୨୩ରେ ବଙ୍ଗୋପସାଗରରେ ଲଘୁଚାପ : ପାଗ ବଦଳିବ, ୨୪ରୁ ବର୍ଷା

ଭୁବନେଶ୍ବର : ଆରବସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅଧିକ ସକ୍ରିୟ ହେଉଛି। ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଏହା ୱେଲ୍‌ ମାର୍କଡ୍‌ ଲୋ‌-ପ୍ରେସରରେ ପରିଣତ ହେବା ସହ ପରବର୍ତୀ ୨୪ ଘଣ୍ଟାରେ ଅବପାତର ରୂପ ନେବ। ଏଥିସହ ୨୩ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର‌ରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଉତ୍ତର ତାମିଲନାଡ଼ୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପରେ ରହିବ। ପ୍ରଭାବରେ ୨୩ ତାରିଖଠାରୁ ଓଡ଼ିଶାରେ ପାଗରେ ପରିବର୍ତନ ଆସିବ ଏବଂ ୨୪ ତାରିଖରୁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଅକ୍ଟୋବର ୨୩ରୁ ରାଜ୍ୟରେ ମେଘୁଆ ପାଗ ସହ ବର୍ଷା ଆରମ୍ଭ ହେବ। ୨୪ ତାରିଖ ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ। ଯାହାକି ୨୭ ତାରିଖ ପର୍ଯ୍ୟନ୍ତ ଲାଗିରହିବ। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହେବା ସହ ଦୀପାବଳି ଦିନ ବି ବର୍ଷା ଲାଗିରହିବାର ସମ୍ଭାବନା ରହିଛି।

ସୋମବାର ଓଡ଼ିଶା ଉପରେ ଏକ ଗୁରୁଚାପ ବଳୟ ସୃଷ୍ଟି ହୋଇ ପରବର୍ତୀ ଦୁଇ ଦିନ ରହିବ। ୨୨ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ତାମିଲନାଡ଼ୁ ସଂଲଗ୍ନ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୨୩ ତାରିଖରେ ଲଘୁଚାପରେ ପରିଣତ ହେବ। ପରବର୍ତୀ ସମୟରେ ଏହା ଉତ୍ତର ପୂର୍ବ ଦିଗରେ ଗତି କରି ୨୪ରେ ଆନ୍ଧ୍ର ଉପକୂଳ ନିକଟରେ ରହିବାର ସମ୍ଭାବନା ରହିଛି। ଅନ୍ୟପଟେ କେନ୍ଦ୍ରୀୟ ଆରବ ସାଗରରେ ଥିବା ଲଘୁଚାପ କ୍ରମଶଃ ପୂର୍ବ ଦିଗକୁ ଗତି କରି ୨୪ରେ ମୁମ୍ବାଇ ନିକଟରେ ପହଞ୍ଚିବ। ୨୪ ତାରିଖ ସନ୍ଧ୍ୟାରେ ଉଭୟ ଲଘୁଚାପର ମିଶ୍ରଣ ହେବ। ଫଳରେ ପୂର୍ବ ପଶ୍ଚିମ ଦିଗରେ ମହାରାଷ୍ଟ୍ରଠାରୁ ବାଂଲାଦେଶ ପର୍ଯ୍ୟନ୍ତ ଏକ ବିସ୍ତୀର୍ଣ୍ଣ ଲଘୁଚାପ ବଳୟ ସୃଷ୍ଟି ହେବ। ଫଳରେ ଓଡ଼ିଶାକୁ ବଙ୍ଗୋପସାଗରୀୟ ପବନ ଦକ୍ଷିଣ ଦିଗରୁ ବହିବ ଓ ରାଜ୍ୟରେ ବର୍ଷା ହେବ। ସେହିପରି ଭୁବନେଶ୍ବର ସମେତ ଉପକୂଳବର୍ତୀ ଅଞ୍ଚଳରେ ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ପାଗ ମେଘୁଆ ରହିବା ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ସମ୍ବନ୍ଧିତ ଖବର