ବାତ୍ୟାରେ ଖିନ୍‌ଭିନ୍ ଶିଳ୍ପୀଗ୍ରାମ ରଘୁରାଜପୁର : ନଷ୍ଟ ‌ହୋଇଯାଇଛି ବିରଳ ପଟ୍ଟଚିତ୍ର, ଖରାରେ ଶୁଖାଉଛନ୍ତି ବର୍ଷ ବର୍ଷର ସାଇତା ଚିତ୍ର

ପୁରୀ : ପୁରୀଠାରୁ ମାତ୍ର ୧୫ କିମି ଦୂର ବିଶ୍ବପ୍ରସିଦ୍ଧ ଶିଳ୍ପୀ ଗ୍ରାମ ରଘୁରାଜପୁର ମଧ୍ୟ ‘ଫନି’ ପ୍ରଳୟରୁ ବାଦ୍‌ ପଡିନାହିଁ। ବାତ୍ୟା ଗ୍ରାମରେ ଅକଳନୀୟ କ୍ଷତି ଘଟାଇଛି। ଲକ୍ଷ ଲକ୍ଷ ଟଙ୍କାର ମୂଲ୍ୟବାନ ପଟ୍ଟଚିତ୍ର ସବୁ ପାଣିରେ ଭିଜି ଯାଇଛି। ଶ୍ରୀହୀନ ହୋଇଯାଇଛି ଓଡ଼ିଶାର ଏହି ଐତିହ୍ୟସଂପନ୍ନ ଗାଁ। ବର୍ଷତମାମ ଚିତ୍ରକଳା ଓ କାରୁକାର୍ଯ୍ୟରେ ବ୍ୟସ୍ତ ରହୁଥିବା ଗାଁରେ ଝଡ଼ ପରର ନିରବତା ଛାଇ ହୋଇଯାଇଛି।

କଳାକୁ ଜୀବନ୍ତ କରୁଥିବା ଶିଳ୍ପୀ ଏବେ ଘର ସଜାଡିବାରେ ବ୍ୟସ୍ତ। ଦିନରାତି ପଟ୍ଟଚିତ୍ର ଆଙ୍କୁଥିବା ଓ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ରଘୁରାଜପୁର ବାତ୍ୟା ମାଡ଼ରେ ବିବର୍ଣ୍ଣ ହୋଇଯାଇଛି। ଗତ ୬ ଦିନ ଭିତରେ ଜଣେ ବି ପର୍ଯ୍ୟଟକଙ୍କ ପାଦ ଗାଁକୁ ପଡିନି। ବାତ୍ୟାରେ ବର୍ଷା ପାଣି ଖାଇ ଓଦା ହୋଇ ଯାଇଥିବା ପଟ୍ଟଚିତ୍ରକୁ ଶିଳ୍ପୀମାନେ ଖରାରେ ଶୁଖାଉଥିବା ଦେଖିବାକୁ ମିଳିଛି। ଖାଲି ସେତିକି ନୁହେଁ, ଐତିହ୍ୟପୂର୍ଣ୍ଣ ଗ୍ରାମର ସବୁଜିମା ମଧ୍ୟ ଉଜୁଡିଯାଇଛି। ଗ୍ରାମରେ ରହୁଥିବା ୧୪୦ଟି ପରିବାର ବଡ କଷ୍ଟରେ ଦିନ କାଟୁଛନ୍ତି। ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଥିବା ବେଳେ ଗ୍ରାମର ମୁଖ୍ୟ ଫାଟକ ନିକଟ ତୋରଣ ଉପରେ ଗଛ ପଡିଯାଇଛି। ସ୍ଥିତି ସ୍ବାଭାବିକ ହେବାକୁ ଢେର ସମୟ ଲାଗିବ ବୋଲି ଗ୍ରାମର ବୃନ୍ଦାବନ ଚନ୍ଦ୍ର ସ୍ବାଇଁ, ଶରତ ଚନ୍ଦ୍ର ସ୍ବାଇଁ, ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ପ୍ରମୋଦ ଦାସ ପ୍ରମୁଖ କହିଛନ୍ତି। ୯୯ ମହାବାତ୍ୟାଠାରୁ ବି ଏ ବାତ୍ୟା ଭୟଙ୍କର ଥିଲା ବୋଲି ଶିଳ୍ପୀଗ୍ରାମର ଲୋକେ କହିଛନ୍ତି।

ସମ୍ବନ୍ଧିତ ଖବର