ମହାନଦୀ, ବୈତରଣୀ, ବ୍ରାହ୍ମଣୀରେ ବନ୍ୟା ଆଶଙ୍କା

କାଲିଠାରୁ ବର୍ଷିବ ୯ ଯାଏ

ଭୁବନେଶ୍ୱର: ଆସନ୍ତା ୫ ତାରିଖରୁ ଆରମ୍ଭ ହେଉଥିବା ବର୍ଷା ୬ ତାରିଖରେ ଆହୁରି ଭୀଷଣ ରୂପ ଧାରଣ କରିପାରେ। ଗୋଟିଏ ଗୋଟିଏ ସ୍ଥାନରେ ୧୫୦ମିମିରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ଛତିଶଗଡ଼ ଓ ଝାଡଖଣ୍ଡରେ ବି ମୂଷଳ ଧାରାରେ ବର୍ଷିବ। ଯେହେତୁ ନଦୀର ଉପରମୁଣ୍ଡରେ ବର୍ଷା ହେବ, ଏଣୁ ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ନଦୀକୁ ବନ୍ୟା ବିପଦ ରହିଛି। ପାଣିପାଗ ବିଜ୍ଞାନୀଙ୍କର ଏଭଳି ପୂର୍ବାନୁମାନ ପଶ୍ଚିମ, ଉପକୂଳ ଓ ଉତ୍ତର ଓଡ଼ିଶାର ଚିନ୍ତା ବଢାଇଦେଲାଣି। ଯଦିଓ ସ୍ୱତନ୍ତ୍ର ରିଲିଫ୍‌ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ କୌଣସି ପ୍ରସ୍ତୁତି ଆରମ୍ଭ ହୋଇନାହିଁ କିମ୍ବା ରାଜ୍ୟ ସରକାର ମଧ୍ୟ ତନାଘନା କରିନାହାନ୍ତି, କିନ୍ତୁ ବର୍ଷା ପୂର୍ବାନୁମାନ ଏଭଳି ଏକ ଡ଼ର ସୃଷ୍ଟି କରୁଛି।

ଭାରତୀୟ ପାଣିପାଗ ବିଭାଗର ଆକଳନ କହୁଛି, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଢ଼େଙ୍କାନାଳ, ଯାଜପୁର ଜିଲ୍ଲାର କେତେକ ସ୍ଥାନରେ ଅତିପ୍ରବଳ ବର୍ଷା ହୋଇପାରେ। ପଶ୍ଚିମ ଓଡ଼ିଶାରେ ବି ବର୍ଷାର ପରିମାଣ ବଢ଼ିବ। ୭ରୁ ୯ ତାରିଖ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ବର୍ଷା ହେବ। କିନ୍ତୁ ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଅଧିକ ବର୍ଷା ହେବାର ଆଶଙ୍କା ରହିଛି। ୮ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷାର ପରିମାଣ ବଢ଼ିପାରେ। ଅନ୍ୟପକ୍ଷରେ ଦକ୍ଷିଣ ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସ୍ଥିର ରହିଛି। ପ୍ରଭାବରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ବୁଧବାରଠାରୁ ବର୍ଷାର ପରିମାଣ ବଢ଼ିବ। ୫ ତାରିଖ ପର୍ଯ୍ୟନ୍ତ ଉକ୍ତ ଜିଲ୍ଲାଗୁଡ଼ିକର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ହେଲେ ୬ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ ଉପକୂଳରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ କୁଳପତି ତଥା ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ଯେ ୪ ଓ ୫ ତାରିଖରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ୪ ତାରିଖ ସନ୍ଧ୍ୟା କିମ୍ବା ୫ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଯାହାକି ସ୍ଥଳ ଭାଗରେ ପଶ୍ଚିମ ଆଡ଼କୁ ଗତି କରିବ। ଏହା ପ୍ରଭାବରେ ଉତ୍ତର ଓ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ଅପେକ୍ଷାକୃତ ଅଧିକ ବର୍ଷା ହେବ। ଏଥିସହ କେନ୍ଦ୍ରୀୟ ଉପକୂଳର କିଛି ଅଞ୍ଚଳରେ ଭାରି ବର୍ଷା ହୋଇପାରେ। ଏହାପରେ ଉତ୍ତର ଓଡ଼ିଶା ବ୍ୟତୀତ ରାଜ୍ୟର ଅନ୍ୟ ସ୍ଥାନରେ ବର୍ଷା କମିଯିବ। ଡ.ପଶୁପାଳକଙ୍କ ଆକଳନ କହୁଛି, ଜୁଲାଇ ୮ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପରବର୍ତର୍ୀ ସମୟରେ ଉତ୍ତର ପଶ୍ଚିମ ଭାରତରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ବ୍ୟାପିବ। ଏହାଦ୍ୱାରା ୭ ତାରିଖଠାରୁ ପଶ୍ଚିମ ଓଡ଼ିଶା ଓ ୮ ତାରିଖଠାରୁ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ମଧ୍ୟରୁ ଭାରି ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଉତ୍ତର ଓଡ଼ିଶାରେ ଅପେକ୍ଷାକୃତ ଅଧିକ ବର୍ଷା ରହିବ।

ଉଲ୍ଲେଖଯୋଗ୍ୟ, ଗତ ୧୨ ଘଣ୍ଟାରେ ହୀରାକୁଦରେ ୪୦ ମିମି ବର୍ଷା ହୋଇଥିବା ବେଳେ ଝାରସୁଗୁଡ଼ାରେ ୨୧, ଫୁଲବାଣୀରେ ୧୮, ସୋନପୁରରେ ୮, ସୁନ୍ଦରଗଡ଼ରେ ୬, ବଲାଙ୍ଗୀରରେ ୩, ଟିଟିଲାଗଡ଼ରେ ୨.୫ ମିମି ବର୍ଷା ହୋଇଛି। ଆଜି ଉପକୂଳ, ଉତ୍ତର ଓ ପଶ୍ଚିମ ଓଡ଼ିଶାର ତାପମାତ୍ରା ୩୦ ଡିଗ୍ରି ଉପରେ ରହିଥିବା ବେଳେ ଦକ୍ଷିଣ ଓଡ଼ିଶାରେ କିନ୍ତୁ ତାପମାତ୍ରା ୩୦ ଡିଗ୍ରି ତଳେ ରହିଥିଲା।

ସମ୍ବନ୍ଧିତ ଖବର