୧୫ ଜିଲ୍ଲାରେ କାଳବୈଶାଖୀ ଆଶଙ୍କା

ଭୁବନେଶ୍ବର: ମାଲକାନଗିରିରୁ ମୟୂରଭଞ୍ଜ ହେଉ ଅଥବା ବଲାଙ୍ଗୀରରୁ ବାଲେଶ୍ବର। ଆସନ୍ତାକାଲି ରାଜ୍ୟର ୧୫ଟି ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ରହିବ। ଗୋଟିଏ ଦୁଇଟି ସ୍ଥାନରେ ହାଲକା ବର୍ଷା ସାଙ୍ଗକୁ ୪୦ରୁ ୫୦ କିମି ବେଗରେ ପବନ ବୋହିବ। ଘଡ଼ଘଡ଼ି ସହ ବଜ୍ରପାତର ବି ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ବୁଧବାର ପୂର୍ବାହ୍ନ ପର୍ଯ୍ୟନ୍ତ ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ ଜିଲ୍ଲାରେ ଝଡ଼ବର୍ଷା ସହ ବଜ୍ରପାତ ହେବ। ଏଥିସହ ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ବର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସହ ୪୦କିମି ବେଗରେ ପବନ ହେବାର ଆଶଙ୍କା ରହିଛି। ୧୪ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ, ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାର କେତେକ ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ପଡ଼ିପାରେ।

ଅପରପକ୍ଷେ ଗତ ୨୪ଘଣ୍ଟା ମଧ୍ୟରେ ଭୁବନେଶ୍ବରର ତାପମାତ୍ରା ୪ ଡିଗ୍ରି ବଢ଼ିଛି। ଆଜି ଏଠାରେ ୩୬.୮ ଡିଗ୍ରି ରେକର୍ଡ ହୋଇଛି। କଟକ ସହରର ତାପମାତ୍ରା ବି ୩୬.୬ରେ ପହଞ୍ଚିଛି। ସେହିପରି ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୦.୪ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଟିଟିଲାଗଡ଼ରେ ୪୦ ଡିଗ୍ରି ରହିଥିଲା। ଏହି ସମୟ ମଧ୍ୟରେ ବାରିପଦାରେ ୨୪ ମିମି, ଚାନ୍ଦବାଲିରେ ୧୫.୧, ବାଲେଶ୍ବରରେ ୯, କେନ୍ଦୁଝରରେ ୮.୨, ଅନୁଗୁଳରେ ୫.୮ ମିମି ବର୍ଷା ହୋଇଛି। ବଲାଙ୍ଗୀର, ‌ଭୁବନେଶ୍ବର, ଗୋପାଳପୁର ସହରରେ ବି ହାଲକା ବର୍ଷା ହୋଇଛି।

ସମ୍ବନ୍ଧିତ ଖବର