ଭୁବନେଶ୍ୱର : ଓଡ଼ିଶା ଗଣପର୍ବ କୁହାଯାଉଥିବା ରଜ ପର୍ବ ଦେଶର ବିଭିନ୍ନ ରାଜ୍ୟ ସମେତ ବିଦେଶରେ ମଧ୍ୟ ପାଳିତ ହୋଇଛି । ଓଡ଼ିଶା ଠାରୁ ହଜାର ହଜାର ମାଇଲ୍ ଦୂର ମାଲେସିଆରେ ରହୁଥିବା ଓଡ଼ିଆମାନେ ଏହି ରଜ ପର୍ବକୁ ବେଶ୍ ସମାରୋହରେ ପାଳନ କରିଛନ୍ତି ।
ମାଲେସିୟାର ରାଜଧାନୀ କୁଆଲାଲାମ୍ପୁରଠାରେ ରହୁଥିବା ଶହ ଶହ ଓଡ଼ିଆ ରଜ ପର୍ବ ଉପଲକ୍ଷେ ରଜ ସଂକ୍ରାନ୍ତି ଅବସରରେ ଏକତ୍ର ହୋଇଥିଲେ। ସ୍ଥାନୀୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଇଣ୍ଡିଆ କଲଚରାଲ ସେଣ୍ଟରଠାରେ ଆୟୋଜିତ ଏହି ରଜ ଉତ୍ସବ କାର୍ଯ୍ୟକ୍ରମ ଅବସରରେ ପ୍ରଥମେ ଖାଦ୍ୟ ପେୟର ଆସର ଜମିଥିଲା । ମିଠା ପାନ ସାଙ୍ଗକୁ ପୋଡ଼ ପିଠା, ଛେନାପୋଡ଼, ଦହିବରା, କାକରା ଆଦି ଖାଦ୍ୟ ଖାଇବା ସହିତ ଆରମ୍ଭ ହୋଇଥିଲା ରଜ ପର୍ବ। ଏହି ଅବସରର ମହିଳାମାନେ ବନସ୍ତେ ଡାକିଲା ଗଜ ବରଷକେ ଥରେ ଆସିଛଇ ରଜ ଗୀତ ଗାଇ ସମସ୍ତଙ୍କ ମନ ମୋହିଥିଲେ ।
ଏହି ଅବସରରେ ଆୟୋଜିତ ସଭାରେ ପ୍ରବାସୀ ଓଡ଼ିଆ ସଂଗଠନର ସଭାପତି ଦୀପ୍ତିରଞ୍ଜନ ନନ୍ଦ ଓ ସ୍ନିଗଧା ମିଶ୍ର ପ୍ରମୁଖ ରଜ ପର୍ବ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । ସେଠାରେ ଉପସ୍ଥିତ ଥିବା ଓଡ଼ିଆମାନେ ଓଡ଼ିଶାର ସ୍ମୃତିଚାରଣ କରିବା ସହିତ ନିଜ ମାତୃଭୂମିର ମହାନତା ସଂପର୍କରେ ଆଲୋକପାତ କରିଥିଲେ । ଏହାପରେ ନାଚଗୀତର ଆସର ଜମିଥିଲା।
ଏହି ଅବସରରେ ୟଙ୍ଗ ଆଚିଭର୍ସ ଏବଂ ଉତ୍କଳ କ୍ରିକେଟ କ୍ଲବକୁ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ କାର୍ଯ୍ୟକ୍ରମକୁ ପ୍ରଣତୀ ମିଶ୍ର ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/malaysia-2-1.jpg)