୧୧୩ ବର୍ଷ ଧରି ହୋଇନି ରଘୁନାଥ ବେଶ : ମହାପ୍ରଭୁଙ୍କ ଦୁର୍ଲଭ ବେଶ ଦର୍ଶନରୁ ଭକ୍ତ ବଞ୍ଚିତ

ଅଳଙ୍କାର ଅଡ଼ୁଆ ନା ପ୍ରଶାସନ ଇଚ୍ଛାଶକ୍ତିର ଅଭାବ

ପୁରୀ : ବିଗତ ୧୧୩ ବର୍ଷ ଧରି ମହାପ୍ରଭୁଙ୍କ ଦୁର୍ଲଭ ରଘୁନାଥ ବେଶ ହୋଇନାହିଁ। ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ଜନ୍ମ ତିଥି ପୁଷ୍ୟାନକ୍ଷତ୍ର ଯୁକ୍ତ ହୋଇଥିଲେ ଶ୍ରୀଜଗନ୍ନାଥଙ୍କ ରଘୁନାଥ ବେଶ ଅନୁଷ୍ଠିତ ହୋଇଥାଏ। ଦୀର୍ଘ ବର୍ଷର ବ୍ୟବଧାନରେ ଏଭଳି ଦୁର୍ଲଭ ବେଶ ଯୋଗ ପଡିଥାଏ। ହେଲେ ବେଶ ଏବେ କେବଳ ଫଟୋରେ ରହିଗଲାଣି।

ବେଶ ପାଇଁ ଅଳଙ୍କାର ଅଭାବ, ପ୍ରସ୍ତୁତି ତଥା ପ୍ରଶାସନର ଆନ୍ତରିକତା ଅଭାବରୁ ମହାପ୍ରଭୁ ଏହି ଦୁର୍ଲଭ ବେଶରୁ ବଞ୍ଚିତ ହେଉଛନ୍ତି। ଶେଷଥର ପାଇଁ ୧୯୦୫ ମସିହାରେ ଠାକୁରଙ୍କର ଏହି ବେଶ ଅନୁଷ୍ଠିତ ହୋଇଥିଲା। ଏବେ ବି ସେହି ବେଶରେ ଲାଗୁଥିବା ମହାପ୍ରଭୁଙ୍କ ପାଦ ଦୁଇଟି ଏକ ମଠରେ ମହଜୁଦ ରହିଛି। ସେତେବେଳେ ଯେଉଁ ସେବକ ମହାପ୍ରଭୁଙ୍କ ଏ ବେଶ କରିଥିଲେ ସେ ଆଉ ଏ ଇହଧାମରେ ନାହାନ୍ତି। ତେଣୁ ମହାପ୍ରଭୁଙ୍କ ଏ ଦୁର୍ଲଭ ବେଶ ଦେଖିବାରୁ ଭକ୍ତ ବଞ୍ଚିତ ରହିଥିବା ଗବେଷକ ଡକ୍ଟର ଭାସ୍କର ମିଶ୍ର କହିଛନ୍ତି।

କେବଳ ଲୋକମାନଙ୍କୁ ଜଣାଇବା ପାଇଁ କର୍ମଶାଳା ଓ ଅନ୍ୟ କିଛି ସ୍ଥାନରେ ବେଶ ପ୍ରଦର୍ଶିତ ହେଉଛି। ଅତୀତରେ ବହୁବାର ଏ ନେଇ ଉଦ୍ୟମ କରାଯାଇଛି, ମାତ୍ର ସମ୍ଭବ ହୋଇନାହିଁ। ଠାକୁରଙ୍କର ଏହି କମନୀୟ ବେଶ ସମୁଦାୟ ୧୦ ଥର ହୋଇଥିବା ନେଇ ଐତିହାସିକ ତଥ୍ୟ ରହିଛି। ତଥ୍ୟ ମୁତାବକ ଏହି ବେଶ ୧୫୩୩, ୧୫୭୭, ୧୭୩୯, ୧୮୦୯, ୧୮୩୧, ୧୮୪୨, ୧୮୫୦, ୧୮୯୩, ୧୮୯୬ ଓ ଶେଷ ଥର ପାଇଁ ମେ ୪ ତାରିଖ ୧୯୦୫ ମସିହାରେ ହୋଇଥିଲା। ୧୮୦୯ରେ ଭୋଇ ବଂଶ ରାଜା ମୁକୁନ୍ଦ ଦେବଙ୍କ ୧୪ ଅଙ୍କରେ ମୁର୍ସିଦାବାଦର ବାହାଦୂର ସିଂହ ମହାପ୍ରଭୁଙ୍କ ରଘୁନାଥ ବେଶ କରାଇଥିବା ଜଣାପଡ଼ିଛି।

‘ଉତ୍କଳ ଦୀପିକା’ ସମ୍ବାଦପତ୍ରରୁ ମିଳିଥିବା ସୂଚନା ଅନୁସାରେ, ରତ୍ନ ସିଂହାସନରେ ମହାପ୍ରଭୁ ରାମବେଶ ଅନୁଷ୍ଠିତ ହୋଇଥିଲା। ଶ୍ରୀଜଗନ୍ନାଥ ରାମ ବେଶ ହୋଇଥିବା ବେଳେ ବଡ଼ଠାକୁର ବଳଭଦ୍ର ଲକ୍ଷ୍ମଣ ରୂପରେ ବିରାଜମାନ କରିଥିଲେ। ଶ୍ରୀରାମଚନ୍ଦ୍ର ରୂପୀ ଜଗନ୍ନାଥଙ୍କ ବାମ ପାର୍ଶ୍ୱରେ ଭରତ, ଶତ୍ରୁଘ୍ନ ଠିଆ ହୋଇ ଚାମର ଓ ଛତ୍ରି ଧରିଥିବାବେଳେ ବଳଦେବଙ୍କ ଦକ୍ଷିଣରେ ବ୍ରହ୍ମା, ବୈଶିଷ୍ଟ୍ୟ ଦଣ୍ଡାୟମାନ ହୋଇଥିଲେ। ଶ୍ରୀ ରାମଚନ୍ଦ୍ରଙ୍କ ଜାନୁ ଉପରେ ଲକ୍ଷ୍ମୀ ସୀତା ରୂପେ ଉପବେଶନ କରିଥିଲେ। ସମ୍ମୁଖରେ କର ଯୋଡି ବସିଥିଲେ ହନୁମାନ। ସିଂହାସନ ଆଗକୁ ଅଙ୍ଗଦ ଚାମର ଧରି ଜାମ୍ବବାନ କରଯୋଡି, ବିଭୀଷଣ କର, ନଳ, ନୀଳ, ଗବୟ, ଗବାକ୍ଷ ବାନର ଦଳ ବସିଥିଲେ। ମା’ ସୁଭଦ୍ରା କେବଳ ସୁନାବେଶରେ ସଜ୍ଜିତ ହୋଇଥିଲେ। ରାମଚନ୍ଦ୍ର, ଲକ୍ଷ୍ମଣ ଧନୁ ଧାରଣ କରିଥିଲେ। ଉଭୟ ବିଗ୍ରହ ହାର, ବାଲା, ବାଜୁ ଇତ୍ୟାଦି ଅଳଙ୍କାର ପରିଧାନ କରିଥିବା ଜଣାଯାଏ।

ପ୍ରକାଶଥାଉକି, ରାଜ୍ୟ ସରକାର ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ ନେବା ପରଠାରୁ ପ୍ରଶାସନିକ ସ୍ତରରେ ଏହି ବେଶ ଦୁଇ ଥର କରାଯିବା ପାଇଁ ଉଦ୍ୟମ ହୋଇଥିଲେ ହେଁ ବିଭିନ୍ନ କାରଣରୁ ଏହା ଅସଫଳ ରହିଛି। ବିଶେଷ କରି ଆବଶ୍ୟକ ଅଳଙ୍କାର ଭାଙ୍ଗିରୁଜି ଯାଇଥିବାରୁ ମହାପ୍ରଭୁଙ୍କ ଏ ଦୁର୍ଲଭ ବେଶ ବନ୍ଦ ହୋଇଯାଇଛି। ଫଳସ୍ୱରୂପ ସ୍ୱାଧୀନ ଭାରତରେ ଠାକୁରଙ୍କର ଏହି ଅପରୂପ ବେଶ ଦେଖିବା ଭକ୍ତଜନଙ୍କ ଭାଗ୍ୟରେ ଜୁଟିନାହିଁ।

ସମ୍ବନ୍ଧିତ ଖବର