ନୀଳାଚଳ କାର୍ବୋ ମେଟାଲିକ୍ସରେ ଚଢ଼ଉ

ଜଗନ୍ନାଥଙ୍କ ଜମିରେ କାରଖାନା ନିର୍ମାଣ ଅଭିଯୋଗ, ଚଢ଼ଉରେ ସାମିଲ ହେଲେ ପ୍ରଦୂଷଣ, ରାଜସ୍ବ ଏବଂ ପୁଲିସ ଅଧିକାରୀ

ଚଢ଼େଇଧରା : ମହାପ୍ରଭୁ ଜଗନ୍ନାଥଙ୍କ ଜମିରେ ବେଆଇନ କାରଖାନା ନିର୍ମାଣ ଅଭିଯୋଗକୁ ନେଇ ଫସିଛି ନୀଳାଚଳ କାର୍ବୋ ମେଟାଲିକ୍ସ ପ୍ରାଇଭେଟ ଲିମିଟେଡ (ହାର୍ଡକୋକ୍‌) କଂପାନି। ହାଇକୋର୍ଟଙ୍କ ନିର୍ଦେଶରେ ଆଜି ଏହି କାରଖାନା ଉପରେ ମିଳିତ ଭାବେ ଚଢ଼ଉ କରିଛନ୍ତି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଜସ୍ବ ଏବଂ ପୁଲିସ ଅଧିକାରୀ। ଚଢ଼ଉ ବେଳେ କଂପାନି ଆବଶ୍ୟକ ଦସ୍ତାବିଜ ଦାଖଲ କରି ନପାରିବାରୁ ୨୯ ତାରିଖ ପର୍ଯ୍ୟନ୍ତ ମହଲତ ଦିଆଯାଇଛି।

ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧୀନସ୍ଥ ସାହାଣୀଡିହ ପଞ୍ଚୟତର ବାରମାଣ ଗ୍ରାମ ଆଦିବାସୀ ଝୋଟମୁଣ୍ଡା ସାହିଠାରେ ସ୍ଥାପିତ ହୋଇଛି ନୀଳାଚଳ କାର୍ବୋ ମେଟାଲିକ୍ସ ପ୍ରାଇଭେଟ୍ ଲିମିଟେଡ୍ (ହାର୍ଡକୋକ୍‌) ପ୍ଲାଂଟ୍। ଏହି କାରଖାନା ଯେଉଁ ଜମି ଉପରେ ଠିଆ ହୋଇଛି ତାହା ମହାପ୍ରଭୁ ଜଗନ୍ନାଥଙ୍କ ଦେବୋତ୍ତର ଜମି ବୋଲି ଦାବି କରି ଗଗନ ବିହାରୀ ମହାନ୍ତି ନାମକ ଜଣେ ବ୍ୟକ୍ତି ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ ।

ଉଚ୍ଚ ନ୍ୟାୟାଳୟଙ୍କ ପି.ସି ନଂ ୫୯୧୫/୧୯ର ନିର୍ଦେଶ୍ ଅନୁସାରେ ଆଜି କଳିଙ୍ଗନଗର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ, ଧର୍ମଶାଳା ତହସିଲଦାର ଓ ଜେନାପୁର ଥାନା ଅଧିକାରୀଙ୍କୁ ନେଇ ଗଠିତ ଟିମ କାରଖାନାରେ ଚଢ଼ଉ କରିଥିଲେ। ଏହି ଟିମ୍‌ କାରଖାନା କର୍ମଚାରୀଙ୍କ ଉପସ୍ଥିତିରେ ତଦନ୍ତ ଆରମ୍ଭ କରିଥିଲେ। ମାତ୍ର ତଦନ୍ତ ସମୟରେ ହର୍ଡକୋକ୍‌ ପ୍ଲାଣ୍ଟ କର୍ମଚାରୀ କୌଣସି କାଗଜପତ୍ର ଦର୍ଶାଇ ପାରିନଥିଲେ। ଆସନ୍ତା ୨୯ ତାରିଖ ସୁଦ୍ଧା ଧର୍ମଶାଳା ତହସିଲ କାର୍ଯ୍ୟାଳୟରେ କାରାଖାନାର ଜମିଜମା ସମ୍ବନ୍ଧୀୟ କାଗାଜ ପତ୍ର, କାରାଖାନା ନିମନ୍ତେ ଅନୁମତି ପତ୍ର, ଆଞ୍ଚଳିକ ପ୍ରଦୂଷଣ ବୋର୍ଡର ଏନ୍ଓସି, ଗ୍ରାମ ପଞ୍ଚାୟତର ଏନଓସି ଏବଂ ମାଇନିଂ ଲାଇସେନ୍ସ ଆଦି ପ୍ରମାଣ ପତ୍ର ଦାଖଲ କରିବା ପାଇଁ ନୋଟିସ୍ ଲଗାଯାଇଛି। ଧାର୍ଯ୍ୟ ସମୟରେ କାରାଖାନା କର୍ତ୍ତୃପକ୍ଷ ଆବଶ୍ୟକ ଦସ୍ତାବିଜ ଦାଖଲ ନ କଲେ ଆଇନ ଅନୁସାରେ କାରଖାନାକୁ ବନ୍ଦ ପାଇଁ ପଦକ୍ଷେପ ନିଆଯିବ ବୋଲି ତହସିଲଦାର ଶ୍ରୀ ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର