ବର୍ଷା ବିତ୍ପାତ: ସୋରଡ଼ାରେ ଭାସିଲେ ଯୁବକ, ସମ୍ବଲପୁର ମେଡିକାଲରେ ପଶିଲା ବନ୍ୟା ଜଳ

ଭୁବନେଶ୍ୱର: ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହୋଇ ଲଗାଣ ବର୍ଷା ହେବା ଫଳରେ ରାଜ୍ୟର ଅଧିକାଂଶ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗଞ୍ଜାମ ଜିଲ୍ଲାର ସୋରଡ଼ା ପଞ୍ଚାୟତର ଲୁଣିସରା ନିକଟରେ ବସ୍‌ରୁ ଓହ୍ଲାଇ ଯାଉଥିବା ସମୟରେ କଳିଆ ନାଏକ(୩୫) ବେଲପା ନିଦୀରେ ଭାସି ଯାଇଛନ୍ତି।

ରାଜଧାନୀ ଭୁବନେଶ୍ୱରରେ ଶନିବାର ଜାତୀୟ ରାଜପଥ ୧୬ ନମ୍ବର ପାର୍ଶ୍ୱରେ ତଥା ଇସ୍କନ ମନ୍ଦିର ସମ୍ମୁଖରେ ଜଳାର୍ଣ୍ଣବ ହୋଇଛି। ଏଠାରେ ଶୁକ୍ରବାର ରାତିରୁ ପ୍ରବଳ ବର୍ଷା ହୋଇଥିବାରୁ ନୟାପଲ୍ଲୀ, ଶାସ୍ତ୍ରୀନଗର, ସାଲିଆସାହି ଆଦି ଅଂଚଳରେ ଘର ଭିତରକୁ ପାଣି ପ୍ରବେଶ କରିବାରୁ ଲୋକେ ବହୁ ହଇରାଣ ହୋଇଛନ୍ତି। କଟକର ତଳିଆ ଅଞ୍ଚଳରେ ପାଣି ଭର୍ତ୍ତି ହୋଇଛି।

ସମ୍ବଲପୁର ସହରର ୫୦ ପ୍ରତିଶତ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ସଦର ମେଡିକାଲର ମେଡିସନି ଓ୍ଵାର୍ଡରେ ପାଣି ଭର୍ତ୍ତି ହୋଇ ଯାଇଥିବା ବେଳେ ରୋଗୀଙ୍କ ବେଡ ତଳେ ପାଣି ରହିଛି। କ୍ଷେତରାଜପୁର ରେଲେଓ୍ଵ ଷ୍ଟେସନ୍‌ର ପ୍ରତି ପ୍ଲାଟଫର୍ମରେ ପାଣି ଲହଡ଼ି ଭାଙ୍ଗୁଛି। ଅଇଁଠାପାଲି, ବୁଢ଼ାରଜା, ଫାଟକ, ଫାରମରୋଡ଼, ମୁଦିପଡ଼ା, କମିସନର କଲୋନି, ସାକ୍ଷିପଡ଼ା ଆଦି ଅଞ୍ଚଳରେ ଲୋକେ ବନ୍ୟା ଜଳରେ ପ୍ରଭାବିତ ହୋଇଛନ୍ତି।

ଆଜି ସନ୍ଧ୍ୟାରେ ଜିଲ୍ଲାପାଳ ଜରୁରୀକାଳୀନ ବୈଠକ ଡାକିଛନ୍ତି। ପୂର୍ବରୁ ୩୨ଟି ରିଲିଫ କେନ୍ଦ୍ର ଖୋଲାଯାଇଥିବା ବେଳେ ଏହି ସଂଖ୍ୟାକୁ ବଢ଼ାଯାଇଥିବା ସୂଚନା ମିଳିଛି। ବନ୍ୟା ପ୍ରଭାବିତ ଲୋକଙ୍କୁ ରିଲିଫ କେନ୍ଦ୍ରରେ ଖାଦ୍ୟ ଦେବାର ବ୍ୟବସ୍ଥା କରାଯାଇଛି।

ଦକ୍ଷିଣ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ବହୁ ସଂଖ୍ୟାରେ ଗାଁ ବନ୍ୟା ପାଣି ଯୋଗୁଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ପଡ଼ିଥିବା ବେଳେ ଉତ୍ତର ଓଡ଼ିଶାରେ କେନ୍ଦୁଝର ଓ ଭଦ୍ରକ ଜିଲ୍ଲାରେ ବୈତରଣୀ ଡରାଉଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ବୈତରଣୀ ନଦିରେ ଜଳସ୍ତର ବଢ଼ିଛି।

ଲଘୁଚାପ ଯୋଗୁଁ ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ବନ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରବିବାର ଛୁଟି ବାତିଲ ଘୋଷଣା କରିଛନ୍ତି। ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀଙ୍କ ସୂଚନା ଅନୁସାରେ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ। ଏ ନେଇ ସ୍ୱତନ୍ତ୍ର ରିଲିଫ କମିସନର ସେଠୀ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ରବିବାର ଛୁଟି ବାତିଲ କରିବାକୁ କହିଛନ୍ତି। ଚିଠିରେ ସେ ସରକାରୀ କର୍ମଚାରୀଙ୍କୁ ଜିଲ୍ଲା ସଦର ମହକୁମା ଓ ସବ-ଡିଭିଜନ୍‌ ମହକୁମାରେ ଥିବା ସେମାନଙ୍କ କାର୍ଯ୍ୟଳୟରେ ଉପସ୍ଥିତ ରହିବାକୁ କହିଛନ୍ତି।

ସମ୍ବନ୍ଧିତ ଖବର