ଟ୍ରେନ୍‌ରେ ଛିନ୍‌ତାଇ ଘଟଣା : କ୍ୟାମେରାରୁ ଧରା ହେବେ ଫେରାର ପୁଲିସ

କଟକ : ଭୁବନେଶ୍ୱରରୁ ହାଓ୍ଵଡା ଯାଉଥିବା ସାଲିମାର୍‌ ଏକ୍ସପ୍ରେସ୍‌ରେ ତିନି କନେଷ୍ଟବଳ ଯାତ୍ରୀଙ୍କ ଟଙ୍କା ଛଡ଼ାଇବା ଘଟଣାକୁ ଗୁରୁତର ସହିତ ନେଇଛି ରେଳ ବିଭାଗ । ଗଲାକାଲି ଅଭିଯୁକ୍ତ କନେଷ୍ଟବଳଙ୍କୁ ଚାକିରିରୁ ନିଲମ୍ବନ କରିଥିବା ବେଳେ ସେମାନଙ୍କୁ କୈଫତ୍‌ ତଲବ କରାଯିବ । କେଉଁ ପରିସ୍ଥିତିରେ ଏବଂ କାହିଁକି ଯାତ୍ରୀଙ୍କ ନିକଟରୁ ଚଳନ୍ତା ଟ୍ରେନ୍‌ରେ କନେଷ୍ଟବଳମାନେ ସଂଘବଦ୍ଧ ଆକ୍ରମଣ ଏବଂ ଟଙ୍କା ମାଗିଥିଲେ, ଏ ସଂକ୍ରାନ୍ତରେ ଅଭିଯୁକ୍ତ କନେଷ୍ଟବଳମାନେ ରେଳବାଇ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଜବାବ ଦାଖଲ କରିବେ । ଏହାବାଦ୍‌ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ମଧ୍ୟ ଖୁବ ଶୀଘ୍ର ଆରମ୍ଭ କରାଯିବ। ଜଣେ ଡିଏସ୍‌ପି ପାହ୍ୟାର ଅଧିକାରୀ ତଦନ୍ତ କରିବା ସହିତ ଚାର୍ଜ ଫ୍ରେମ କରିବେ । ଅନ୍ୟପଟେ ସିସି କ୍ୟାମେରା ଫୁଟେଜ ମଧ୍ୟ ଯାଞ୍ଚ କରାଯିବ ବୋଲି ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ସାଲିମାର୍‌ ଏକ୍ସପ୍ରେସ୍‌ରେ ଭୁବନେଶ୍ୱରରୁ ହାୱଡା ଯାଉଥିବା ପଶ୍ଚିମବଙ୍ଗ ମାଲଦା ଜିଲ୍ଲାର ତିନି ଜଣ ଯାତ୍ରୀଙ୍କୁ ଚଳନ୍ତା ଟ୍ରେନ୍‌ରେ କଟକ ରେଳବାଇ ଏସ୍‌ପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ପ୍ରାୟ ୧୫ ଜଣ ଏପିଆର୍‌ କନେଷ୍ଟବଳ ଏବଂ ହାବିଲ୍‌ଦାର ଟଙ୍କା ଛଡ଼ାଇ ଥିଲେ। ମାଲ୍‌ଦା ଜିଲ୍ଲାର ମୁଦାହାର୍‌ ହୁସେନ୍‌ ପୁଲିସ କର୍ମଚାରୀଙ୍କ ନିର୍ଯାତନା ବିରୋଧରେ ଯାଜପୁର ରୋଡ ଜିଆର୍‌ପି ଫାଣ୍ଡିରେ ଅଭିଯୋଗ କରିଥିଲେ । ଏହି ଘଟଣାରେ ଗଲା କାଲି ୩ ଏପିଆର୍‌ କନେଷ୍ଟବଳଙ୍କୁ ରେଳବାଇ ଏସ୍‌ପି ନିଲମ୍ବନ କରିଥିବା ବେଳେ ଜଖପୁର ଷ୍ଟେସନ୍‌ ମାଷ୍ଟରଙ୍କ ବୟାନ ଏସ୍‌ପିଓ ଶରତ ମିଶ୍ର ରେକର୍ଡ କରିଛନ୍ତି । ଏହାବାଦ୍‌ ଗଲାକାଲି ସାଲିମାର୍‌ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଡ୍ୟୁଟି କରୁଥିବା ଟିଟି, ଘଟଣା ସମ୍ପର୍କରେ ଖବର ପାଇ ଟ୍ରେନ୍‌ ଭିତରକୁ ଆସିଥିବା ଆର୍‌ପିଏଫ୍‌ ପୁଲିସ କର୍ମଚାରୀଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ । ସେମାନଙ୍କ ବୟାନ ଖୁବ ଶୀଘ୍ର ରେକର୍ଡ କରାଯିବ ।

ଅନ୍ୟପଟେ କନେଷ୍ଟବଳ ପ୍ରଶାନ୍ତ କୁମାର ମନ୍ତ୍ରୀ, ଶୈଳେନ୍ଦ୍ର ମାଝୀ ଏବଂ ବିକ୍ରମ ବାରିକଙ୍କୁ କୈଫତ ମଗାଯାଇ ଘଟଣାର ତଦନ୍ତ ସମସ୍ତ ଦିଗରୁ କରାଯିବ । ଏଭଳି ଅପରାଧୀକ କାର୍ଯ୍ୟକଳାପରେ ପ୍ରାୟ ୧୫ ଜଣ ପୁଲିସ କର୍ମଚାରୀ ସାମିଲ ଥିବାରୁ ସେମାନଙ୍କୁ ଠାବ କରିବା ପାଇଁ କଟକ ରେଳ ଷ୍ଟେସନ୍‌ ପ୍ଲାଟ୍‌ଫର୍ମରେ ଖଞ୍ଜା ହୋଇଥିବା ସିସି କ୍ୟାମେରା ଯାଞ୍ଚ କରାଯିବ । ଏମାନେ କଟକ ଷ୍ଟେସନରୁ ଯାଇଥିବାରୁ କ୍ୟାମେରାରେ ଚିହ୍ନଟ କରିବା ସହଜ ହେବ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି ।

ସମ୍ବନ୍ଧିତ ଖବର