ଲଘୁଚାପ ପ୍ରଭାବ: ଆଜି ସନ୍ଧ୍ୟାରୁ ଆରମ୍ଭ ହେବ ବର୍ଷା

ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବ ଦକ୍ଷିଣ- ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇଛି। ସମୁଦ୍ର ମଧ୍ୟରେ ଏହା ଘଣ୍ଟାପ୍ରତି ୩୫ କିଲୋମିଟର ବେଗରେ ଗତି କରି ଆଜି ଅପରାହ୍ଣ ୨ଟା ବେଳକୁ ଗୋପାଳପୁର ତଟର ଦକ୍ଷିଣ-ପୂର୍ବ ଦିଗରେ ୭୯୦ କିଲୋମିଟର ଦୂରରେ ରହିଛି। ଏହା କ୍ରମଶଃ ସମୁଦ୍ର ଭିତରେ ଉତ୍ତର- ପଶ୍ଚିମ ଦିଗରେ ଗତି କରି ଆହୁରି ଘନୀଭୂତ ହେବା ସହ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୀଷଣ ଅବପାତ (ଡିପ୍‌ ଡିପ୍ରେସନ୍‌)ରେ ରୂପାନ୍ତରିତ ହୋଇ ୮ ତାରିଖ ମଧ୍ୟରାତ୍ରରୁ ୯ ତାରିଖ ସକାଳ ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି। ଲଘୁଚାପଟି ଉପକୂଳ ଅତିକ୍ରମ କଲାବେଳକୁ ଦୁର୍ବଳ ହୋଇ ପଡ଼ିଥିବା ସମ୍ଭାବନା ଥିବାରୁ ଏହାର ପ୍ରଭାବରେ ବିଶେଷ କୌଣସି କ୍ଷୟକ୍ଷତି ଘଟିବ ନାହିଁ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ଏକ ବୁଲେଟିନ୍‌ରେ କୁହାଯାଇଛି।

ତେବେ, ଏହାର ପ୍ରଭାବରେ ଆସନ୍ତା ୨୪ରୁ ୭୨ ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିବ। ଏଥିସହ ଗଜପତି, ଗଞ୍ଜାମ, ରାୟଗଡ଼ା, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ମାଲକାନ୍‌ଗିରି ଓ କୋରାପୁଟ ଜିଲ୍ଲାର କେତେକ ଅଞ୍ଚଳରେ ଏହି ସମୟ ମଧ୍ୟରେ ଘଡ଼ଘଡ଼ି ଓ ପବନ ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ଅପରାହ୍ଣରେ ଜାରି ଏକ ବୁଲେଟିନ୍‌ରେ ସତର୍କ କରାଇ ଦିଆଯାଇଛି। ଘଡ଼ଘଡ଼ି ସହ ବର୍ଷା ଓ ପବନ ୭ତାରିଖ ସନ୍ଧ୍ୟାରୁ ଆରମ୍ଭ ହୋଇ ୧୦ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିବ।

ଏହି ସମୟରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଥିବା ଦୃଷ୍ଟିରୁ ମତ୍ସ୍ୟଜୀବୀମାନଙ୍କୁ ୭ ତାରିଖ ଅପରାହ୍ଣରୁ ୧୦ ରାତିଖ ସନ୍ଧ୍ୟା ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ଏହି ଲଘୁଚାପକୁ ଦୃଷ୍ଟିରେ ରଖି ପାରାଦୀପ ଓ ଗୋପାଳପୁର ବନ୍ଦରରେ ଏକ ନମ୍ବର ବିପଦ ସଙ୍କେତ ଦିଆଯାଇଛି। ରାଜ୍ୟରେ ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍‌ କମିଶନର ଦକ୍ଷିଣ ଓ ଉପକୂଳ ଓଡ଼ିଶାର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସମସ୍ତ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବା ପାଇଁ ସଜାଗ ରହିବାକୁ ସତର୍କ ସୂଚନା ଜାରି କରିଛନ୍ତି।

ସମ୍ବନ୍ଧିତ ଖବର