ବରଗଡ଼ : ଛତିଶଗଡ଼ରେ ଯାହା ପ୍ରତିଶ୍ରୁତି ଦେଇଥିଲୁ ନିମିଷକ ମଧ୍ୟରେ ତାକୁ ପାଳନ କଲୁ। ସେଠାରେ ସରକାର ଗଢ଼ିବାର ୬ ଘଣ୍ଟା ଭିତରେ କୃଷିଋଣ ଛାଡ଼ କରିଛୁ। ଧାନ ଦର କ୍ବିଣ୍ଟାଲ ପିଛା ୨୫ଶହ ଟଙ୍କା ବଢ଼ିଛି। ଯଦି ଏଥିରେ କିଛି ଦ୍ବନ୍ଦ୍ବ ଥାଏ, ତେବେ ପଡ଼ୋଶୀ ରାଜ୍ୟକୁ ଯାଇ ପଚାରି ଦିଅନ୍ତୁ। ମୋର ପ୍ରତିଟି ଭାଷଣ ବିଶ୍ଳେଷଣ କରନ୍ତୁ, ଜାଣିବେ ମୁଁ କେବେ ମିଛ କହି ନାହିଁ। ମୋଦୀ କିମ୍ବା ନବୀନ ସରକାରଙ୍କ ଭଳି ମୁଁ କିମ୍ବା କଂଗ୍ରେସ ମିଥ୍ୟା ପ୍ରତିଶ୍ରୁତି ଦେଇ ନାହିଁ ବୋଲି ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ବରଗଡ଼ ନିକଟସ୍ଥ ସରସରା ପଡ଼ିଆଠାରେ ଉଦ୍ବୋଧନ ଦେଇ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ନିଜ ୧୬ ମିନିଟ୍ର ଭାଷଣରେ ରାହୁଲ ପୂର୍ବ ପ୍ରତିଶ୍ରୁତିଗୁଡ଼ିକ ପୁଣି ଦୋହରାଇଥିଲେ। ଛତିଶଗଡ଼ ନିର୍ବାଚନ ବେଳେ ରାହୁଲ ପ୍ରଚାର ବେଳେ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ, ସେଗୁଡ଼ିକ ଏଠାରେ ବଖାଣିଥିଲେ। ମୋଟାମୋଟି ଭାବେ ଛତିଶଗଡ଼ର ଫର୍ମୁଲା ସେ ଏଠି ପ୍ରୟୋଗ କରିବାକୁ ଚେଷ୍ଟା କରିଥିଲେ। ନିଜ ଅଭିଭାଷଣରେ ସେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ।
ସେ କହିଥିଲେ, ଓଡ଼ିଶା ହେଲା ବେକାରି ସମସ୍ୟାର କେନ୍ଦ୍ର। ଏଥିପାଇଁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଦାୟୀ। ୫ ବର୍ଷ ହେଲା ମୋଦୀ ସରକାର କମ୍ପାନିଗୁଡ଼ିକୁ ୩.୫ ଲକ୍ଷ କୋଟି ଟଙ୍କାର ଋଣ ଛାଡ଼ କରିଛନ୍ତି। ଅଥଚ ଚାଷୀଙ୍କୁ କୃଷିଋଣ ଛାଡ଼ କଥା ଉଠିଲେ ବାହାନାବାଜି ଚାଲିଛି। ଏହି କ୍ଷେତ୍ରରେ ଓଡ଼ିଶା ସରକାର ବି କିଛି କମ୍ ନୁହନ୍ତି। ନବୀନ ସରକାର ରାଜ୍ୟରେ ଶୀତଳ ଭଣ୍ଡାର ଏବଂ ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ରର ଜାଲ ବିଛାଇ ଦେବୁ ବୋଲି କହିଥିଲେ। ଜଳସେଚନ, ପାନୀୟ ଜଳ ଏବଂ ନିଯୁକ୍ତି ସୁଯୋଗ ଦେବା କଥା କହିଥିଲେ। ହେଲେ ସବୁଥିରେ ରାଜ୍ୟ ସରକାର ଫେଲ୍ ମାରିଛନ୍ତି। ମୋଦୀ ଏବଂ ନବୀନ ସାହେବ ବରଗଡ଼ ଜିଲ୍ଲାକୁ ଆସି ଧାନ ଉପରେ ବୋନସ୍ ପାଇଁ ଘୋଷଣା କରିଥିଲେ। ଯାହା ଆଜି ପର୍ଯ୍ୟନ୍ତ ଚାଷୀଙ୍କୁ ମିଳିଲା ନାହିଁ। ଓଡ଼ିଶାରେ ଦେଢ଼ ଲକ୍ଷ ସରକାରୀ ଚାକିରି, ୩୦ହଜାର ଶିକ୍ଷକ ଏବଂ ୫ହଜାର ଡାକ୍ତର ପଦ ଖାଲି ପଡ଼ିଛି। କଂଗ୍ରେସ କ୍ଷମତାକୁ ଆସିଲେ ଏସବୁ ପଦ ପୂରଣ କରିବ ବୋଲି ରାହୁଲ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ପୁଣି ସେ କହିଲେ, ୫ ହଜାର କୋଟି ଟଙ୍କାର ଚିଟ୍ ଫଣ୍ଡ, ୫୦ ହଜାର କୋଟି ଟଙ୍କାର ଖଣି ଦୁର୍ନୀତିରେ ନବୀନ ସରକାର ବୁଡ଼ି ରହିଛି। କାର୍ଯ୍ୟାନୁଷ୍ଠାନ ପାଇଁ ମୋଦୀ ସିବିଆଇ ଭୟ ଦେଖାଉଛନ୍ତି। ତେଣୁ ମୋଦୀଙ୍କ ହାତରେ ନବୀନଙ୍କ ରିମୋଟ୍ ରହିଛି। ଦୁଇ ସରକାରଙ୍କ ମଧ୍ୟରେ ସଲାସୁତୁରା ଚାଲିଛି ବୋଲି ସେ ଅଭିଯୋଗ କରିଥିଲେ। କଂଗ୍ରେସ ଓଡ଼ିଶାରେ ସରକାର ଗଢ଼ିଲେ ଚିଟ୍ଫଣ୍ଡ ଦୁର୍ନୀତିରେ ଲିପ୍ତ ଦୋଷୀଙ୍କୁ ଦଣ୍ଡ ଦେବ।
ଚାଷୀଙ୍କୁ ସବୁ ଋଣଛାଡ୍, ୫ ବର୍ଷ ଭିତରେ ଶିଳ୍ପ ପ୍ରତିଷ୍ଠାରେ ଫେଲ୍ ମାରିଥିବା କମ୍ପାନିଗୁଡ଼ିକରୁ ଜମି ଫେରାଇ ଆଦିବାସୀ ଏବଂ ଜନତାଙ୍କୁ ବଣ୍ଟନ ହେବ। କଂଗ୍ରେସ ସ୍ବାସ୍ଥ୍ୟ, ଶିକ୍ଷା ଏବଂ କୃଷିକୁ ପ୍ରାଧାନ୍ୟ ଦେବା ଭଳି ସରକାର ଗଢ଼ିବ ବୋଲି ରାହୁଲ କହିଥିଲେ।
ପିସିସି ସଭାପତି ନିରଂଜନ ପଟ୍ଟନାୟକ ନିଜ ସଂକ୍ଷିପ୍ତ ଭାଷଣରେ ରାଜ୍ୟରେ ୨୦ ବର୍ଷରେ ଜଳସେଚନ ସୁବିଧା ନଥିବାରୁ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ ସୋଲାର୍ ପମ୍ପ, ଶୀତଳ ଭଣ୍ଡାର ଏବଂ ଧାନର ମୂଲ୍ୟ ୨୬ଶହ ଟଙ୍କାକୁ ବୃଦ୍ଧି କରିବ। କ୍ୟାନସର ପ୍ରପୀଡ଼ିତ ବରଗଡ଼ ଜିଲ୍ଲାରେ ସୁପର ସ୍ପେସିଆଲିଟି ହସ୍ପିଟାଲ ଖୋଲିବ। ତେଣୁ କଂଗ୍ରେସକୁ ୫ବର୍ଷ ପାଇଁ ବିକାଶଧର୍ମୀ କାମ କରିବାକୁ ସୁଯୋଗ ଦେବା ପାଇଁ ସେ ଜନତାଙ୍କୁ ନିବେଦନ କରିଥିଲେ। ଅନ୍ୟପକ୍ଷରେ ମହାନଦୀ ବିବାଦ ଉଭୟ ରାଜ୍ୟ ମଧ୍ୟରେ ଆପୋସ ବୁଝାମଣା ଜରିଆରେ ସମାଧାନ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ତାଙ୍କ ରାଜ୍ୟରୁ ବିଜେପି ମୂଳପୋଛ ହେବା ଭଳି ଓଡ଼ିଶାରୁ ବିଜେଡିକୁ ମୂଳପୋଛ କରିବାକୁ ଆହ୍ବାନ ଦେଇଥିଲେ। ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ, ଛତିଶଗଡ଼ର ସ୍ବାସ୍ଥ୍ୟମନ୍ତ୍ରୀ ଟିଏସ୍ ସିଂଦେଓ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ସାଧୁ ନେପାକ, ନିହାର ମହାନନ୍ଦ, ଜଗନ୍ନାଥ ପଟ୍ଟନାୟକ, ରିପୁନାଥ ସେଠ, ଶରତ ପଟ୍ଟନାୟକ, ପ୍ରକାଶଚନ୍ଦ୍ର ଦେବତା, ନିପନ ଦାଶ, ଯୁଗଳ ପ୍ରସାଦ ସିଂହ, ସତ୍ୟଭୂଷଣ ସାହୁ, ଜୟଦେବ ଜେନା, ସନ୍ତୋଷ ସିଂ ଭୋଇ, ପ୍ରଫୁଲ୍ଲ ମାଝୀ, ସଂଜୟ ଭୋଇ, ଅମୀୟ ପଟ୍ଟନାୟକ, ହମିଦ ହୁସେନ, ସୁମିତ୍ର ଜେନା, ଅଭିଷେକ ମହାନନ୍ଦ, ହରଦୀପ ସିଂହ ପ୍ରମୁଖ ଉଦ୍ବୋଧନ ଦେଇଥିଲେ।