ବିଜେଡିରୁ ଇସ୍ତଫା ଦେଲେ ରଘୁନାଥ ମହାନ୍ତି

ଭୁବନେଶ୍ବର : ଗତକାଲି ଓଡ଼ିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ପୂର୍ବତନ ମନ୍ତ୍ରୀ ତଥା ବସ୍ତାର ପୂର୍ବତନ ବିଧାୟକ ରଘୁନାଥ ମହାନ୍ତି ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି।। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ  ଇସ୍ତଫା ଦେଇଛନ୍ତି। ରଘୁନାଥ ମହାନ୍ତି ନିଜର ପ୍ରତିକ୍ରିୟା.ରେ କହିଛନ୍ତି ଯେ ବିଜେଡି ଏବେ ପଥଭ୍ରଷ୍ଟ ହୋଇଛି। ସୂଚନାଯୋଗ୍ୟ ଯେ ନବୀନ ନିବାସ ଆସି ସେ ଗତକାଲି ଓଡ଼ିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ତାଙ୍କର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ଗଣମାଧ୍ୟମକୁ ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ଶ୍ରୀ ମହାନ୍ତି କହିଥିଲେ, ନିଜର ବ୍ୟକ୍ତିଗତ କାରଣରୁ ସେ ଓଏଲ୍‌ଆଇସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ସେ ବିଜେଡିରୁ ଇସ୍ତଫା ଦେଇନାହାନ୍ତି।

ଶ୍ରୀ ମହାନ୍ତିଙ୍କ ଇସ୍ତଫା ନେଇ ବିଭିନ୍ନ ଚର୍ଚ୍ଚା ଜୋର୍‌ ଧରିଛି। ଗତ ଥର ପାରିବାରିକ ବିବାଦରେ ଛନ୍ଦି ହୋଇ ଶ୍ରୀ ମହାନ୍ତି ବିଜେଡି ଟିକେଟ୍‌ରୁ ବଞ୍ଚିତ ହୋଇଥିଲେ। ଏହା ମଧ୍ୟରେ ତାଙ୍କ ପାରିବାରିକ ବିବାଦ ସମାଧାନ ହୋଇଯାଇଛି। ତେଣୁ ଚଳିତ ଥର ପୁଣି ବସ୍ତା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ହେବାକୁ ସେ ଆଗ୍ରହୀ ଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ବସ୍ତା ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରୁ ନ ଥିବାରୁ ଶ୍ରୀ ମହାନ୍ତି ଅଡ଼ୁଆରେ ପଡ଼ିଯାଇଛନ୍ତି। ତେଣୁ ମୁଖିଆଙ୍କ ଉପରେ ଏକ ପ୍ରକାର ନୈତିକ ଚାପ ପକାଇବାକୁ ଶ୍ରୀ ମହାନ୍ତି ଇସ୍ତଫା ମାଧ୍ୟମରେ ଉଦ୍ୟମ କରିଛନ୍ତି ବୋଲି କୁହାଯାଉଛି।

ବିଜେଡି ଟି‌େକଟ୍ ନ ମିଳିଲେ ଶ୍ରୀ ମହାନ୍ତି ବିଜେପିରୁ ପ୍ରାର୍ଥୀ ହେଉଥିବା ଆଲୋଚନା ହେଉଛି। ଜନତାଦଳରେ ତାଙ୍କ ପୁରୁଣା ସହଯୋଗୀ ଡାକ୍ତର ଦାମ ରାଉତ, ବିଜୟ ମହାପାତ୍ର ଓ ବୈଜୟନ୍ତ ପଣ୍ଡା ପ୍ରମୁଖ ଏବେ ବିଜେପିରେ ଥିବାରୁ ତାଙ୍କୁ ସେହି ଦଳରେ ମିଶିବା ସହଜ ହେବ ବୋଲି ତଥ୍ୟାଭିଜ୍ଞ ମହଲ ଆକଳନ କରୁଛନ୍ତି।

ସମ୍ବନ୍ଧିତ ଖବର