ଜାନୁଆରି ୫ରୁ ରାଜଧାନୀ ପୁସ୍ତକମେଳା

ଭୁବନେଶ୍ୱର : ଊନବିଂଶ ରାଜଧାନୀ ପୁସ୍ତକମେଳା ଜାନୁଆରି ୫ରୁ ୧୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଖାରବେଳନଗରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ। ଚଳିତବର୍ଷ ଏହି ମେଳାରେ ଓଡ଼ିଶା, ଦିଲ୍ଲୀ, ପଶ୍ଚିମବଙ୍ଗ, ବିହାର, ଉତ୍ତରପ୍ରଦେଶ, ହରିୟାନା, ପଞ୍ଜାବ, ରାଜସ୍ଥାନ, ଛତିଶଗଡ଼, ଝାଡ଼ଖଣ୍ଡ, ଗୁଜୁରାଟ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ତାମିଲନାଡ଼ୁ ଆଦି ୧୫ଟି ରାଜ୍ୟର ଖ୍ୟାତନାମା ପୁସ୍ତକ ପ୍ରକାଶକ ଯୋଗଦେବେ। ମେଳାରେ ବିଭିନ୍ନ ଭାଷାର ସାହିତ୍ୟ ପୁସ୍ତକ, ଧର୍ମପୁସ୍ତକ, ସୂଚନା ପୁସ୍ତକ ସହିତ ସ୍କୁଲ୍‌, କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟପୁସ୍ତକ ଓ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ସହାୟକ ପୁସ୍ତକ, ପୁସ୍ତକ ସିଡି ଉପଲବ୍ଧ ହେବ। ମେଳା ପରିସରରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଷ୍ଟଲ୍‌ ମଧ୍ୟ ଖୋଲାଯିବ। ପୁସ୍ତକମେଳା ମଞ୍ଚରେ ବିଭିନ୍ନ ଦିବସରେ ଆଲୋଚନାଚକ୍ର, କବିତା ପାଠ, ନୂତନ ପୁସ୍ତକ ଉନ୍ମୋଚନ, କବି ଓ ଲେଖକ ସମ୍ମିଳନୀ, ବ୍ୟଙ୍ଗକବି ସମ୍ମିଳନୀ, ଶିଶୁ ସାହିତ୍ୟିକ ସମ୍ମିଳନୀ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଓଡ଼ିଆ ଭାଷାରେ ୨୦୧୬ ଜାନୁଆରିରୁ ୨୦୧୮ ନଭେମ୍ବର ମଧ୍ୟରେ ପ୍ରକାଶିତ ପ୍ରବନ୍ଧ ଓ ସମାଲୋଚନା, ଉପନ୍ୟାସ, କ୍ଷୁଦ୍ରଗଳ୍ପ, କବିତା, ନାଟକ, ଅନୁବାଦ, ବିଜ୍ଞାନ ସାହିତ୍ୟ, ଧର୍ମ ସାହିତ୍ୟ, ଜୀବନୀ, ଭ୍ରମଣ କାହାଣୀ, ବ୍ୟଙ୍ଗ ସାହିତ୍ୟ ଓ ଶିଶୁ ସାହିତ୍ୟ ପୁସ୍ତକଗୁଡ଼ିକ ବିଚାରକୁ ନିଆଯାଇ ରାଜଧାନୀ ପୁସ୍ତକମେଳା ପୁରସ୍କାର ପ୍ରଦାନ କରାଯିବ। ପୁସ୍ତକମେଳା କମିଟିର ସଭାପତି ଉପେନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆୟୋଜନ କମିଟି ବୈଠକରେ ସମ୍ପାଦକ ବିଧୁଭୂଷଣ ପଟ୍ଟନାୟକ, ଆବାହକ ରମେଶଚନ୍ଦ୍ର ସ୍ବାଇଁ, ସଂଯୋଜକ କାଳୀପ୍ରସାଦ ଦାସ, ସଭ୍ୟ ବୀରକିଶୋର ପ୍ରଧାନ, ଆକୁଳଚନ୍ଦ୍ର ନାଥ, କମଳିନୀ ମଲ୍ଲିକ ଓ ବ୍ରହ୍ମାନନ୍ଦ ନାୟକ ପ୍ରମୁଖ ଯୋଗ ଦେଇ ଲେଖକ, ପାଠକ ଓ ପ୍ରକାଶକମାନଙ୍କର ସହଯୋଗ କାମନା କରିଛନ୍ତି।

ସମ୍ବନ୍ଧିତ ଖବର