ରଥ ଖଳା ହାଲଚାଲ : ସରିଲା ତିନି ରଥର ଚଉତା କାମ

ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ଆଜି ୨୯ ଦିନ ପୂରିଛି। ଆଜିର ଦିନରେ ବିଶ୍ୱକର୍ମାମାନେ ଚଉତା କାମ ଶେଷ କରିଛନ୍ତି। ତିନି ରଥ ପାଇଁ ୩୬ଟି ଚଉତା ଆବଶ୍ୟକ ଥିବାବେଳେ ଆଜି ୩୬ଟି ଯାକ ଚଉତା କାମ ସରିଛି। ସେପଟେ ଚକ, ପଇଠ, କଳସା କାମ ବି ଆଗେଇ ଚାଲିଛି। ତିନି ରଥ ପାଇଁ ୨୫ଟି ଦଣ୍ଡା କାଠ ଆବଶ୍ୟକ ଥିବାବେଳେ ଆଜି ସମସ୍ତ କାଠ ଭୋଇସେବକମାନେ ରଥଖଳାରେ ପକାଇଛନ୍ତି। ରୂପକାର ସେବକମାନେ ବି ଚଉପଟ କାଠକୁ ରୂପ ଦେବାରେ ଲାଗି ପଡ଼ିଛନ୍ତି। ନୃସିଂହ ମୂର୍ତି ସାଙ୍ଗକୁ ଅନ୍ୟାନ୍ୟ କାମ ବି ଆଗେଇ ନେଇଛନ୍ତି।

ଫାଟିଲା ନନ୍ଦିଘୋଷ ତୁମ୍ବ

ପୁରୀ : ରଥଖଳାରେ ରଥନିର୍ମାଣ ବେଳେ ଆଜି ନନ୍ଦିଘୋଷ ରଥର ତୁମ୍ବ ଫାଟିଯିବାର ଦେଖିବାକୁ ମିଳିଛି। ତୁମ୍ବରେ ଅଖ ଖଞ୍ଜିବା ପାଇଁ ବିଲେଇ ବାଡ଼ିଆବେଳେ ଏଭଳି ଘଟଣା ଘଟିଛି। ମିଳିଥିବା ସୂଚନା ମୁତାବକ ନନ୍ଦିଘୋଷ ରଥର ଏହି ତୁମ୍ବରେ ଏକ ଗଣ୍ଠି ରହିଥିଲା। ମହାରଣା ସେବକ ଓ ଭୋଇ ସେବକମାନେ ଏହାର ପ୍ରସ୍ତୁତିରେ ଲାଗିଥିବାବେଳେ ହଠାତ୍‌ ତୁମ୍ବଟି ଫାଟି ଯାଇଥିଲା। ଫଳରେ ଏହି ତୁମ୍ବକୁ ଅଲଗା କରି ଦିଆଯାଇଥିଲା। ଆବଶ୍ୟକ ମୁତାବକ ପୂର୍ବରୁ ତୁମ୍ବ ପ୍ରସ୍ତୁତି ସରିଥିଲା ବେଳେ ଆଜି ଏହି ଘଟଣା ପରେ ପୁଣି ଆଉ ଏକ ତୁମ୍ବର ଆବଶ୍ୟକତା ପଡ଼ିଛି।

ସମ୍ବନ୍ଧିତ ଖବର