ଭିସୁଟରେ ର‍୍ୟାଗିଂ ଘଟଣା : ୧୨ ଛାତ୍ରଙ୍କ ଘରକୁ ଗଲା ନୋଟିସ୍‌

ସମ୍ବଲପୁର : ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟରେ ପୁଣିଥରେ ଜଣେ ଛାତ୍ରଙ୍କୁ ‌ର‍୍ୟାଗିଂ। ଏହି ଘଟଣା ସମ୍ପର୍କ‌ରେ ଖବର ପ୍ରକାଶ ପାଇବା ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରାଥମିକ ଯାଞ୍ଚ କରି ଏଥିରେ ସମ୍ପୃକ୍ତ ୧୨ ଜଣ ଛାତ୍ରଙ୍କ ଅଭିଭାବକଙ୍କ ନିକଟକୁ ନୋଟିସ୍‌ ପଠାଇଛନ୍ତି। ବାହାରେ ଥିବା ଛାତ୍ର କଲ୍ୟାଣ ଡିନ୍‌ ମଙ୍ଗଳବାର ପହଞ୍ଚିବା ପରେ ଶୃଙ୍ଖଳା କମିଟି ବୈଠକ ହୋଇ ଏହି ଘଟଣାରେ କିଏ କିଏ ସମ୍ପୃକ୍ତ ଓ ସେମାନଙ୍କ ବିରୋଧରେ କଣ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେନେଇ ନିଷ୍ପତ୍ତି ହେବ ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ଅପରପକ୍ଷେ, ରୢାଗିଂର ଶିକାର ହୋଇଥିବା ଭିସୁଟ୍‌ ପ୍ରଥମ ବର୍ଷ ସିଭିଲ ଇଞ୍ଜିନିୟରିଂ ଛାତ୍ର ରଶ୍ମିରଞ୍ଜନ ଛାଟୋଇ ଅନ୍‌ଲାଇନ୍‌ ମାଧ୍ୟମରେ ବୁର୍ଲା ଥାନାରେ ଅଭିଯୋଗ କରିଛନ୍ତି। ମାତ୍ର ଅଭିଯୋଗ ପରେ ବି ବୁର୍ଲା ପୁଲିସ ଏହି ଘଟଣାରେ କୌଣସି ମାମଲା ରୁଜୁ କରିନାହିଁ। ସେପଟେ, ବୁର୍ଲା ଥାନା ଅଧିକାରୀ ବି.ବି.ଭୋଇ ଏହି ଘଟଣାରେ ସେଭଳି କୌଣସି ଅଭିଯୋଗ ହସ୍ତଗତ ହୋଇନଥିବା କହିଛନ୍ତି।

ସମ୍ବନ୍ଧିତ ଖବର