ଖାକିରେ କଳଙ୍କ : ଟ୍ରେନ୍‌ରେ ପୁଲିସର ଛିନ୍‌ତାଇ

ବ୍ୟାସନଗର/କଟକ : ରେଳବାଇ ପୁଲିସର କେତେକ ହାବିଲଦାର ଓ କନେଷ୍ଟବଳ ଆଜି ଭୁବନେଶ୍ୱରରୁ ହାୱଡା ଯାଉଥିବା ସାଲିମାର ଏକ୍ସପ୍ରେସ୍‌ରେ ଚଢ଼ି ଯାତ୍ରୀଙ୍କ ଉପରେ ପ୍ରବଳ ଜୁଲମ କରିଛନ୍ତି। କିଛି ଯାତ୍ରୀଙ୍କଠାରୁ ଜୋରଜବରଦସ୍ତ ଟଙ୍କାପଇସା ଛଡ଼ାଇ ନେଇଛନ୍ତି। ସେମାନଙ୍କୁ ପାଇଖାନାରେ ପୂରାଇ ମାଡ଼ ବି ମାରିଛନ୍ତି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ କଡ଼ା କାର୍ଯ୍ୟାଳନୁଷ୍ଠାନ ଗ୍ରହଣ କରାଯାଇଛି। କନେଷ୍ଟବଳ ପ୍ରଶାନ୍ତକୁମାର ମନ୍ତ୍ରୀ, ଶୈଳେନ୍ଦ୍ର ମାଝୀ ଏବଂ ବିକ୍ରମ ବାରିକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ବୋଲି ରେଳବାଇ ପୁଲିସ ଏସ୍‌ପି ସଞ୍ଜୟ କୌଶଲ ‘ସମ୍ବାଦ’କୁ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ ସାଲିମାର୍‌ ଏକ୍ସପ୍ରେସ୍‌ରେ ଭୁବନେଶ୍ୱରରୁ ହାୱଡା ଯାଉଥିବା ପଶ୍ଚିମବଙ୍ଗ ମାଲଦା ଜିଲ୍ଲାର ତିନି ଜଣ ଯାତ୍ରୀଙ୍କୁ ଟ୍ରେନ୍‌ ମଧ୍ୟରେ କିଛି ଏପିଆର୍‌ ପୁଲିସ୍‌ ଟଙ୍କା ମାଗିଥିଲେ। ଯାତ୍ରୀମାନେ ରାଜି ନହେବାରୁ ଏହି ଏପିଆର୍‌ ପୁଲିସ୍‌ ମାଲଦା ଜିଲ୍ଲା ଅନ୍ତର୍ଗତ କୃଷ୍ଣନଗର ଥାନା ଶୋଭାପୁର ଗ୍ରାମର ମୁଦାହାର୍‌ ହୁସେନ୍‌ଙ୍କ ସହ ଅନ୍ୟ ଦୁଇ ଯାତ୍ରୀଙ୍କୁ ଧକ୍କା ମାରି ରେଳ ଡବା ମଧ୍ୟରେ ଥିବା ପାଇଖାନା ନିକଟକୁ ନେଇଯାଇଥିଲେ। ସେଠାରେ ଅଭିଯୁକ୍ତ ଏପିଆର୍‌ ପୁଲିସ୍‌ କର୍ମଚାରୀମାନେ ଜବରଦସ୍ତ ଯାତ୍ରୀମାନଙ୍କୁ ପାଇଖାନାରେ ପୂରାଇ ମାଡ଼ ମାରିଥିଲେ। ତାଙ୍କଠାରୁ ଜୋରଜବରଦସ୍ତ ୨୨ ଶହ ଟଙ୍କା ଛଡ଼ାଇ ନେଇଥିଲେ। ଅନ୍ୟ କେତେକ ଯାତ୍ରୀଙ୍କଠାରୁ ଛିନ୍‌ତାଇ ଉଦ୍ୟମ ମଧ୍ୟ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଧସ୍ତାଧସ୍ତି ହେବା ପରେ ଯଖପୁରା ରେଳଷ୍ଟେସନ୍‌ରେ ଚେନ୍‌ ଟାଣି ଟ୍ରେନ୍‌କୁ ପ୍ରାୟ ୪୫ ମିନିଟ୍‌ ଅଟକା ଯାଇଥିଲା। ଏଥିରେ ଅନ୍ୟ ଯାତ୍ରୀମାନେ ହସ୍ତକ୍ଷେପ କରି ଏପିଆର୍‌ ପୁଲିସ୍‌ଙ୍କୁ ବାଧା ଦେଇଥିଲେ। ସେଠାରୁ ଟ୍ରେନ୍‌ ଛାଡ଼ିଥିବା ବେଳେ ପୁଣି ଯାଜପୁରରୋଡ଼ ଷ୍ଟେସନ୍‌ରେ ଟ୍ରେନ୍‌ଟିକୁ ଚେନ୍‌ ଟାଣି ଅଟକାଇ ଦିଆଯାଇଥିଲା।

ଟ୍ରେନ୍‌ ଅଟକିବାର କାରଣ ଜାଣିବାକୁ ଯାଇଥିବା ଯାଜପୁରରୋଡ଼ ଷ୍ଟେସନ୍‌ ଜିଆର୍‌ପି ପୁଲିସ୍‌, ଆର୍‌ପିଏଫ୍‌ ଓ ଷ୍ଟେସନ୍‌ ମାଷ୍ଟର୍‌ ଧସ୍ତାଧସ୍ତି ଲାଗିଥିବା କମ୍ପାର୍ଟମେଣ୍ଟ୍‌ ନିକଟରେ ପହଞ୍ଚି ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏମାନେ ଜଣେ ଏପିଆର୍‌ ପୁଲିସ୍‌କୁ କାବୁ କରି ରେଳବାଇ ପୁଲିସ ଜିମା ଦେଇଥିଲେ। ଅବସ୍ଥା ଦେଖି ଅନ୍ୟମାନେ ସେଠାରୁ ଖସି ପଳାଇ ଯାଇଥିଲେ। ଅଟକ ଅଭିଯୁକ୍ତ ପୁରୀ ଜିଲ୍ଲା ନିମାପଡ଼ା ଗ୍ରାମର ବିକେ ବାରିକ୍‌(ବ୍ୟାଚ୍‌ ନମ୍ବର-୧୧୭) ବୋଲି ଜଣାପଡ଼ିଛି। ଖସି ଯାଇଥିବା ଅଭିଯୁକ୍ତ ପୁଲିସ୍‌ କର୍ମଚାରୀମାନେ ହେଲେ ଏସ୍‌ଏନ୍‌ ମାଝୀ, ପିକେ ମନ୍ତ୍ରୀ ପ୍ରମୁଖ। ଅନ୍ୟମାନଙ୍କ ନାମ ଜଣାପଡ଼ିନାହିଁ।

କଟକ ରେଳବାଇ ଏସ୍‌ପି ସଞ୍ଜୟ କୌଶଲ ‘ସମ୍ବାଦ’କୁ ସୂଚନା ଦେଇ କହିଛନ୍ତି ଯେ ସାଲିମାର ଏକ୍ସପ୍ରେସ୍‌ରେ କେତେକ ଜିଆରପି ଷ୍ଟାଫ୍‌ ଟଙ୍କା ମାଗୁଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଯାତ୍ରୀମାନେ କାବୁ କରି ଯାଜପୁର ରୋଡ୍‌ ଜିଆରପି ଫାଣ୍ଡିରେ ଜିମା ଦେଇଛନ୍ତି। ଜଣେ ଡିଏସ୍‌ପିଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଥିଲା। ଘଟଣାରୁ ଗମ୍ଭୀରତାକୁ ଦୃଷ୍ଟିରେ ରଖି ତିନିଜଣ ଏପିଆର୍‌ କନେଷ୍ଟବଳକୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।

ସମ୍ବନ୍ଧିତ ଖବର