୧୧ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଉତ୍ତର ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ବାଲେଶ୍ୱରରେ ଦେଶର ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ ହୋଇଛି। ୧୨ ଘଣ୍ଟା ମଧ୍ୟରେ ବାଲେଶ୍ୱରରେ ୧୨୦ ମିମି ଅର୍ଥାତ୍‌ ୧୨ ସେମି ବର୍ଷା ହୋଇଥିବା ବେଳେ ଏହା ତଳକୁ କାନୁପୁରରେ ୮ ସେମି ବର୍ଷା ହୋଇଛି। ଦାରିଙ୍ଗିବାଡ଼ିରେ ୭୪ ମିମି ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଉତ୍ତର ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ସମୁଦ୍ର ପତନଠାରୁ ୩.୬ କିମି ଓ ୭.୬ କିମି ମଧ୍ୟରେ ରହିଛି। ତାହା ପ୍ରଭାବରେ ମଙ୍ଗଳବାର କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, ଦେବଗଡ଼, ମୟୂରଭଞ୍ଜ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଧା ଓ ନୟାଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ଏହାପରେ କିନ୍ତୁ ବର୍ଷା ପରିମାଣ କମିଯିବ। ଅଗଷ୍ଟ ୨ ଯାଏ ସେଭଳି ବର୍ଷା ନାହଁ। ଏହାପରେ ପାଗରେ ପରିବର୍ତନ ଆସିବ। ୩ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ସାରା ଓଡ଼ିଶାରେ ବର୍ଷା ହେବ। ୪ ତାରିଖରେ ବି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ମାଲକାନଗିରି, କେରାପୁଟ, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁରର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବ ବୋଲି ଅନୁମାନ କରାଯାଉଛି।

ଅନ୍ୟପକ୍ଷରେ ଗତ ୧୨ ଘଣ୍ଟାରେ ବାଲେଶ୍ୱର ଓ ଦାରିଙ୍ଗବାଡ଼ି ବ୍ୟତୀତ ପୁରୀରେ ୧୯, ଭୁବନେଶ୍ୱରରେ ୧୮.୧, କେନ୍ଦୁଝରରେ ୧୧, ଟିଟିଲାଗଡ଼ରେ ୯, ଭବାନୀପାଟଣାରେ ୬ ମିମି ବର୍ଷା ହୋଇଛି। ଅନ୍ୟ ସ୍ଥାନଗୁଡ଼ିକରେ ହାଲକା ବର୍ଷା ହୋଇଥିବା ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର