ଲଘୁଚାପ ଜନିତ ବର୍ଷା ଜାରି : ଖଳାରେ ପଡି ରହିଛି ଧାନ ଓ ମକା, ଚିନ୍ତାରେ ଚାଷୀ

ଝରିଗାଁ : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ଅବପାତ ବାତ୍ୟାରେ ପରିଣତ ହୋଇଛି। ଏହାର ପ୍ରଭାବରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅଞ୍ଚଳରେ ଝିପିଝିପି ବର୍ଷା ଜାରି ରହିବା ସହ କୋହଲା ପାଗ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଝିପିଝିପି ବର୍ଷା ଯୋଗୁଁ ଚାଷୀକୂଳ ଚିନ୍ତାରେ ପଡିଛନ୍ତି। ବର୍ଷାରେ ଭିଜି ଫସଲ ନଷ୍ଟ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଅମଳ ପରେ ଖଳାରେ ପଡି ରହିଥିବା ଧାନ ଓ ମକାକୁ ପଲିଥିନ ଘୋଡାଇ କିଛି ଚାଷୀ ରଖିଛନ୍ତି। ଝରିଗାଁ ବ୍ଲକରେ ପ୍ରାୟ ଚାଷୀ ଧାନ ଓ ମକା ଫସଲ ଅମଳ କରି ସାରିଲେଣି। ଏଥି ମଧ୍ୟରୁ କିଛି ଚାଷୀ ମଣ୍ଡିରେ ଧାନ ବିକ୍ରୟ କରିସାରିଛନ୍ତି। କିନ୍ତୁ ବହୁ ଚାଷୀଙ୍କ ଧାନ ଓ ମକା ଖଳାରେ ପଡି ରହିଛି। କିନ୍ତୁ ବାତ୍ୟା ପେଥାଇ ପ୍ରଭାବରେ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି।

ସୂଚନା ଅନୁଯାୟୀ, ବ୍ଲକର ବହୁ ଚାଷୀ ମଣ୍ଡିକୁ ଦୃଷ୍ଟିରେ ରଖି ପୂର୍ବରୁ ଧାନ ଅମଳ କରି ଖଳାରେ ରଖିଥିଲେ। ତେବେ କୋହଲା ପାଗ ଓ ବର୍ଷାକୁ ଦୃଷ୍ଟିରେ ରଖି ପ୍ରାୟ ୬ଦିନ ହେବ ଧାନ ମଣ୍ଡି ବନ୍ଦ ରହିଥିବା ବେଳେ ଆଉ ୨ଦିନ ବନ୍ଦ ରହିବ ବୋଲି ସୂଚନା ମିଳିଛି। ଯଦି ବର୍ଷା ନଛାଡେ ତେବେ ମଣ୍ଡିରୁ ଧାନ ଉଠିବା ପାଇଁ ଆଉ କିଛି ଦିନ ବିଳମ୍ବ ହୋଇପାରେ। ବାତ୍ୟା ପେଥାଇ ପ୍ରଭାବରେ ବର୍ଷା ଆରମ୍ଭ ହେବା ଦେଖି ବହୁ ଚାଷୀ ଖଳାରେ ଥିବା ଧାନକୁ ପଲିଥିନ୍ ଘୋଡାଇ ରଖିଛନ୍ତି। ଆଉ କିଛି ଚାଷୀ ଧାନ ବିଡା ବାନ୍ଧି ଖୋଲା ଆକାଶ ତଳେ ରଖିଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ମକା ମଣ୍ଡି ଆରମ୍ଭ ହୋଇନଥିବାରୁ ଅଞ୍ଚଳର ଚାଷୀ ଖଳ‌ାରେ ମକା ପକାଇ ରଖିଛନ୍ତି। ଯଦି ଅଧିକ ବର୍ଷା ହୁଏ‌ ତେବେ ମକା ଫସଲ ନଷ୍ଟ ହେବା ନେଇ ଚାଷୀ ଆଶଙ୍କାରେ ରହିଛନ୍ତି। ଆଜି ଦିନ ତମାମ ଝରିଗାଁ ବ୍ଲକ ଅଞ୍ଚଳରେ ଝିପିଝିପି ବର୍ଷା ଜାରି ରହିଥିବା ବେଳେ ସଂଧ୍ୟାରେ ଏହାର ମାତ୍ରା ବୃଦ୍ଧି ପାଇଛି। ବର୍ଷା ବୃଦ୍ଧି ପାଇବା ପରେ ଖଳାରେ ଫସଲ ଅମଳ କରି ରଖିଥିବା ଚା‌ଷୀ ବର୍ତମାନ ଚିନ୍ତାରେ ପଡିଛନ୍ତି।

ସମ୍ବନ୍ଧିତ ଖବର