ପୁରୀରେ ‘ଗୁଡ୍ ନ୍ୟୁଜ୍ ଇଣ୍ଡିଆ ଡ୍ରିମ୍’ ସେଣ୍ଟରରେ ଚଢ଼ଉ

ପୁରୀ : ଢେଙ୍କାନାଳ ବେଲଟିକିରିସ୍ଥିତ ଗୁଡ ନ୍ୟୁଜ୍ ଇଣ୍ଡିଆ ଡ୍ରିମ୍ ସେଣ୍ଟର ଓପନ୍‌ ସେଲଟର ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଘଟଣା ରାଜ୍ୟବ୍ୟାପୀ ଆଲୋଡନ ସୃଷ୍ଟି କରିଛି। ଏହାକୁ ନେଇ ଖୋଳତାଡ ଆରମ୍ଭ ହୋଇଛି। ଏହି ଅନୁଷ୍ଠାନର ଏକ ଶାଖା ପୁରୀ ଚକ୍ରତୀର୍ଥ ‌ରୋଡ ପେଣ୍ଠକଟା ଅଞ୍ଚଳରେ ଚାଲିଥିବା ଜଣାପଡିଛି।

ଏହି ଘଟଣା ପ୍ରଶାସନର ନଜରକୁ ଆସିବା ପରେ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ (ଡିସିପିୟୁ) ଓ ଜିଲ୍ଲା ଶିଶୁ ମଙ୍ଗଳ କମିଟି (ସିବ୍ଲୁସି)ର ୪ ଜଣିଆ ଟିମ୍ ଶନିବାର ଅପରାହ୍ନରେ ଚଢାଉ କରିଛନ୍ତି। ଯାଞ୍ଚ ବେଳେ ଉକ୍ତ ଶାଖାରେ ୮୧ ଜଣ ନାବାଳିକା ରହୁଥିବା ଜଣାପଡିଛି। ପ୍ରଶାସନର ଟିମ୍ ନାବାଳିକାଙ୍କୁ ପଚରାଉଚରା କରିବା ସହିତ ଅନୁଷ୍ଠାନର କାଗଜପତ୍ର ଯାଞ୍ଚ କରି ଫେରିଛନ୍ତି। ସୋମବାର ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର