ରାହୁଲଙ୍କ ସମାବେଶ ନେଇ ନିରଞ୍ଜନଙ୍କ ସୂଚନା : କଟକରେ ନୁହେଁ, ଭୁବନେଶ୍ବରରେ ହେବ

ଭୁବନେଶ୍ବର : ଆସନ୍ତା ୨୫ ତାରିଖରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ତେବେ ପୂର୍ବ ଘୋଷଣା ଅନୁଯାୟୀ କଟକର ବାଲିଯାତ୍ରା ପଡ଼ିଆରେ ରାହୁଲଙ୍କ ଜନ ସମାବେଶର ଆ‌େୟାଜନ ହେବ ନାହିଁ। ଭୁବନେଶ୍ବରରେ ହିଁ ପ୍ରସ୍ତାବିତ ସମାବେଶର ଆୟୋଜନ କରାଯିବ।

ଆଜି ଏ‌ ନେଇ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ। ସେ କହିଲେ, ଯଦିଓ ରାହୁଲଙ୍କ ସମାବେଶ ପାଇଁ ସ୍ଥାନ ଚୂଡ଼ାନ୍ତ ହୋଇନାହିଁ, ଭୁବନେଶ୍ବରର ୨ଟି ସ୍ଥାନ ଚିହ୍ନଟ ହୋଇଛି। ତମାଣ୍ଡେ ପଡ଼ିଆ କି ବରମୁଣ୍ଡା ପଡ଼ିଆ ଏଥିମଧ୍ୟରୁ ଗୋଟିକରେ ଜନ ସମାବେଶ ଆୟୋଜନ କରାଯିବ। ଲକ୍ଷାଧିକ ଲୋକଙ୍କ ସମାବେଶ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ସ୍ଥାନ ଚିହ୍ନଟ କରାଯାଇଛି।

କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଜନ ସମାବେଶରେ ଉଦ୍‌ବୋଧନ ଦେବା ସହିତ ସିଭିଲ୍‌ ସୋସାଇଟି ସଦସ୍ୟ, ଚାଷୀ ପ୍ରତିନିଧି, ହିନ୍ଦୁସ୍ଥାନ ଏରେ‌ାନେଟିକ୍ସ ଲିମିଟେଡ୍‌(ହାଲ୍‌) ପ୍ରତିନିଧିମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସେ ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। କଂଗ୍ରେସର ଅଧ୍ୟକ୍ଷ ହେବା ପରେ ଏହା ହେବ ତାଙ୍କର ପ୍ରଥମ ଗସ୍ତ। ଏହି ଗସ୍ତ କଂଗ୍ରେସ କର୍ମୀ ଓ କର୍ମକର୍ତାମାନଙ୍କ ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ। କାରଣ ଗତ ନିର୍ବାଚନରେ କଂଗ୍ରେସ ଦଳ ବିଜେପି ଶାସିତ ୩ଟି ରାଜ୍ୟ ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରେ ବିଜୟୀ ହୋଇ ଶାସନ ଡୋରି ହାତକୁ ନେଇଛି।

ସମ୍ବନ୍ଧିତ ଖବର