ପୁନରୁଦ୍ଧାର ହେବ ପୁରୀ ରାଜଭବନ

ଭୁବନେଶ୍ୱର : ପୁରୀସ୍ଥିତ ରାଜଭବନ ବିପଦସଙ୍କୁଳ ଘୋଷଣା ହେବା ପରେ ଏବେ ପୁରୀ ଗସ୍ତରେ ଆସୁଥିବା ଭିଭିଆଇପିମାନେ ରାଜଭବନ ଯାଉନାହାନ୍ତି। ଭିଭିଆଇପିମାନଙ୍କ ପାଇଁ ସର୍କିଟ ହାଉସ୍‌ରେ ବିଶ୍ରାମ/ରହଣି ବ୍ୟବସ୍ଥା କରାଯାଉଛି। ଏପରିକି ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସର୍କିଟ ହାଉସ୍‌ରେ ରହିବାକୁ ପଡ଼ିଥିଲା। ତେଣୁ ତୁରନ୍ତ ରାଜଭବନର ପୁନରୁଦ୍ଧାର କରାଯାଉ ବୋଲି ରାଜ୍ୟପାଳଙ୍କ ସଚିବାଳୟ ପକ୍ଷରୁ ପୂର୍ତ୍ତ ବିଭାଗ ପ୍ରମୁଖ ସଚିବଙ୍କୁ ଚିଠି ଲେଖାଯାଇଛି।

ଗତ ମାର୍ଚ୍ଚ ମାସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶା ଗସ୍ତରେ ଆସିଥିବାବେଳେ ପୁରୀ ରାଜଭବନ ବିପଦସଙ୍କୁଳ ଅବସ୍ଥାରେ ଅଛି ବୋଲି ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ଏହାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସର୍କିଟ୍‌ ହାଉସ୍‌ରେ ରାଷ୍ଟ୍ରପତିଙ୍କ ରହଣି ବ୍ୟବସ୍ଥା ହୋଇଥିଲା। ଓଡ଼ିଶାକୁ ଆସୁଥିବା ଅଧିକାଂଶ ଭିଭିଆଇପି ଯେପରି ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ସେମାନଙ୍କ ଗସ୍ତରେ ଅଧିକାଂଶ ସମୟରେ ପୁରୀରେ ରହଣି କରୁଛନ୍ତି। ଅଥଚ ସେମାନଙ୍କ ପାଇଁ ଆବଶ୍ୟକୀୟ ରହଣି ବ୍ୟବସ୍ଥା ବର୍ତ୍ତମାନ ନାହିଁ। ତେଣୁ ତୁରନ୍ତ ରାଜଭବନର ପୁନରୁଦ୍ଧାର ବା ପୁନଃନିର୍ମାଣ କରିବାକୁ ରାଜ୍ୟପାଳ ଚାହୁଁଛନ୍ତି ବୋଲି ତାଙ୍କ ଅତିରିକ୍ତ ସଚିବ କହିଛନ୍ତି।

ରାଜଭବନର ପୁନରୁଦ୍ଧାର ସମୟରେ ଯେପରି ୧୯୧୪ ମସିହାରେ ନିର୍ମାଣ ହୋଇଥିବା ଏହି କୋଠାର ଐତିହ୍ୟ କୀର୍ତ୍ତିରାଜି ନଷ୍ଟ ନହେବ ତାହା ଉପରେ ନଜର ରଖିବାକୁ କୁହାଯାଇଛି। ସମୁଦ୍ର କୂଳରେ ଏହି କୋଠାଟି ଥିବାରୁ ଲୁଣି ପବନରେ ଏହା ନଷ୍ଟ ହୋଇଯାଇଛି। ତେଣୁ ଭବିଷ୍ୟତରେ ଲୁଣି ପବନରେ ଯେପରି କୋଠାଟି ନଷ୍ଟ ନହେବ ତାହାକୁ ନଜରରେ ରଖି ନିର୍ମାଣ କାର୍ଯ୍ୟ କରିବାକୁ କୁହାଯାଇଛି। ଏହି କୋଠାକୁ ସଂପୂର୍ଣ୍ଣ ନ ଭାଙ୍ଗି ବର୍ତ୍ତମାନର କୋଠାକୁ ଯେପରି ଭଲ ଭାବେ ମରାମତି କରାଯାଇପାରିବ ଏବଂ ଏହାର ସୌନ୍ଦର୍ଯ୍ୟ ବଜାୟ ରହିବ ସେଥିପାଇଁ ଧ୍ୟାନ ଦେବାକୁ ରାଜ୍ୟପାଳ କହିଛନ୍ତି।

ସମ୍ବନ୍ଧିତ ଖବର