ବର୍ଷାରେ ଧୋଇଗଲା ରେଳଧାରଣା : ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ୍, ରାୟଗଡ଼ା-ଟିଟିଲାଗଡ଼ ମଧ୍ୟରେ ରେଳ ଚଳାଚଳ ବନ୍ଦ

୬ ପାସେଞ୍ଜର, ୨ ଏକ୍ସପ୍ରେସ୍ ଟ୍ରେନ୍ ବାତିଲ୍, ୫ ଏକ୍ସପ୍ରେସ୍ ଟ୍ରେନର ଗତିପଥ ପରିବର୍ତନ

ରାୟଗଡା/ମୁନିଗୁଡା/ଆମ୍ବାଦଳା : ଲଗାଣ ବର୍ଷାରେ ରେଳଧାରଣା ଉପରେ ବର୍ଷା ପାଣି ପ୍ରବାହିତ ଯୋଗୁ ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ମୁନିଗୁଡା ବ୍ଲକ୍‌ର ଆମ୍ବାଦଳା ନିକଟରେ ରେଳଧାରଣା ଧୋଇଯାଇଛି। ଶହେ ମିଟର ଅଞ୍ଚଳରେ ରେଳଧାରଣା ତଳେ ପଡିଥିବା ମାଟି, ବଜୁରି ଧୋଇଯିବା କାରଣରୁ ଉକ୍ତ ଲାଇନ୍ ଦେଇ ବେଦାନ୍ତକୁ ଯାଉଥିବା ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଯାଇଛି। ମାଲବାହୀ ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ ୫୬ଟି ବଗି ସୁରକ୍ଷିତ ରହିଛି । ଟ୍ରାକ୍ ମରାମତି କାମ ବିଳମ୍ବ ଯୋଗୁଁ ରାୟଗଡା-ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ମଙ୍ଗଳବାର ମଧ୍ୟରାତ୍ରିରେ ଏହି ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁସାରେ, ୬ଟି ପାସେଞ୍ଜର, ୨ଟି ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳକୁ ବାତିଲ୍ କରାଯାଇଥିବାବେଳେ ୫ଟି ଏକ୍ସପ୍ରେସ୍ ଟ୍ରେନ୍‌ର ଗତିପଥ ପରିବର୍ତନ ହୋଇଛି। ରେଳ ଚଳାଚଳ ସଂପର୍କିତ ସୂଚନା ପାଇଁ ସମ୍ବଲପୁର ଓ ଟିଟିଲାଗଡ ରେଳଷ୍ଟେସନରେ ୩ଟି ହେଲପ୍ ଲାଇନ୍ ନମ୍ବର ଜାରି କରାଯାଇଛି। ଘଟଣା ସଂପର୍କରେ ସୂଚନା ଦେଇଥିବା ଟ୍ରାକ୍ ପେଟ୍ରୋଲିଂ କର୍ମଚାରୀ ଏସ୍. ନାଇଡୁ ଓ ଏମ୍. ରାମନାଙ୍କୁ ୫ ହଜାର ଟଙ୍କାର ଆର୍ଥିକ ପୁରସ୍କାର ରାଶି ପ୍ରଦାନ ପାଇଁ ଘୋଷଣା କରିଛି ରେଲୱେ ବିଭାଗ।

ପ୍ରବଳ ବର୍ଷା ଯୋଗୁଁ ଦହିଖାଲ-ଆମ୍ବଦଳା ରେଳଲାଇନ୍ ଉପରେ ପ୍ରବଳ ବେଗରେ ପାଣି ପ୍ରବାହିତ ହୋଇଥିଲା। ପ୍ରବଳ ବେଗରେ ବର୍ଷା ଜଳ ପ୍ରବାହିତ ହେବା ଯୋଗୁଁ ରେଳ ଲାଇନ୍ ଦୁର୍ବଳ ହୋଇପଡିଥିଲା। ଏହି ସମୟରେ ଆମ୍ବଦଳା ଷ୍ଟେସନରୁ ବେଦାନ୍ତ କାରଖାନାକୁ ଯାଉଥିବା ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା। ଟ୍ରେନ୍‌ର ୧୯, ୨୦, ୨୧ ନମ୍ବର ବଗି ଲାଇନଚ୍ୟୁତ୍ ହୋଇ ଟ୍ରେନରୁ ଅଲଗା ହୋଇ କିଛି ଦୂର ଭାସି ଯାଇଥିଲା। ଏହି ସମୟରେ ଟ୍ରାକ୍ ପେଟ୍ରୋଲିଂରେ ଥିବା ଆମ୍ବାଗୁଡା ଷ୍ଟେସନର ଟ୍ରାକ୍ ମ୍ୟାନ୍ ଏସ୍. ନାଇଡୁ, ଏମ୍. ରାମଣା ଘଟଣା ସଂପର୍କରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିବା ପରେ ଉକ୍ତ ରାସ୍ତା ଦେଇ ଟ୍ରେନ ଚଳାଚଳକୁ ବାତିଲ୍ କରାଯାଇଥିଲା। ଘଟଣାସ୍ଥ‌ଳରେ ବିଭାଗୀୟ ଉଚ୍ଚ ଅଧିକାରୀ, ଇଂଜିନିୟର୍ ଟିମ୍ ପହଞ୍ଚିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ। ଅନ୍ୟପକ୍ଷରେ ବର୍ଷା କମିବା ପରେ ମଧ୍ୟାହ୍ନ ୧୨ଟାରେ ଟ୍ରାକ୍ ମରାମତି କାମ ଆରମ୍ଭ ହୋଇଛି।

ସମ୍ବଲପୁର ରେଲୱେ ଡିଭିଜିନାଲ୍ ମ୍ୟାନେଜର୍ ଡ. ଜୟଦୀପ ଗୁପ୍ତାଙ୍କ ସମେତ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ରେଳଲାଇନ ଉପରେ ପାଣି ଚାଲିବା ଯୋଗୁଁ ମରାମତି କାମରେ ବାଧା ଉପୁଜୁଥିବା ସୂଚନା ମିଳିଛି। ସମ୍ବଲପୁର ଓ ରାୟଗଡା ଷ୍ଟେସନରୁ ଆକ୍ସିଡେଣ୍ଟ୍ ରିଲିଫ୍ ଟ୍ରେନ୍ ଘଟଣାସ୍ଥଳ‌କୁ ଯାଇ ପୁନରୁଦ୍ଧାର କାମରେ ନିୟୋଜିତ ହୋଇଛି।

ଟ୍ରାକ୍ ମରାମତି ବିଳମ୍ବ ଯୋଗୁଁ ଆଜି ସମ୍ବଲପୁର-କୋରାପୁଟ-ସମ୍ବଲପୁର ପାସେଞ୍ଜର, ସମ୍ବଲପୁର-ଜୁନାଗଡ଼ ରୋଡ୍‌-ସମ୍ବଲପୁର ପାସେଞ୍ଜର, ରାୟପୁର-ବିଶାଖାପାଟଣା-ରାୟପୁର ପାସେଞ୍ଜର, ରାୟଗଡ଼ା-ସମ୍ବଲପୁର-ରାୟଗଡ଼ା ଇଣ୍ଟରସିଟ୍ ଏକ୍ସପ୍ରେସ୍, ଦୁର୍ଗ-ବିଶାଖାପାଟଣା-ଦୁର୍ଗ ପ‌ାସେଞ୍ଜର୍, ଜଗଦଲପୁର-ରାଉରକେଲା-ଜଗଦଲପୁର, କୋରବା-ବିଶାଖାପାଟଣା-କୋରବା ଏକ୍ସପ୍ରେସକୁ ଉଭୟ ପାର୍ଶ୍ବରୁ ବାତିଲ୍ କରାଯାଇଛି।

୮ ତାରିଖରେ ଏହି ରେଳ ଲାଇନ୍ଦେଇ ଚଳାଚଳ କରିବାକୁ ଥିବା ରାୟପୁର-ବିଶାଖାପାଟଣା-ରାୟପୁର ପାସେଞ୍ଜର୍, ସମ୍ବଲପୁର-କୋରାପୁଟ-ସମ୍ବଲପୁର ପାସେଞ୍ଜର୍, ସମ୍ବଲପୁର-ଜୁନାଗଡରୋଡ୍-ସମ୍ବଲପୁର ପାସେଞ୍ଜରକୁ ବାତିଲ୍ କରାଯାଇଛି। ୧୩ଟି ଟ୍ରେନର ଗତିପଥ ପରିବର୍ତନ କରାଯାଇଛି। ଅହମଦାବାଦ- ପୁରୀ ଏକ୍ସପ୍ରେସ୍ ଭାୟା ଟିଟିଲାଗଡ-ସମ୍ବଲପୁର-ଅନୁଗୁଳ-ଖୋର୍ଧା ରୋଡ୍ ଦେଇ ଚଳାଚଳ କରିବ। ସେହିପରି ପୁରୀ-ଅହମଦାବାଦ ଏକ୍ସପ୍ରେସ୍ ଦୁଭଡା-ବାଲହର୍ଷ-ନାଗପୁର ଦେଇ, ବେଙ୍ଗାଲୁରୁ କ୍ୟାଣ୍ଟିନ୍-ହାଟିଆ ଏକ୍ସପ୍ରେସ୍ ବିଜୟନଗରମ-ଖୋର୍ଧାରୋଡ୍-ଅନୁଗୁଳ-ସମ୍ବଲପୁର ଦେଇ, ଧାନବାଦ-ଆଲେପି ଏକ୍ସପ୍ରେସ୍ ସମ୍ବଲପୁର-ଖୋର୍ଧା-ଅନୁଗୁଳ-ବିଜୟନଗରମ ଦେଇ, ଜସଦିହ-ଚେନ୍ନାଇ ଏକ୍ସପ୍ରେସ୍ ସମ୍ବଲପୁର-ଅନୁଗୁଳ-ଖୋର୍ଧା-ବିଜୟନଗରମ ଦେଇ, ଯଶବନ୍ତପୁର-ହାଟିଆ ଏକ୍ସପ୍ରେସ୍ ଖୋର୍ଧା ରୋଡ୍-ଅନୁଗୁଳ-ସମ୍ବଲପୁର ଦେଇ, ବିଶାଖାପାଟଣା-ନିଜାମୁଦ୍ଧିନ୍ ଏକ୍ସପ୍ରେସ୍ ଦୁଭୁଡା- ବାଲିହର୍ଷ-ନାଗପୁର ଦେଇ, ସମ୍ବଲପୁର-ବଂଶୱାଡି ଏକ୍ସପ୍ରେସ୍ ଅନୁଗୁଳ-ଖୋର୍ଧା ରୋଡ୍-ବିଜୟନଗରମ ଦେଇ, ନିଜାମୁଦ୍ଦିନ୍-ବିଶାଖାପାଟଣା ଏକ୍ସପ୍ରେସ୍ ଅନୁଗୁଳ-ଖୋର୍ଧା ରୋଡ୍-ବିଜୟନଗରମ ଦେଇ, ନାନ୍ଦେଡ-ସମ୍ବଲପୁର ଏକ୍ସପ୍ରେସ୍ ବିଜୟନଗରମ-ଖୋର୍ଧା ରୋଡ୍-ଅନୁଗୁଳ ଦେଇ ଚଳାଚଳ କରିବାକୁ ନିଷ୍ପତ୍ତି ହୋଇଛି। ଅନ୍ୟପକ୍ଷରେ ଆଶିଂକ ଭାବେ ୧୩ଟି ଟ୍ରେନକୁ ରାୟଗଡା-ଟିଟିଲାଗଡ ଷ୍ଟେସନ ମଧ୍ୟରେ ବାତିଲ୍ କରାଯାଇଥିବାବେଳେ ହୀରାଖଣ୍ଡ ଆଜି ଜଗଦଳପୁର ପରିବର୍ତେ ରାୟଗଡାରୁ ଏବଂ ଭୁବନେଶ୍ବରରୁ ଜଗଦଲପୁର ଆସିବାକୁ ଥିବା ହୀରାଖଣ୍ଡ ରାତି ୧୧ଟାରେ ଭୁବନେଶ୍ବରରୁ ଛାଡିବ ବୋଲି ବିଭାଗ ସୂଚନା ଦେଇଛି।

ସମ୍ବନ୍ଧିତ ଖବର