ଜଗୁଆଳିବିହୀନ ଫାଟକ ବନ୍ଦ କରିବାରେ ସମ୍ବଲପୁର ରେଳ ଡିଭିଜନ୍‌ ଦେଶରେ ପ୍ରଥମ

ନୂଆଦିଲ୍ଲୀ/ସମ୍ବଲପୁର : ସମସ୍ତ ୭ଟି ଜଗୁଆଳିବିହୀନ ଫାଟକ ବନ୍ଦ କରିବାରେ ସମ୍ବଲପୁର ରେଳ ଡିଭିଜନ୍‌ ଦେଶର ପ୍ରଥମ ରେଳ ଡିଭିଜନ୍‌ ହୋଇଛି। ୭ଟି ଜଗୁଆଳିବିହୀନ ଫାଟକ ବନ୍ଦ କରି ପୂର୍ବତଟ ରେଳପଥର ସମ୍ବଲପୁର ଡିଭିଜନ୍‌ ୬ଟି ଲିମିଟେଡ୍‌ ହାଇଟ୍‌ ସବ୍ଓ୍ଵଜ୍‌ ନିର୍ମାଣ କରିଛି। ଗତକାଲି ୬ଟି ଲିମିଟେଡ୍‌ ହାଇଟ୍‌ ସବ୍‌ଓ୍ଵକୁ ମାତ୍ର ୪ ଘଣ୍ଟା ୩୦ ମିନିଟ୍‌ ଅବଧିରେ ନିର୍ମାଣ କରାଯାଇଥିଲା। ତେବେ ଖୁବ୍‌ କମ୍‌ ସମୟ ମଧ୍ୟରେ ୭ଟି ଜଗୁଆଳି ବିହୀନ ଫାଟକ ବନ୍ଦ କରାଯାଇ ୬ଟି ଲିମିଟେଡ୍‌ ହାଇଟ୍‌ ସବ୍‌ଓ୍ଵ ନିର୍ମାଣ କରିବା କେବଳ ପୂର୍ବତଟ ରେଳପଥ ପାଇଁ ନୁହେଁ ସମଗ୍ର ଭାରତୀୟ ରେଳରେ ଏକ ଉଦାହରଣ ସୃଷ୍ଟି କରିଛି। ୬ଟି ସୀମିତ ଉଚ୍ଚତା ବିଶିଷ୍ଟ ସବ୍‌ଓ୍ଵ ତିଆରି ହେବା ଯୋଗୁଁ ଭବାନୀପାଟଣା- ଲାଂଜିଗଡ଼ ରୋଡ୍‌ ସେକ୍ସନ୍‌ର ସମସ୍ତ ୭ଟି ଜଗୁଆଳିବିହୀନ ଫାଟକକୁ ବନ୍ଦ କରିଦିଆଯାଇଛି ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏଥି ପାଇଁ ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ଉମେଶ ସିଂହ ଏବଂ ସମ୍ବଲପୁର ମଣ୍ଡଳ ରେଳ ପ୍ରବନ୍ଧକ ଡ. ଜୟଦୀପ ଗୁପ୍ତା ସମସ୍ତ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର