ଅଗ୍ନିଶମ ବିଭାଗ ସ୍କାନର୍‌ରେ ଘରୋଇ ହସ୍ପିଟାଲ : ୨୬ଟି ସଂସ୍ଥାକୁ ନୋଟିସ୍‌ ଜାରି

କଟକ-ଭୁବନେଶ୍ୱରରେ ୧୫ ମିଟରରୁ ଅଧିକ ଉଚ୍ଚର ୨ ହଜାର କୋଠା ଯାଞ୍ଚ ହେବ

କଟକ : ରାଜ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ଆଜି ବିଭିନ୍ନ ଘରୋଇ ହସ୍ପିଟାଲରେ ଚଢଉ କରାଯାଇଛି। ନିୟମ ଖିଲାପକାରୀ ୨୬ଟି ସଂସ୍ଥାକୁ ନୋଟିସ ଜାରି କରାଯାଇଥିବା ବେଳେ ତ୍ରୁଟି ସୁଧାର ନହେଲେ ସିଲ୍‌ କରାଯିବ ବୋଲି ଚେତାଇ ଦିଆଯାଇଛି। ଆଜି ଅଗ୍ନି ନିରାପତ୍ତା ଯାଞ୍ଚ ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ୧୦ ଜଣିଆ ଟିମ୍‌ ଗଠନ କରାଯାଇ ଢେଙ୍କାନାଳ ଜିଲ୍ଲାର ୧୦ଟି, ନୟାଗଡ଼ ଜିଲ୍ଲାର ୯ଟି ଏବଂ ଜଗତ୍‌ସିଂହପୁର ଜିଲ୍ଲାର ୭ଟି ଘରୋଇ ହସ୍‌ପିଟାଲ୍‌ରେ ଚଢ଼ଉ କରାଯାଇଥିଲା। ଯାଞ୍ଚ ସମୟରେ ଏହି ହସ୍‌ପିଟାଲ୍‌ ଗୁଡିକରେ ଅଗ୍ନିଶମ ନିରାପତ୍ତା ଆଇନର ଖୋଲା ଉଲ୍ଲଙ୍ଘନ ହୋଇଥିବା ଧରା ପଡ଼ିଥିଲା। ଏମାନେ ଅଟୋମେଟିକ୍‌ ସ୍ମୋକ୍‌ ଡିଟେକ୍ଟର, ହୋସ୍‌ ପାଇପ୍‌, ସାଇନ୍‌ ଏଜ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ଅଗ୍ନି ନିର୍ବାପକ ଯନ୍ତ୍ରାଂଶ ବ୍ୟବହାର କରୁ ନାହାନ୍ତି। ଆଗାମୀ ୩ ମାସ ମଧ୍ୟରେ ନିୟମ ଅନୁସାରେ ଘରୋଇ ହସ୍ପିଟାଲ ଗୁଡିକ ଅଗ୍ନି ମୁକାବିଲା ଉପକରଣ ବ୍ୟବହାର ନକଲେ ହସ୍‌ପିଟାଲ୍‌ଗୁଡ଼ିକୁ ସିଲ୍‌ କରି ଦିଆଯିବ ବୋଲି ଅଗ୍ନିଶମ ବିଭାଗ ଡିଜି ବିଜୟ ଶର୍ମା କହିଛନ୍ତି।

ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ଅକ୍ଟୋବର ୪ ତାରିଖରେ ଅଗ୍ନିଶମ ବିଭାଗ ପାଇଁ ନୂଆ ନିୟମାବଳୀ କାର୍ଯ୍ୟକାରୀ ହୋଇଥିଲା। ପୂର୍ବରୁ ଅଗ୍ନି ନିର୍ବାପକ ଉପକରଣ ବ୍ୟବହାର କରୁନଥିବା ହସ୍‌ିପିଟାଲ୍‌ ଏବଂ ଆପାର୍ଟମେଣ୍ଟ ମାଲିକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ବିଭାଗ ଗ୍ରହଣ କରିପାରୁନଥିଲା। କେବଳ ସେମାନଙ୍କୁ ନୋଟିସ୍‌ ଦେବାରେ ସୀମିତ ରହୁଥିଲା । କିନ୍ତୁ ଏବେ ନିୟମ ଖିଲାଫକାରୀ ସଂସ୍ଥାକୁ ସ୍ଥାନୀୟ ପୁଲିସ ସହାୟତାରେ ସିଲ୍‌ କରିବାକୁ ଅଗ୍ନିଶମ ବିଭାଗକୁ କ୍ଷମତା ମିଳିଛି । ଯେଉଁ ହସ୍‌ପିଟାଲ୍‌ର କୋଠା ୧୫ ମିଟର୍‌ରୁ ଅଧିକ ହୋଇଥିବ, ୧୦୦ ଶଯ୍ୟା ରହିଥିବ ସେମାନେ ଅଗ୍ନିଶମ ବିଭାଗ ଡିଜିଙ୍କ ନିକଟରେ ଧାର୍ଯ୍ୟ ଦେୟ ଦାଖଲ କରି ନିରାପତ୍ତା ପ୍ରମାଣପତ୍ର ନେବା ବାଧ୍ୟତାମୂଳକ କରାଯାଇଛି। ଆପାର୍ଟମେଣ୍ଟ, ଶିକ୍ଷାନୁଷ୍ଠାନ, ସପିଂ ମଲ୍‌, ସିନେମା ହଲ୍‌ ଇତ୍ୟାଦିର ଉଚ୍ଚତା ବି ଯଦି ୧୫ ମିଟର୍‌ରୁ ଅଧିକ ହେବ ତେବେ ସମ୍ପୃକ୍ତ ସଂସ୍ଥା ପାଇଁ ବି ଏହି ନିୟମ ଲାଗୁ ହେବ।

ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପ୍ଲାନିଂ ଅଥରିଟିଙ୍କ ନିକଟରେ ଦାଖଲ କରିବା ପରେ ସିଏ ପ୍ଲାନ୍‌ ଅନୁମୋଦନ କରିବେ। କୋଠା ନିର୍ମାଣ କାର୍ଯ୍ୟ ଶେଷ ହେଲେ ଏକ ଟିମ୍‌ ଅଗ୍ନିଶମ ବିଭାଗ ପକ୍ଷରୁ ଉକ୍ତ ସ୍ଥାନକୁ ଗସ୍ତ କରି ଧାର୍ଯ୍ୟ ନିୟମ ଅନୁଯାୟୀ ଅଗ୍ନି ନିରାପତ୍ତା ଉପକରଣ ଠିକ୍‌ ଭାବେ ଖଞ୍ଜା ହୋଇଥିଲେ ଫାୟାର ସେଫ୍ଟି ସାର୍ଟିଫିକେଟ୍‌ ପ୍ରଦାନ କରିବେ । ସେହିପରି ଉକ୍ତ କୋଠା ୧୫ ମିଟରରୁ କମ୍‌ ଉଚ୍ଚତା ବିଶିଷ୍ଟ ହୋଇଥିଲେ ଜିଲ୍ଲା ଅଗ୍ନିଶମ ବିଭାଗ ନିକଟରେ ଦେୟ ଦାଖଲ କରାଯାଇ ପ୍ରମାଣପତ୍ର ହାସଲ କରିପାରିବେ। ଅନ୍ୟପଟେ ଅକ୍ଟୋବର ୪ ତାରିଖରେ ନିୟମ ଲାଗୁ ହେବା ପୂର୍ବରୁ ଯେଉଁ ହସ୍‌ପିଟାଲ୍‌ କିମ୍ବା ଅନ୍ୟ କୋଠାଗୁଡ଼ିକ ନିର୍ମାଣ ହୋଇଛି, ସେହି ହସ୍‌ପିଟାଲ୍‌ କିମ୍ବା କୋଠାକୁ ପ୍ଲାନିଂ ଅଥରିଟିଙ୍କ ଅନୁମୋଦନ ମିଳିଛି କି ନାହିଁ ତାହା ଯାଞ୍ଚ କରାଯିବ। ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିଲେ ସେମାନଙ୍କୁ ନୋଟିସ୍‌ ଜାରି କରାଯିବ। ନୋଟିସ ମିଳିବାର ୩ ମାସ ମଧ୍ୟରେ ନିୟମ ପାଳନ ନକଲେ କୋଠାକୁ ସିଲ୍‌ କରିଦିଆଯିବ ।

ଅଗ୍ନିଶମ ଡିଜି ବିଜୟ ଶର୍ମା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଆଜି ୨୬ଟି ହସ୍‌ପିଟାଲ୍‌ରେ ଚଢ଼ଉ କରାଯାଇଛି। ଅନେକ ସ୍ଥାନରେ ଅଗ୍ନି ନିରୋଧ ଉପକରଣ ନଥିବା ବେଳେ କର୍ମଚାରୀଙ୍କୁ ଠିକ୍‌ ଭାବେ ତାଲିମ ପ୍ରଦାନ କରାଯାଇନଥିବା ଜଣାପଡ଼ିଛି । ରୁଲ୍‌ ୯ ଅନୁଯାୟୀ, କଟକ ଓ ଭୁବନେଶ୍ୱରରେ ୧୫ ମିଟର୍‌ରୁ ଅଧିକ ଉଚ୍ଚତା ବିଶିଷ୍ଟ ୨ ହଜାର କୋଠାଗୁଡ଼ିକରେ ଫାୟାର ସେଫ୍ଟି ସାର୍ଟିଫିକେଟ୍‌ ଆବଶ୍ୟକତା ରହିିଛି । ଏବେ ଯାଞ୍ଚ ଚାଲିଥିବା ବେଳେ ଏହି ସଂଖ୍ୟା ବଢ଼ିପାରେ ବୋଲି ଡିଜି କହିଛନ୍ତି ।

ସମ୍ବନ୍ଧିତ ଖବର