିବାରୁ ଶନିବାର ଛାତ୍ରମାନଙ୍କୁ ଏହି ନୋଟିସ ପ୍ରଦାନ କରାଯିବ। ଏହି ଜରିମାନା ଟଙ୍କା ଛାତ୍ରମାନଙ୍କଠାରୁ ନୁହେଁ ବରଂ ଅଭିଭାବକଙ୍କଠାରୁ ଆଦାୟ ହେବ। ଏହା ବ୍ୟତୀତ ଅଭିଭାବକଙ୍କ ଉପସ୍ଥିତିରେ ଏହି ୫୨ ଛାତ୍ରଙ୍କଠାରୁ ଅଣ୍ଡରଟେକିଂ ଲେଖାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର