ଓଡ଼ିଶାରେ ଗଡ଼ିବ ‘ଲକ୍‌ଜୁରି ଟ୍ରେନ୍‌’

ଭୁବନେଶ୍ୱର : ‘ସି ପ୍ଲେନ୍‌’ ପରେ ‘ଲକ୍‌ଜୁରି ଟ୍ରେନ୍‌’। ଓଡ଼ିଶାରେ ପର୍ଯ୍ୟଟନ ପାଇଁ ଥିବା ବିପୁଳ ସମ୍ଭାବନା ଏମିତି ଅଭିନବ ସୁଯୋଗ ସୃଷ୍ଟି କରିଛି। ରାଜ୍ୟରେ ‘ଲକ୍‌ଜୁରି ଟ୍ରେନ୍‌’ ଚଳାଚଳ ପାଇଁ ରେଳବାଇ ପକ୍ଷରୁ ରାଜ୍ୟ ସରକାରଙ୍କୁ ବିଧିବଦ୍ଧ ପ୍ରସ୍ତାବ ଦିଆଯାଇଛି। ରାଜସ୍ଥାନରେ ଚାଲୁଥିବା ‘ପ୍ୟାଲେସ୍‌ ଅନ୍‌ ହୁଇଲ୍‌’ ଢାଞ୍ଚାରେ ଏହା ପ୍ରସ୍ତୁତ କରାଯିବ। ଓଡ଼ିଶା ସରକାର ଓ ରେଳବାଇ ମିଳିତ ଭାବେ ଏହି ଟ୍ରେନ୍‌ ସେବା ଆରମ୍ଭ କରିବେ।

ରେଳବାଇର ଅଧିକାରୀ ଏ ନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସହ ପ୍ରାରମ୍ଭିକ ଆଲୋଚନା କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପାଢ଼ୀ କହିଛନ୍ତି, ଉଚ୍ଚ ବର୍ଗର ପର୍ଯ୍ୟଟକଙ୍କ ପାଇଁ ଲକ୍‌ଜୁରି ଟ୍ରେନ୍‌ ଚଳାଇବାକୁ ଆଲୋଚନା ଆରମ୍ଭ ହୋଇଛି। ବିଦେଶୀ ଓ ଉଚ୍ଚ ବର୍ଗର ପର୍ଯ୍ୟଟକଙ୍କ ପାଇଁ କିଛି ରାଜ୍ୟ ଏହି ସୁବିଧା ଆରମ୍ଭ କରିଛନ୍ତି। ଓଡ଼ିଶାରେ ଏହା କିପରି କାର୍ଯ୍ୟକାରୀ କରାଯିବ, ସେ ନେଇ ଆଲୋଚନା ଆରମ୍ଭ ହୋଇଛି। ଆଜି ଆମେ ପ୍ରସ୍ତାବ ଗ୍ରହଣ କରିଛୁ। ଏହାକୁ ଭଲ ଭାବେ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନିଆଯିବ। କେଉଁ ରୁଟ୍‌ରେ ଏହି ଟ୍ରେନ୍‌ ଚାଲିବ, ସେ ସମ୍ପର୍କରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ।

ବର୍ତ୍ତମାନ ଦେଶରେ ୭ଟି ଲକ୍‌ଜୁରି ଟ୍ରେନ୍‌ ଚାଲୁଛି। ରାଜସ୍ଥାନ, ମହାରାଷ୍ଟ୍ର ଓ ଦକ୍ଷିଣ ଭାରତର କେତୋଟି ରାଜ୍ୟରେ ଏହି ଟ୍ରେନ୍‌ଗୁଡ଼ିକ ଚଳାଚଳ କରୁଛି। ଏଥିରେ ଯାତ୍ରା ବ୍ୟୟବହୁଳ ହୋଇଥିଲେ ବି ପର୍ଯ୍ୟଟକମାନଙ୍କ ମଧ୍ୟରେ ଏହା ବେଶ୍‌ ଲୋକପ୍ରିୟ ହୋଇପାରିଛି।

ସୂଚନାଯୋଗ୍ୟ ଯେ ଚିଲିକାରେ ଓ୍ଵାଟର୍‌ ଏରୋଡ୍ରମ୍‌ ପାଇଁ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ ସର୍ଭେ କରି ଅନୁକୂଳ ମତ ପୋଷଣ କରିଛନ୍ତି। ସେହିପରି ସ୍ପାଇସ୍‌ ଜେଟ୍‌ ପକ୍ଷରୁ ଚିଲିକା, ଭିତରକନିକା ଓ ହୀରାକୁଦକୁ ସି ପ୍ଲେନ୍‌ ଉଡ଼ାଣ ପାଇଁ ପ୍ରସ୍ତାବ ଦିଆଯାଇଛି। ଏସବୁ କାର୍ଯ୍ୟକାରୀ ହେଲେ ରାଜ୍ୟରେ ପର୍ଯ୍ୟଟନ ଏକ ନୂଆ ଦିଗ ପାଇବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର