ବର୍ଷା ବିତ୍ପାତ : ଅଲାରନାଥ ଜଳବନ୍ଦୀ, ରତ୍ନ ସିଂହାସନକୁ ଛୁଇଁଲା ପାଣି

ମନ୍ଦିର ବେଢା ବୁଡ଼ିଲା, ପମ୍ପ ଦ୍ୱାରା ବର୍ଷାଜଳ ନିଷ୍କାସନ

ବ୍ରହ୍ମଗିରି : ତୁହାକୁତୁହା ପୁଣି ମୂଷଳ ଧାରାରେ ବର୍ଷା। କେହି ଭାବିନଥିଲେ ବର୍ଷା ପ୍ରକୋପ ଏମିତି ହେବ ବୋଲି। ଗତକାଲି ରାତିରୁ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ୍‌ରେ ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବଡକଥା ହେଉଛି, ବର୍ଷାପାଣି ଅଲାରନାଥଙ୍କ ରତ୍ନ ସିଂହାସନ ଛୁଇଁଥିବା ବେଳେ ମନ୍ଦିର ବେଢା ବର୍ଷାଜଳରେ ବୁଡିରହିଛି।

ସୂଚନା ଅନୁସାରେ, ରତ୍ନ ସିଂହାସନ ସହ ମନ୍ଦିର ପରିସରରେ ପାଣି ଜମି ରହିଥିବା ବେଳେ ସିଂହଦ୍ୱାର ଆଗରେ ପାଣି ଲହଡ଼ି ମାରୁଛି। ଉତ୍ତର ପଟେ ଥିବା ତ୍ରିବିକ୍ରମ କୁଣ୍ଡ ଦେଇ ପାଣି ଶ୍ରୀଜିଉଙ୍କ ରତ୍ନ ସିଂହାସନରେ ଲାଗିଛି। ପମ୍ପ ଲଗାଇ ମନ୍ଦିର ପରିଚାଳନା କମିଟି ବର୍ଷାଜଳ ନିଷ୍କାସନ କରୁଛିି। ଆଜି ଦିନତମାମ୍‌ ମନ୍ଦିର ଭିତରୁ ପାଣି କାଢ଼ିବା ଲାଗି ପ୍ରୟାସ ଜାରି ରହିଥିବା ବେଳେ ଲଗାଣ ବର୍ଷା ଏଥିରେ ବାଧକ ସାଜିଛି। ସେହିଭଳି ମନ୍ଦିରର ବଡ଼ ପୋଖରିଆ ଓ କଳାହାଟ ଦ୍ୱାର ପାଖରେ ମଧ୍ୟ ପାଣି ଜମିଛି। ଗଙ୍ଗାଯମୁନା କୂଅଠାରୁ ମହାଲକ୍ଷ୍ମୀଙ୍କ ମନ୍ଦିର ପର୍ଯ୍ୟନ୍ତ ଅଞ୍ଚଳ ଜଳବନ୍ଦୀ ଅବସ୍ଥାରେ ରହିଛି। ମୁଖ୍ୟ ମନ୍ଦିରର ତଳଜଙ୍ଘ ପର୍ଯ୍ୟନ୍ତ ପାଣି ଲାଗି ରହିଛି। ଦୀର୍ଘ ଦିନ ଧରି ମନ୍ଦିରର ମରାମତି କାର୍ଯ୍ୟ ଠିକ୍‌ ଭାବେ ହୋଇନଥିବାରୁ କଳାହାଟ ଦ୍ୱାରରେ ପାଣି ଗଳୁଛି। ବର୍ଷା ପାଣି ମନ୍ଦିରର କଳାହାଟ ଦ୍ୱାର ପାଖକୁ ଆସିବା ପରେ ମନ୍ଦିରର ସ୍ଥାୟିତ୍ୱ ନେଇ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର