ଏସ୍‌ସିବିରୁ ଡିସ୍‌ଚାର୍ଜ ହେଲେ ରାଜଶ୍ରୀ କାମିଳା

‘ନାରୀଙ୍କୁ ଅତ୍ୟାଚାର ବିରୋଧରେ ଅଣ୍ଡାମାଡ଼, ଗୋବରମାଡ଼ ଜାରି ରହିବ’

କଟକ : ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅଣ୍ଡାମାଡ଼ କରିଥିବା ରାଜଶ୍ରୀ କାମିଳା ଆଜି ଏସ୍‌ସିବି ମେଡିକାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି। ଚିକିତ୍ସା ପାଇଁ ଗଠନ ହୋଇଥିବା ସ୍ୱତନ୍ତ୍ର ଡାକ୍ତରୀ ଦଳର ପରାମର୍ଶକ୍ରମେ ତାଙ୍କୁ ଏଠାରୁ ଯିବାକୁ ଅନୁମତି ଦିଆଯାଇଛି। ତେବେ ଆଉ ୧୦ ଦିନ ପରେ ସେ ପୁଣି ଥରେ ଏସ୍‌ସିବି ମେଡିକାଲ୍‌ର ମାନସିକ ରୋଗ, ନ୍ୟୁରୋଲୋଜି ଓ ପଲ୍‌ମୁନାରି ମେଡିସିନ୍‌ ବିଭାଗ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି। ଏହି ଅବଧି ମଧ୍ୟରେ ଉକ୍ତ ତିନି ବିଭାଗର ଡାକ୍ତରମାନେ କିଛି ଔଷଧ ଖାଇବାକୁ ପରାମର୍ଶ ଦେଇଛନ୍ତି। ଏହାବ୍ୟତୀତ ରାଜଶ୍ରୀଙ୍କର ସମସ୍ତ ସ୍ୱାସ୍ଥ୍ୟ ପରୀକ୍ଷା ରିପୋର୍ଟ ସ୍ୱାଭାବିକ୍‌ ଆସିଥିବାରୁ ତାଙ୍କୁ ଡିସ୍‌ଚାର୍ଜ କରାଯିବାକୁ ଡାକ୍ତରୀ ଦଳ ନିଷ୍ପତ୍ତି ନେଇଥିବା ସୂଚନା ଦିଆଯାଇଛି।

ମେଡିକାଲ୍‌ରୁ ଡିସ୍‌ଚାର୍ଜ ହୋଇ ବାହରିବା ପରେ ରାଜଶ୍ରୀ ପୁଣି ଥରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସଙ୍କ ଉପରେ ଦୋଷାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ କ୍ଷମତାର ଅପବ୍ୟବହାର କରିଛନ୍ତି। ମହିଳାମାନଙ୍କ ପ୍ରତି ଯେପର୍ଯ୍ୟନ୍ତ ଅତ୍ୟାଚାର ନକମିଛି, ସେ ପର୍ଯ୍ୟନ୍ତ ବିରୋଧ ଚାଲିବ। ଆଗକୁ ମଧ୍ୟ ପ୍ରତିବାଦ ପାଇଁ ଆବଶ୍ୟକ ହେଲେ ଅଣ୍ଡାମାଡ ଓ ଗୋବର ମାଡ଼ ହେବ ବୋଲି ରାଜଶ୍ରୀ ଗଣମାଧ୍ୟମକୁ କହିଛନ୍ତି। ଜଳେଶ୍ୱରଠାରେ ହୋଇଥିବା ସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ତାଙ୍କ ଗୁଣ୍ଡାମାନେ ଦ୍ରୌପଦୀ ଭଳି ଭରା ସଭାରେ ତାଙ୍କ ପ୍ରତି ଖରାପ ବ୍ୟବହାର କରିଥିଲେ। ଚୁଟିକୁ ଘୋଷାଡ଼ି ଘୋଷାଡ଼ି ଆଣିଥିଲେ। ତେଣୁ ଯେଉଁମାନେ ତାଙ୍କ ସହିତ ଏପରି ଖରାପ ଆଚରଣ ପ୍ରଦର୍ଶନ କରିଥିଲେ, ସେମାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀ କି’ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବୋଲି ରାଜଶ୍ରୀ ପ୍ରଶ୍ନ କରିଛନ୍ତି।

କେବଳ ଏତିକି ନୁହେଁ ସଭାସ୍ଥଳରେ ମାଡ଼ ମରାଯିବା ପରେ ବାଲେଶ୍ୱର ମେଡିକାଲ୍‌ରେ ଜୋର୍‌ ଜବରଦସ୍ତ ଭର୍ତ୍ତି କରାଗଲା। ପୂର୍ଣ୍ଣ ସୁସ୍ଥ ହୋଇନଥିଲେ ବି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଚାପରେ ତାଙ୍କୁ ଜେଲ୍‌କୁ ପଠାଯାଇଥିବା ଅଭିଯୋଗ ହୋଇଛି। ଏପରିକି ଜେଲ୍‌ରେ ମାରିଦେବାକୁ ଉଦ୍ୟମ ମଧ୍ୟ କରାଯାଇଥିବା ସେ କହିଛନ୍ତି। ତେଣୁ ଏମାନଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ସର୍ବସମ୍ମୁଖରେ ଜଣାଇବାକୁ ରାଜଶ୍ରୀ ଆହ୍ଵାନ ଦେଇଛନ୍ତି।

ଅନ୍ୟପକ୍ଷରେ ସ୍ୱାମୀ ଦିଲ୍ଲୀପ କାମିଳା କହିଛନ୍ତି ଯେ, ଭୋଗରାଇରେ ମନ୍ତ୍ରୀ ଅନନ୍ତ ଦାସ ଗୁଣ୍ଡାରାଜ ଚଳାଇଛନ୍ତି। ଏହାର ପ୍ରତିବାଦ କରିବାରୁ ୩ଥର ମରଣାନ୍ତକ ଆକ୍ରମଣ କରାଯାଇଛି। ପୁଲିସ୍‌ ମଧ୍ୟ ସେମାନଙ୍କ ସାଥିରେ ରହିବାରୁ ପ୍ରତିବର୍ଷ ଅନ୍ୟୁନ ୩ଥର ପ୍ରତିଷେଧକ ମୂଳକ ଗିରଫ କରାଯାଉଛି। ଏଥିରେ ଅତିଷ୍ଠ ହୋଇ ସ୍ତ୍ରୀ ରାଜଶ୍ରୀ ଅଣ୍ଡା ଫୋପାଡ଼ି ପ୍ରତିବାଦ ଜଣାଇଥିଲେ। ଆଗକୁ ରାଜଶ୍ରୀ ମହିଳାଙ୍କ ସୁରକ୍ଷା ଓ ନ୍ୟାୟ ଦିଗରେ ଯେତେ ଆଗକୁ ଯିବାକୁ ଚାହିଁଲେ, ସ୍ୱାମୀ ଭାବରେ ତାଙ୍କୁ ମାନସିକ ଭାବେ ପୂର୍ଣ୍ଣ ସମର୍ଥନ ଦେବେ ବୋଲି ଦିଲ୍ଲୀପ କହିଛନ୍ତି।

ସୂଚନାରୁ ପ୍ରକାଶ ଯେ, ଅଣ୍ଡାମାଡ଼ ଘଟଣାରେ ରାଜଶ୍ରୀଙ୍କୁ ଗତ ୫ ତାରିଖରେ ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ପ୍ରଥମେ ତାଙ୍କୁ ସେଣ୍ଟ୍ରାଲ୍‌ ଆଇସିୟୁ ୪ନମ୍ବର ବେଡ୍‌ରେ ରଖାଯାଇଥିଲାବେଳେ ପରବର୍ତ୍ତୀ ଅବସ୍ଥାରେ ସର୍ଜରୀ ୪ନମ୍ବର କ୍ୟାବିନ୍‌କୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ତଦାରଖ କରିବାକୁ ସର୍ଜରୀ ବିଭାଗ ପ୍ରଫେସର ଡାକ୍ତର କୈଳାସ ମହାପାତ୍ରଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ଗଠନ କରାଯାଇଥିଲା। ପ୍ରତ୍ୟେକ ଦିନ ଡାକ୍ତରୀ ଦଳ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲାବେଳେ ବିଭିନ୍ନ ପରୀକ୍ଷା କରାଯାଇଥିଲା। ସବୁ ରିପୋର୍ଟ ସ୍ୱଭାବିକ ଆସିବାରୁ ତାଙ୍କୁ ଡିସ୍‌ଚାର୍ଜ କରିବାକୁ ଡାକ୍ତରୀ ଦଳ ନିଷ୍ପତ୍ତି ନେଇଥିଲା।

ସମ୍ବନ୍ଧିତ ଖବର