ନକ୍ସଲ ଧମକରୁ ରେଳପଥ ନିର୍ମାଣ ବନ୍ଦ, ସ୍ୱରାଷ୍ଟ୍ର ସଚିବଙ୍କ ହସ୍ତକ୍ଷେପ ଲୋଡ଼ିଲେ ପରିବହନ ସଚିବ

ରାଉରକେଲା : ନକ୍ସଲଙ୍କ ଧମକ ଯୋଗୁଁ ରାଉରକେଲା ସେକ୍ସନ୍‌ ଅନ୍ତର୍ଗତ ରାଉରକେଲା-ବରସୁଆଁ ରେଳପଥର ଦୋହରୀକରଣ କାମ ବାଧାପ୍ରାପ୍ତ ହେଉଛି। ତେଣୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ ଦକ୍ଷିଣ-ପୂର୍ବ ରେଳବାଇର ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ) ରାଜ୍ୟ ସରକାରଙ୍କୁ ସହାୟତା ମାଗିଛନ୍ତି। କୋଲକାତାସ୍ଥିତ ଦକ୍ଷିଣ-ପୂର୍ବ ରେଳବାଇର ମୁଖ୍ୟ ପ୍ରଶାସନିକ ଅଧିକାରୀ ଏ ସମ୍ପର୍କରେ ଲିଖିତ ଭାବେ ଜଣାଇଥିବାରୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଜି.ଶ୍ରୀନିବାସ ରାଜ୍ୟ ଅତିରିକ୍ତ ମୁଖ୍ୟ ସଚିବ (ସ୍ୱରାଷ୍ଟ୍ର) ଅସିତ କୁମାର ତ୍ରିପାଠୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଦ.ପୂ.ରେଳବାଇର ମୁଖ୍ୟ ପ୍ରଶାସନିକ ଅଧିକାରୀ ଚିଠିରେ ଜଣାଇଛନ୍ତି ଯେ, ରାଉରକେଲା-ବରସୁଆଁ ରେଳପଥ ଅନ୍ତର୍ଗତ ଚାନ୍ଦିପୋଷ-ପଟାସାହିରେ ଦୋହରୀକରଣ କାର୍ଯ୍ୟ ଚାଲିଛି। ରାଞ୍ଚିର ମେସର୍ସ ମୋଦି ପ୍ରୋଜେକ୍ଟସ୍‌ ଲିିଃ ଏହି କାମର ଠିକା ନେଇଛି। ଗତ ମାସ ୪ ତାରିଖ ରାତି ଦଳେ ସନ୍ଦିଗ୍ଧ ନକ୍ସଲ ପଟାସାହିସ୍ଥିତ ଠିକାଦାରଙ୍କ କ୍ୟାମ୍ପ୍‌ରେ ପହଞ୍ଚି ଶ୍ରମିକମାନଙ୍କୁ ଆକ୍ରମଣ କରିବା ସହ ଲେଭି (ଚାନ୍ଦା) ନଦେବା ଯାଏ କାମ ବନ୍ଦ ରଖିବାକୁ ଧମକ ଦେଇଥିଲେ। ପୁଲିସ୍‌କୁ ଜଣାଇଲେ ପରିଣାମ ଭୟାବହ ହେବ ବୋଲି ଚେତାବନୀ ଦେଇ ସେମାନେ ପଳାଇଥିଲେ। ଆତଙ୍କିତ ଶ୍ରମିକମାନେ ଠିକା କମ୍ପାନିର କର୍ମକର୍ତ୍ତାମାନେ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ।

ଶେଷରେ ଏପ୍ରିଲ୍‌ ୧୪ରେ କେ.ବଲାଙ୍ଗ ଥାନାରେ ଏତଲା ଦେଇଥିଲେ। ଦ.ପୂ.ରେଳବାଇ କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିବା ସଂଗେସଂଗେ କାର୍ଯ୍ୟସ୍ଥଳୀରେ ଆବଶ୍ୟକ ସୁରକ୍ଷା ଦେବା ନିମନ୍ତେ ରାଉରକେଲା ଏସ୍‌ପିଙ୍କୁ ଏପ୍ରିଲ୍‌ ୧୮ରେ ଜଣାଇଥିଲେ। ଏସ୍‌ପି ସୁରକ୍ଷା ପାଇଁ ଆଶ୍ୱାସନା ଦେଇଥିଲେ ମଧ୍ୟ ଆତଙ୍କିତ ଶ୍ରମିକମାନେ କାମରେ ଯୋଗ ଦେବାକୁ ସାହସ କରୁନାହାନ୍ତି। ଏହାର ୩ ଦିନ ପରେ ଠିକା ସଂସ୍ଥାର ପଦାଧିକାରୀ ରାଉରକେଲା ଏସ୍‌ପିଙ୍କୁ ସାକ୍ଷାତ କରି ପଟାସାହିସ୍ଥିତ କାର୍ଯ୍ୟସ୍ଥଳୀ (ସାଇଟ୍‌)ରେ ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ମାତ୍ର କର୍ମଚାରୀ ଅଭାବ ଥିବାରୁ ତାହା ସମ୍ଭବ ନୁହେଁ ବୋଲି ଏସ୍‌ପି କହିଥିଲେ। ସେହି ଦିନରୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏପରି ସ୍ଥଳେ ଅତିରିକ୍ତ ମୁଖ୍ୟ ସଚିବ (ସ୍ୱରାଷ୍ଟ୍ର) ବିହିତ ବ୍ୟବସ୍ଥା ଗ୍ରହଣ କଲେ ଠିକଣା ସମୟରେ ଦୋହରୀକରଣ କାର୍ଯ୍ୟ ଶେଷ ହୋଇପାରିବ ବୋଲି ପରିବହନ ସଚିବ ତାଙ୍କୁ ଲିଖିତ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର