ଦାନା ବାନ୍ଧୁଛି ଲଘୁଚାପ, ଅର୍ଧାଧିକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବ୍ୟ ମରୁଡ଼ି ନେଇ ଚାଷୀଙ୍କୁ ଓୟୁଏଟିର ପରାମର୍ଶ

ଭୁବନେଶ୍ବର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ୨୬ତାରିଖ ବେଳକୁ ଲଘୁଚାପ ବଳୟ‌ରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏହି ଲଘୁଚାପ ପ୍ରଭାବ‌ରେ ଓଡ଼ିଶା ଉପକୂଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ୨୪ ଓ ୨୫ତାରିଖରେ ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ସୁନ୍ଦରଗଡ଼, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଢେଙ୍କାନାଳ, ଯାଜପୁର ଓ ଦେବଗଡ଼ରେ ପ୍ରବଳ ବର୍ଷା ଲାଗି ରହିବ। ଗୋଟିଏ ଦୁଇଟି ସ୍ଥାନରେ ଅତିପ୍ରବଳ ବର୍ଷା ହୋଇପାରେ। ତେବେ ୨୬ତାରିଖରେ ସାରା ରାଜ୍ୟରେ ମୌସୁମୀ ପୁଣିଥରେ ସକ୍ରିୟ ହେବ। ଅର୍ଧାଧିକ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି। ବିଶେଷକରି କୋରାପୁଟ, କନ୍ଧମାଳ, କଳାହାଣ୍ଡି, ସୋନପୁର, ଝାରସୁଗୁଡ଼ା, ବରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ଜଗତ୍‌ସିଂହପୁର, ଖୋର୍ଧା, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାର ଅଧିକାଂଶ ସ୍ଥାନରେ ଅତିପ୍ରବଳ ବର୍ଷା ଲାଗି ରହିବ। ୨୭ ତାରିଖରେ ପୁରୀ, ଗଞ୍ଜାମ ସମେତ ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଧିକ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଗତ ୨୪ଘଣ୍ଟା ମଧ୍ୟରେ ଝାରସୁଗୁଡ଼ାରେ ୩୫.୨ମିମି ବର୍ଷା ହୋଇଥିବା ବେଳେ କେନ୍ଦୁଝରରେ ୩୨, କୋରାପୁଟରେ ୨୪, ବଲାଙ୍ଗୀରରେ ୨୨ ମିମି ବର୍ଷା ରେକର୍ଡ କରାଯାଇଛି।

୫ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାକୁ ଥିବାରୁ ସମ୍ଭାବ୍ୟ ମରୁଡ଼ିକୁ କିଛି ମାତ୍ରାରେ ଟଳିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ସେମାନଙ୍କ କହିବା କଥା ହେଉଛି ସୃଷ୍ଟି ହେବାକୁ ଥିବା ଲଘୁଚାପ ଯଦି ଅଧିକ ସକ୍ରିୟ ରହିବ ତେବେ ବର୍ଷା ଲାଗି ରହିବ। ନହେଲେ ପୂର୍ବଭଳି ସ୍ଥିତି ଜାରି ରହିବ। ଅଗଷ୍ଟ ପ୍ରଥମ ସପ୍ତାହ ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଯଦି ଜୁଲାଇ ୨୮ରୁ ଅଗଷ୍ଟ ୧୦ ମଧ୍ୟରେ ସ୍ବାଭାବିକ ବର୍ଷା ନ ହୁଏ, ତେ‌ବେ ଅଧିକାଂଶ ଜିଲ୍ଲାରେ ମରୁଡ଼ି ସୃଷ୍ଟି ହେବାର ଆଶଙ୍କା ଅଧିକ। ଅନ୍ୟପକ୍ଷରେ ସମ୍ଭାବ୍ୟ ମରୁଡ଼ିକୁ ଦୃଷ୍ଟିରେ ରଖି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)ର ସମ୍ପ୍ରସାରଣ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଚାଷୀଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି। କୁହାଯାଇଛି ‌ଯେ ସୁନ୍ଦରଗଡ଼, ମୟୂରଭଞ୍ଜ, ଗଜପତି, ଅନୁଗୁଳ, ଦେବଗଡ଼, କନ୍ଧମାଳ, ବୌଦ୍ଧ, ରାୟଗଡ଼ା, କେନ୍ଦୁଝର, ବଲାଙ୍ଗୀର, ବାଲେଶ୍ବର ଆଦି ଜିଲ୍ଲାରେ ସ୍ବଳ୍ପ ବୃଷ୍ଟିପାତ ହୋଇଥିବାରୁ କେତେକ ବ୍ଲକରେ ଧାନ ତଥା ଅଣଧାନ ଫସଲ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଜୁଲାଇ ୨୪ ଓ ୨୫ରେ ବର୍ଷାର ସମ୍ଭାବନା ‌ରହିଛି। ‌ତେଣୁ ଫସଲର ସୁପରିଚାଳନା ଦିଗରେ ଚାଷୀମାନେ ପଦ‌କ୍ଷେପ ନେବା ଆବଶ୍ୟକ। ଯେଉଁଠି ବୁଣାବୁଣି ସରିଛି, ସେଠାରେ ଚାଷୀମାନେ ଏହି ବର୍ଷାକୁ ଅପେକ୍ଷା କରିବା ଆବଶ୍ୟକ। ଯେଉଁ ଜମିରେ ବୁଣା କାର୍ଯ୍ୟ ସରିନାହିଁ, ବର୍ଷା ଜଳ ପାଇବା ପରେ ଜମିକୁ କାଦୁଅ କରି ସ୍ଥଳବିଶେଷରେ ଅପେକ୍ଷାକୃତ ସଅଳ କିସମ ବିହନକୁ ଗାଲି ଗଜା କରି ବୁଣିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର