ଶ୍ରୀମନ୍ଦିରରେ ରାହୁ ରେଖା ଲାଗି ନୀତି : ବନ୍ଦ ରହିଲା ୪ ଘଣ୍ଟା ଦର୍ଶନ

ପୁରୀ : ଶୁକ୍ରବାର ଶ୍ରୀମନ୍ଦିରରେ ରାହୁ ରେଖା ଲାଗି ନୀତି ସଂପନ୍ନ ହୋଇଛି। ସ୍ନାନପୂର୍ଣ୍ଣିମାରୁ ମହାପ୍ରଭୁଙ୍କଠାରୁ ଓଲାଗି ହୋଇଥିବା ସ୍ୱର୍ଣ୍ଣି ନିର୍ମିତ ରାହୁରେଖା ଅଳଙ୍କାରକୁ ପୁନର୍ବାର ଆଜି ଶ୍ରୀମୁଖ ଚତୁଃପାର୍ଶ୍ୱରେ ଲାଗି ହୋଇଛି। ଏହି ଉପଲକ୍ଷେ ଆଜି ଶ୍ରୀମନ୍ଦିରରେ ଅପରାହ୍ଣ ସାଢ଼େ ୨ଟାରୁ ସଂଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ୪ ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ ରହିଥିଲା। ସଂଧ୍ୟା ୬ଟାରେ ରାହୁରେଖା ଲାଗି ନୀତି ଶେଷ ପରେ ମହାସ୍ନାନ ହୋଇ ସର୍ବସାଧାରଣ ଦର୍ଶନ ପୁନର୍ବାର ଆରମ୍ଭ ହୋଇଥିଲା। ପବିତ୍ର ସ୍ନାନଯାତ୍ରା ପୂର୍ବରୁ ମହାପ୍ରଭୁଙ୍କଠାରୁ ଏହି ରାହୁରେଖା ଅଳଙ୍କାରକୁ ଓଲାଗି କରାଯାଇଥିଲା। ପରମ୍ପରା ଅନୁସାରେ, ଆଜି ଭାଦ୍ରବ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ଏହାକୁ ପୁଣି ମହାପ୍ରଭୁଙ୍କୁ ଲାଗି ହୋଇଛି। ଏ ନେଇ ଆଜି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଥିଲା। ଅପରାହ୍ଣ ୨ଟାରେ ଦ୍ୱିତୀୟ ଭୋଗମଣ୍ଡପ ପରେ ଅପରାହ୍ଣ ସାଢ଼େ ୨ଟାରେ ରାହୁରେଖା ଲାଗି ନୀତି ଆରମ୍ଭ ହୋଇଥିଲା। ସଂଧ୍ୟା ୬ଟାରେ ନୀତି ସରିବା ପରେ ମହାସ୍ନାନ ହୋଇ ସାଧାରଣ ଦର୍ଶନ ହୋଇଥିଲା। ଭକ୍ତମାନେ ସଂଧ୍ୟା ସାଢ଼େ ୬ଟାରୁ ମହାପ୍ରଭୁଙ୍କ ଦୁର୍ଲଭ ଦର୍ଶନ ପାଇଥିଲେ।

ସମ୍ବନ୍ଧିତ ଖବର