୪୮ ଘଣ୍ଟା ଭିତରେ ପ୍ରବଳ ବର୍ଷା, ଏସ୍‌ଆରସିଙ୍କ ସମସ୍ତ ଜିଲ୍ଲପାଳଙ୍କୁ ଚିଠି

ଭୁବନେଶ୍ୱର: ବଙ୍ଗୋପ ସାଗରରେ ଲଘୁଚାପ ତୀବ୍ର ରୂପ ନେଇ ଅବପାତର ରୂପ ନେବା ପରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଥିବା ବେଳେ ପରିସ୍ଥିତି ଉପରେ ନଜର ରଖି ସତର୍କ ରହିବାକୁ  ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଜାରି କରିଛନ୍ତି।  ଚିଠିରେ ବର୍ଷା ପରିସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜରୁରୀକାଳୀନ ପରିସ୍ଥିତିରେ ସ୍ୱତନ୍ତ୍ର ରିଲିଫ କମିସନର କାର୍ଯ୍ୟାଳୟରେ ଥିବା ରାଜ୍ୟ ବିପର୍ଯ୍ୟୟ କେନ୍ଦ୍ରକୁ ସୂଚନା ଦେବା ପାଇଁ ଉପଦେଶ ଦିଆଯାଇଛି।

ଗତ ୬ଘଣ୍ଟା ଧରି ସମୁଦ୍ର ଭିତରେ ଘଣ୍ଟା ପ୍ରତି ୩୩କିଲୋମିଟର ବେଗରେ ଗତି କରି ବର୍ତମାନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି। ଏହା ଆହୁରି ଘନୀଭୂତ ହୋଇ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଭୀଷଣ ଅବପାତରେ ରୂପାନ୍ତରିତ ହେବା ପରେ ଦୁର୍ବଳ ହେବ। ପରେ ଏହା ସମୁଦ୍ର ମଧ୍ୟରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ ଡିସେମ୍ବର ୯ରେ ସକାଳ ସୁଦ୍ଧା ସ୍ଥଳଭାଗରେ ପହଞ୍ଚିବାର ସମ୍ଭାବନା ରହିଛି।

ତାଜା ରିପୋର୍ଟ ଅନୁସାରେ ଉପକୂଳ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବାକୁ ଥିବା ବେଳେ, ଗଞ୍ଜାମ, ଗଜପତି, ମାଲକାନଗିରି, ରାୟଗଡ଼ା, କୋରପୁଟ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଅନୁମାନ କରାଯାଉଛି।

 

ସମ୍ବନ୍ଧିତ ଖବର