ରେଳବାଇର ଗ୍ରୀଷ୍ମ ସତର୍କତା : ଅଗ୍ନି ଉତ୍ପନ୍ନକାରୀ ଦ୍ରବ୍ୟ ଉପରେ କଟକଣା

ଭୁବନେଶ୍ବର : ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଟ୍ରେନଗୁଡ଼ିକର ନିରାପତ୍ତା ସହ ରେଳଧାରଣର ରକ୍ଷଣାବେକ୍ଷଣ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗରମ ସମୟରେ ଟ୍ରେନଗୁଡ଼ିକର ଚଳାଚଳ ଯେପରି ବାଧାପ୍ରାପ୍ତ ନହୁଏ ସେଥିପାଇଁ ପାନୀୟ ଜଳ ବିତରଣ କେନ୍ଦ୍ର, ପାଣି ଟ୍ୟାପ ଯେମିତି ସଠିକ ଭାବେ କାର୍ଯ୍ୟକ୍ଷମ କରୁଥିବ ସେଥିପ୍ରତି ଧ୍ୟାନ ଦେବା ସହ ଉଚିତ ପଦକ୍ଷେପ ନେବା ପାଇଁ ସମସ୍ତ ରେଳ ମଣ୍ଡଳକୁ ପରାମର୍ଶ ଦିଆଯାଇଛି। ଏଥିସହ ଜଳ ଯୋଗାଣ କରୁଥିବା ଇଲେକ୍ଟ୍ରି ପମ୍ପ କାର୍ଯ୍ୟକ୍ଷମ ଉପରେ କଡ଼ା ନଜର ରଖିବାକୁ କୁହାଯାଇଛି। ବଡ଼ ଷ୍ଟେସନ୍‌ ପ୍ରତୀକ୍ଷାଳୟରେ ପାନୀୟ ଜଳ ଉପଲବ୍ଧ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଏହାବ୍ୟତୀତ ରେଳ ଧାରଣା ପାଖରେ, ରେଳଧାରଣ ଓ ଓଭର ହେଡ୍‌ ଇଲେକ୍ଟ୍ରିକୁ ଅବରୋଧ କରିବାକୁ ଥିବା ବୃକ୍ଷଗୁଡ଼ିକର ଡାଳ କାଟିବା, ରେଳ ବ୍ୟବହାରକାରୀ ଓ ଯାତ୍ରୀମାନେ ଯେପରି କୌଣସି ଅଗ୍ନି ଉତ୍ପନ କରୁଥିବା ଦ୍ରବ୍ୟ ଟ୍ରେନ୍‌ ଯାତ୍ରା ସମୟରେ ନ ନିୟନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ସୁରକ୍ଷା ବିଭାଗକୁ କୁହାଯାଇଛି।

ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟାଭୂଷଣ କହିଛନ୍ତି ଯେ ଗରମ ସମୟରେ ରେଳ ଚଳାଚଳ ବେଳେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜେ ସେଥିପ୍ରତି ସଜାଗ ରହିବାକୁ ରେଳବାଇ ଅଧିକାରୀ ଓ କର୍ମଚାରୀମାନଙ୍କୁ କୁହାଯାଇଛି। ଟ୍ରାକ ରକ୍ଷଣାବେକ୍ଷଣ ପ୍ରତି ବିଶେଷ ଧ୍ୟାନ ଦେବା, ରେଳଧାରଣରେ ଉପଯୁକ୍ତ ଵାଲାଷ୍ଟ ବ୍ୟବସ୍ଥା, ରେଳଧାରଣ ବଙ୍କେଇ ଯିବା କ୍ଷେତ୍ରରେ ତୁରନ୍ତ ପଦକ୍ଷେପ ନେବାକୁ ଉପଦେଶ ଦିଆଯାଇଛି। ଟ୍ରେନ୍‌ କୋଚ୍‌ଗୁଡ଼ିକରେ ବିଦ୍ୟୁତ ସରଞ୍ଜାମର ଯାଞ୍ଚ, ଦରକାର ହେଲେ ସମ୍ପୂର୍ଣ ପ୍ରଣାଳୀକୁ ବଦଳାଇବା, ଲଗେଜ ଭ୍ୟାନ, ପ୍ୟାଣ୍ଟ୍ରି କାର ଓ କୋଚ ମଧ୍ୟରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ପ୍ରତି ବିଶେଷ ଧ୍ୟାନ ଦେବା, ଷ୍ଟେସନ୍‌, କୋଚିଂ ଡିପୋ ଓ ଅନ୍ୟାନ୍ୟ ରେଳବାଇ ଭିତ୍ତିଭୂମିଗୁଡ଼ିକରେ ଅଗ୍ନି ନିର୍ବାପକ ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। ଖୋର୍ଦ୍ଧା ରୋଡ୍‌, ସମ୍ବଲପୁର ଓ ୱାଲଟିୟର ରେଳମଣ୍ଡଳଗୁଡ଼ିକୁ ସଜାଗ ରଖାଯାଇଛି। ଗରମ ସମୟରେ ଗ୍ରୀଷ୍ମକାଳୀନ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା, ଅତିମାତ୍ରାରେ ସଜାଗ ରହି ସମସ୍ୟା ଥିବା ସ୍ଥାନଗୁଡ଼ିକରେ ଉଚିତ ପଦକ୍ଷେପ ନେବା, ରେଳ ଥର୍ମୋମିଟର ସର୍ବଦା ବ୍ୟବହାର କରି ଟ୍ରାକ୍‌ରେ ଥିବା ରେଲକୁ ଅତ୍ୟଧିକ ଗରମ ସମୟରେ ସମ୍ପ୍ରସାରିତ ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି।

ରେଳ ଷ୍ଟେସନ, ଟ୍ରେନ ଓ ଗୁରୁତ୍ୱପୂର୍ଣ ସ୍ଥାନଗୁଡ଼ିକରେ ଅଗ୍ନିପ୍ରତିରୋଧକ ଦ୍ରବ୍ୟ ଓ ନିର୍ବାପକ ବ୍ୟାପକ ଭାବେ ଉପଲବ୍ଧ କରାଇବା ସହ ରାଜ୍ୟ ଅଗ୍ନିଶମ ବିଭାଗ ସହ ଉଚିତ ସମନ୍ୱୟ ରକ୍ଷା କରିବାକୁ କୁହାଯାଇଛି। ଏହାବ୍ୟତୀତ ଗୁରୁତ୍ୱପୂର୍ଣ ସ୍ଥାନଗୁଡ଼ିକରେ ବ୍ୟାନର ଓ ପୋଷ୍ଟର ଲଗାଇ ସଚେତନ କରିବା, ଡିଜେଲ ଇଞ୍ଜିନରେ ଗରମ ଅବସ୍ଥାକୁ ଯେପରି ପ୍ରତିହତ କରାଯାଇପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ଉପଦେଶ ଦିଆଯାଇଛି। କର୍ମଚାରୀମାନଙ୍କୁ ତାଲିମ ଦିଆଯିବା ସହ ନୀରିକ୍ଷଣ କରିବାକୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର